ହକି ବିଶ୍ୱକପ ପୂର୍ବରୁ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟ । କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଆଥଲେଟଙ୍କ ପର୍ଯ୍ୟନ୍ତ ଗୋଟିଏ ଛାତ ତଳେ ସମସ୍ତେ ହେବେ ଏକାଠି

47

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇସାରିଲାଣି କଳିଙ୍ଗ ଷ୍ଟାଡିୟମ । ହକି ବିଶ୍ୱକପକୁ ସଫଳ କରିବାକୁ ଏବେ ଜି ଜାନ ଲଗାଇଦେଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରମୋଟ କରୁଛନ୍ତି ରାଜ୍ୟ ସରକାର । ଆଉ ଏସବୁ ଭିତରେ ହକି ବିଶ୍ୱକପ ପୂର୍ବରୁ ଏସିଆର ସବୁଠୁ ବଡ ତଥା ପ୍ରତିଷ୍ଠିତ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟର ଆୟୋଜନ ହେବାକୁ ଯାଉଛି। ନଭେମ୍ବର ୨ ଓ ୩ରେ ହେବାକୁ ଥିବା ଏହି ମହୋତ୍ସବର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ମୁଖ୍ୟ ଲକ୍ଷ୍ୟ ରହିବ ଭୁବନେଶ୍ୱରରେ କ୍ରୀଡାର ମାହୋଲ ସୃଷ୍ଟି କରିବା ।

ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ୱରରେ ହେବାକୁ ଥିବା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟରେ ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳି, ବିଶିଷ୍ଟ ପତ୍ରକାର, କୋଚ ଓ ଲେଖକ ମାନେ ସାମିଲ ହେବେ ବୋଲି ଜଣାପଡିଛି । ଯେଉଁଥିରେ ଆଥଲେଟଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମଧ୍ୟ ରହିଛନ୍ତି । ଏହି ଏକାମ୍ର ଖେଳ ସାହିତ୍ୟ ଉତ୍ସବର ଉଦଘାଟନୀ ଦିବସରେ କାନାଡାର ପୂର୍ବତନ ଧାବକ ବେନ ଜନସନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମହମ୍ମଦ କୈଫ, ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କ ଭଳି ଅର୍ନ୍ତଜାତୀୟ ଷ୍ଟାରଙ୍କୁ ଗୋଟିଏ ଛାତତଳେ ଦେଖିବାକୁ ମିଳିବ । ଯେଉଁଠାରେ ଏହି ଖେଳାଳି ମାନେ ନିଜର ସଂଘର୍ଷପୂର୍ଣ୍ଣ କ୍ୟାରିୟରର ଅଭିଜ୍ଞତା ବଖାଣିବେ । ଯାହା ଯୁବ କ୍ରୀଡାବିତ ମାନଙ୍କୁ କ୍ରୀଡା କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ ।

ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟର ଆୟୋଜନ ନେଇ ନବୀନ ନିଜର ଖୁସି ଜାହିର କରିଛନ୍ତି । ହକି ବିଶ୍ୱକପ ପୂର୍ବରୁଏହି ପଦକ୍ଷେପ କ୍ରୀଡା ସହ ଓଡିଶାର କଳା ଓ ସଂସ୍କୃତିକୁ ମଧ୍ୟ ଏକ ନୂଆ ଶିଖରରେ ପହଞ୍ଚାଇବ । ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ଅପେକ୍ଷା କରି ରହିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟ ୨୦୧୮ ଓଡିଶା ସମେତ ଦେଶରେ ଏକ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଦେଶ ଓ ବିଦେଶର ଖେଳାଳୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।