ଏମିତି ଭାଇ ଜଗତେ ନାହିଁ । ସଂପର୍କ ପାଇଁ ରାଜନୀତିକୁ ପଛରେ ପକାଇଦେଇଛି ଭାଇ । ସାନଭାଇ ପାଇଁ ଘର ଘର ବୁଲି ଭୋଟ୍ ମାଗୁଛି ବଡ ଭାଇ

950

କନକ ବ୍ୟୁରୋ: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହି ନିର୍ବାଚନ ସମୟରେ ଅନେକ କିଛି ରୋଚକ ଘଟଣା ସାମ୍ନାକୁ ଆସେ । କେତେବେଳେ ରାଜନୀତି ପାଇଁ ରକ୍ତ ସଂପର୍କକୁ ଛିନ୍ନ କରିଦିଏ ମଣିଷ ତ ଆଉ କେତେବେଳେ ସଂପର୍କ ପାଇଁ ରାଜନୀତିକୁ ଅଲବିଦା କିନ୍ତୁ ଯାଜପୁରରେ କିଛି ଅଲଗା ଚିତ୍ର ପ୍ରତିଫଳିତ ହୋଇଛି । ସଂପର୍କ ପାଇଁ ରାଜନୀତିକୁ ପଛରେ ପକାଇଦେଇଛି ଭାଇ ଆଉ ଭାଇର ସ୍ୱାର୍ଥ ପାଇଁ କିଏ ରାଜନୈତିକ ଦଳକୁ ଛାଡି ଆସିଛି ତ ଆଉ କିଏ ଭାଇର ସ୍ୱାର୍ଥ ପାଇଁ ନିଜ ଦଳ ବିରୋଧରେ ଯାଇ ଭାଇକୁ ସମର୍ଥନ ଦେଇଛି ।

କଥାରେ ଅଛି ଯୁଦ୍ଧ ଯଦି କରି ବସିବୁ ସାଂଗରେ ଥିବ ଭାଇ । ହଁ ଏଭଳି ଏକ ଉକ୍ତି ଏବେ ଯାଜପୁରରେ ଚାଲିଥିବା ଭୋଟ ଯୁଦ୍ଧରେ ପ୍ରମାଣିତ ହୋଇଛି । ଭାଇ ପାଇଁ ଭାଇ ଛାଡିଛି ପୁରୁଣା ଦଳ । ଭାଇ ପାଇଁ ନୂତନ ଦଳକୁ ଆପଣାଇଛି ଭାଇ । ସାନ ଭାଇର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଡ ଭାଇ ନିଜର ସ୍ୱାର୍ଥକୁ ଭୁଲିଯାଇଛି । ଆମେ କହୁଛୁ ଯାଜପୁରର ପୂର୍ବତନ ସାଂସଦ ଅଂଚଳ ଦାସ ଓ ଚଳିତ ନିର୍ବାଚନରେ ବିଂଝାରପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମନୋରଂଜନ ଦାସଙ୍କ କଥା । ଅଂଚଳ ଦାସ କିଛି ଦିନ ପୂର୍ବରୁ ବିଜେପିରେ ଥିଲେ । କିନ୍ତୁ ନିଜ ସାନ ଭାଇ ମନୋରଂଜନ କଂଗ୍ରେସର ପ୍ରାର୍ଥୀ ହେବା ପରେ ଅଂଚଳ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । କେବଳ ସାମିଲ ହୋଇନାହାଁନ୍ତି ସାନ ଭାଇ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବଡ ଭାଇ ଅଂଚଳ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେବଳ ଅଂଚଳ କିମ୍ବା ମନୋରଂଜନ ନୁହଁନ୍ତି, ସେହିଭଳି ସମାନ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ସଂସଦୀୟ କ୍ଷେତ୍ରରେ । ଏଠି ବିଜେପି ପକ୍ଷରୁ ପ୍ରତିଦ୍ୱିନ୍ଦିତା କରୁଛନ୍ତି ଅମୀୟ କାନ୍ତ ମଲ୍ଲିକ । କିନ୍ତୁ ଅମୀୟଙ୍କ ସାନ ଭାଇ ପରେଶ ମଲ୍ଲିକ ଶାସକ ବିଜୁ ଜନତା ଦଳର ଆଗୁଆ ନେତା ଭାବେ ବେଶ ଜଣାଣୁଣା । ପରେଶ ରାଜ୍ୟ ଦଳିତ ସେଲର ସାଧାରଣ ସଂପାଦକ ଭଳି ଗୁରୁତ୍ୱ ଦାୟିତ୍ୱ ମଧ୍ୟ ନେଇଛନ୍ତି । କିନ୍ତୁ ଏବେ ପରେଶ ବଡଭାଇଙ୍କ ନାମାଙ୍କନ ଦାଖଲ ଠାରୁ ଆରମ୍ଭ କରି ପ୍ରଚାରରେ ମଧ୍ୟ ଭାଇଙ୍କୁ ବେଶ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ସାନ ଭାଇର ଏଭଳି ସହଯୋଗ ନେଇ ବଡ ଭାଇ ବେଶ ଖୁସି ।

ତେବେ ଉଭୟ ଘଟଣାକୁ ଦେଖି ଗୋଟିଏ କଥା ଚର୍ଚ୍ଚା ହେଉଛି ଏମିତି ଭାଇ ଜଗତେ ନାହିଁ । ଯିଏ ନିଜର ରାଜନୈତିକ କ୍ୟାରିଅରକୁ ପଛରେ ପକାଇ ନିଜ ଭାଇ ପାଇଁ ଅଂଟା ଭିଡିଛିି ।