ନିଶ୍ୱାସରେ ବିଷ ନେଉଛନ୍ତି ଏକଘରିଆ ଗ୍ରାମବାସୀ । ଅସ୍ତବ୍ୟସ୍ତ କରୁଛି ବେଞ୍ଜୋପାୟୋରିଂ ଗ୍ୟାସ୍

31

କନକ ବ୍ୟୁରୋ : ଗାଁରେ ରହିବାକୁ ଦେଉନି କମ୍ପାନୀ ଗ୍ୟାସ୍ । କମ୍ପାନୀରୁ ଅନବରତ ବାହାରୁ ଥିବା ବେଞ୍ଜୋପାୟୋରିଂ ଗ୍ୟାସ୍ ଯୋଗୁଁ ଅସ୍ତବ୍ୟସ୍ତ ଜୀବନ । ସ୍ଥିତି ଏଭଳି ହୋଇଛି ଯେ, ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି ତାଳଚେର ସ୍ଥିତ ଏକଘରିଆ ଗ୍ରାମବାସୀ । ଜୀବନ ଭୟରେ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି ଗ୍ରାମବାସୀ । କିନ୍ତୁ ପ୍ରଶାସନ ଏଥିପ୍ରତି ନିଘା ନାହିଁ ।

କମ୍ପାନୀରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ତାଳଚେରର ଏକଘରିଆ ଗ୍ରାମବାସୀ । ୨୦୦୯ ମସିହାରୁ ଗାଁ ନିକଟରେ ଜର୍ଣ୍ଣାଲ କାର୍ବନ କେମିକାଲ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ସ୍ଥାପନ ହେବା ପରଠାରୁ ୩ ଶହ ପରିବାର ବିଷ ବଳୟ ମଧ୍ୟରେ ଜୀବନ ଯାପନ କରୁଛନ୍ତି । କମ୍ପାନୀରୁ ବାହାରୁ ଥିବା ବେଞ୍ଜୋପାୟାରିଂ ନାମକ ଗ୍ୟାସ୍ ଯୋଗୁଁ ଲୋକ ଟିବି ଓ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ବିଗତ ବର୍ଷମାନକରେ ଅଜଣା ରୋଗରେ ୧୦ ଜଣଙ୍କ ମୁତ୍ୟୁ ପରେ ଗାଁରେ କୋକୁଆ ଭୟ ଖେଳିଯାଇଛି । ଅନେକ ଜୀବନ ଭୟରେ ଗାଁ ଛାଡୁଥିବା ଜଣାପଡିଛି ।

କମ୍ପାନୀ ଯୋଗୁଁ ଗାଁରେ ଦେଖାଦେଉଥିବା ସମସ୍ୟା ବାବଦରେ ଅନୁଗୁଳ ଜିଲ୍ଲା ପ୍ରଦୂଷଣ ବୋର୍ଡକୁ ଜଣାଇଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ । ବରଂ ପୁଲିସର ନାଲି ଆଖି ଦେଖିବାକୁ ମିଳୁଛି । ଅନ୍ୟପଟେ ଏସଂକ୍ରାନ୍ତରେ ସମସ୍ତ ରିପୋର୍ଟ ଜିଲ୍ଲା ପ୍ରଦୂଷଣ ବୋର୍ଡକୁ ଅବଗତ କରାଯିବ ବୋଲି କହିଛନ୍ତି ତାଳଚେର ଉପଜିଲ୍ଲାପାଳ । ସେପଟେ କମ୍ପାନୀରୁ ବାହାରୁଥିବା ଗ୍ୟାସର ପରମାଣ ସବୁଦିନ ମପା ଯାଉଥିବା ବେଳେ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉଥିବା କହିଛନ୍ତି ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ । ଏହିଭଳି ପ୍ରତିଶୃତି ବାରମ୍ବାର ମିଳୁଥିଲେ ମଧ୍ୟ କମ୍ପାନୀର ବିଷାକ୍ତ ଗ୍ୟାସ୍ ବଳୟ ଭିତରୁ କେବେ ଗ୍ରାମବାସୀଙ୍କୁ ମୁକ୍ତ ମିଳିବ ତାକୁ ହିଁ ଚାହିଁ ବସିଛନ୍ତି ଏକଘରିଆ ଗ୍ରାମବାସୀ ।