ଅଭ୍ୟାସ ବେଳେ ଅଘଟଣ : ଫାୟାରିଂ ପ୍ରାକ୍ଟିସ ବେଳେ ଭୁଲରେ ବୃଦ୍ଧାଙ୍କୁ ଗୁଳି କରିଦେଲା ପୁଲିସ୍, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

29

କନକ ବ୍ୟୁରୋ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜ ଅଘଟଣ । ଅଭ୍ୟାସ ବେଳେ ଅଘଟଣ । ପୁଲିସର ଫାୟାରିଂ ପ୍ରାକ୍ଟିସ ବେଳେ ଜଣେ ମହିଳାଙ୍କ ଦେହରେ ବାଜିଛି ଗୁଳି । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଗୁଳିଟି ଲକ୍ଷ୍ୟଚ୍ୟୁତ ହୋଇ ମହିଳା ଜଣଙ୍କ ଦେହରେ ବାଜିଥିବା ଅନୁମାନ କରାଯାଉଛି ।

ଆହତ ମହିଳା ବଦନୀ ମିଶ୍ରଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅନୁଗୁଳ ଶରଧାପୁରସ୍ଥିତ ଫାୟାରିଂ ରେଞ୍ଜ୍ରେ ଯବାନମାନେ ଫାୟାରିଂ ତାଲିମ ବା ବନ୍ଧୁକ ଚାଳନା ତାଲିମ ନେଉଥିଲେ। ପ୍ରତିଦିନ ସକାଳେ ଏଠାରେ ଯବାନମାନେ ଫାୟାରିଂ ତାଲିମ ନେଇଥାନ୍ତି। ତେବେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଶରଧାପୁର ଗ୍ରାମର ବଦନୀ ମିଶ୍ର(୬୫ ବର୍ଷ) ନାମକ ଜଣେ ମହିଳା ସକାଳୁ ଉଠି ମୁହଁ ଧୋଉଥିବା ବେଳେ ହଠାତ ଏକ ଗୁଳି ଆସି ତାଙ୍କ ବାମପାଖ ଦେହରେ ବାଜିଥିଲା। ଗୁଳିଟି ସିଧାସଳଖ ମହିଳାଙ୍କ ଛାତିରେ ନ ବାଜି ନିକଟରେ ଏକ କାନ୍ଥରେ ବାଜି ତାଙ୍କ ଛାତିରେ ବାଜିଥିଲା। ଫଳରେ ବଦନି ସେଠାରେ ଚିତ୍କାର କରି ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।