କନକ ବ୍ୟୁରୋ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ତିତଲି ବାତ୍ୟା ବେଳର ଗୋଟିଏ ପରେ ଗୋଟିଏ ବଡ଼ ଅଘଟଣ ବିଳମ୍ବରେ ସୂଚନା ମିଳୁଛି। ବାରଘର ନିକଟରେ ପାହାଡ଼ ଧସି ୧୩ ଜଣଙ୍କ ମୃତ୍ୟୁ ଖବର ଗତକାଲି ମିଳିଥିଲା। ସେହି ବ୍ଲକର ଲକ୍ଷ୍ମୀପୁର ପଞ୍ଚାୟତର ମାରା ଗ୍ରାମ ନିକଟ ପାହାଡ଼ରୁ ପ୍ରବଳ ବେଗରେ ଆସିଥିବା ପାଣି ସୁଅରେ ପାହାଡ଼ ପାଦ ଦେଶରେ ଥିବା ସ୍କୁଲ ଘର ସହ ଏଠାରେ ଆଶ୍ରୟ ନେଇଥିବା ୮ ଜଣ ଭାସିଯାଇ ନିଖୋଜ ଥିବା ଘଟଣା ସୂଚନା ମିଳିଛି। ସ୍କୁଲ ଘରର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ। ରାତି ସୁଦ୍ଧା ନିଖୋଜଙ୍କ ପତ୍ତା ମଧ୍ୟ ମିଳିନାହିଁ। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଇତିମଧ୍ୟରେ ରାୟଗଡ଼ ବ୍ଲକରେ ପାହାଡ଼ ଧସିବା ଫଳରେ ୧୩ ଜଣ ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ପାରଳା ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ଘଟଣାସ୍ଥଳ ବାରଘର ଗାଁରେ ପହଞ୍ଚିଛନ୍ତି। ସମୁଦାୟ ୧୬ ଜଣଙ୍କ ମଧ୍ୟରୁ ଆଉ ୩ ଜଣ ଏବେ ବି ନିଖୋଜ ଥିବା ଏବଂ ଧସିଥିବା ପାହାଡ଼ ଗଦା ଭିତରେ ତଲାସ ଜାରି ରହିଥିବା ସେମାନେ ସୂଚନା ଦେଇଛନ୍ତି।
ଏପଟେ ଗଜପତି ଜିଲ୍ଲାରେ ତିତଲି ପ୍ରଭାବରେ ଘଟିଥିବା କ୍ଷୟକ୍ଷତି ଆକଳନ ଓ ମୃତାହତଙ୍କ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ଲାଗି ପ୍ରଶାସନ ପକ୍ଷରୁ ୧୨ ଜଣ ଅଧିକାରୀଙ୍କୁ ନିୟୋଜିତ କରା ଯାଇଥିବା ସୂଚନା ମିଳିଛି। ପାହାଡ଼ ଧସିବା ଘଟଣାରେ ୧୩ ଜଣଙ୍କୁ ମଶାଇ ତିତଲି ବାତ୍ୟା ସମୟରେ ଓ କାନ୍ଥ ଭୁଶୁଡ଼ି ଗଜପତି ଜିଲ୍ଲାରେ ସମୁଦାୟ ୨୦ ଜଣଙ୍କ ପ୍ରାଣହାନୀ ଘଟିଥିବା ତଥ୍ୟ ମିଳିଛି। ଅନ୍ୟ ମୃତକଙ୍କ ମଧ୍ୟରେ କାଶୀନଗର ବ୍ଲକର ଜଣେ, ଗୁମ୍ମା ବ୍ଲକ ରାଗିଡ଼ି ପଞ୍ଚାୟତର ଜଣେ, ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ ପଞ୍ଚାୟତର ୨ଜଣ କୌଶଲ୍ୟା ସେଠୀ ଓ ସତ୍ୟସୁନ୍ଦର ମହାପାତ୍ର, ରାୟଗଡ଼ ବ୍ଲକ ପୁତାର ଗ୍ରାମର ଜଣେ ଏବଂ ଗଣ୍ଡାହାତୀ ଗ୍ରାମର ୨ ଜଣ।