ଆଜି ପବିତ୍ର ଇଦ୍ : ନମାଜ ପଢିବାକୁ ମସଜିଦରେ ଭିଡ

64

କନକ ବ୍ୟୁରୋ : ଆଜି ହେଉଛି ମୁସଲମାନଙ୍କ ବଡ ପର୍ବ ଇଦ୍ । ଏଥିପାଇଁ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଛି । ମୁସଲମାନମାନେ ପରଷ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ମସଜିଦ ଓ ଇଦଗାହ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏକ ମାସ ରୋଜା ରଖିବା ପରେ ଆସିଥାଏ ପବିତ୍ର ଇଦ୍ । ରଙ୍ଗବେରଙ୍ଗ ଆଲୋକମାଳାରେ ମସଜିଦଗୁଡିକୁ ସଜ୍ଜିତ କରାଯାଇଛି । ଇଦ ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁସଲମାନମାନେ ନିଷ୍ଠାପର ସହିତ ଏକ ମାସ କାଳ ଉପବାସ କରିଆସୁଥିବାେଳେ ପାରମ୍ପରିକ ପ୍ରଥା ଅନୁସାରେ ରମଜାନ ଶେଷ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗିଥାନ୍ତି । ଏହା ପରେ ଆରମ୍ଭ ହୁଏ ଇଦ ପର୍ବ । ଏହି ଦିନ ସମସ୍ତ ମୁସଲିମ ଭାଇଭଉଣୀମାନେ ନୂଆ ବସ୍ତ୍ର ପିନ୍ଧି, ଆଖରେ ସୁରମା ଓ ଦେହରେ ଅତର ଲଗାଇ ଇଦ ପାଳନ କରିଥାନ୍ତି । ବିଶ୍ୱାସ ରହିଛି, ମାସସାରା ରୋଜାରଖି ନମାଜ ପଢିଲେ ଆଲ୍ଲା ବର୍ଷଯାକର ପାପ କ୍ଷମା କରିଥାନ୍ତି ଓ ପୁଣ୍ୟ ହୋଇଥାଏ ।

ଜାତି ଧର୍ମ ନିର୍ବିଶେଷରେ କିଛି ଅସହାୟଙ୍କୁ ନିଜ ସାଧ୍ୟ ମୁତାବକ ଦାନ କରି ଆଲ୍ଲାଙ୍କ ନିର୍ଦ୍ଦେଶ ପାଳନ କରିଥାନ୍ତି । ଏହାକୁ ‘ଜକାତ୍’ ଓ ‘ଫିତରା’ କୁହାଯାଇଥାଏ । ସାଧାରଣତଃ ଏହି ଦାନ କାର୍ଯ୍ୟ ରମ୍‌ଜାନ୍‌ ମାସରେ ଶେଷ କରିବାକୁ ପଡ଼ିଥାଏ ।  ନିୟମାନୁସାରେ ବର୍ଷ ସାରାର ଆୟର ୨.୫% ଅଂଶଧନ ପ୍ରତ୍ୟେକ ମୁସଲ୍‌ମାନ୍‌ ଭାଇଙ୍କୁ ଦାନ କରବାକୁ ପଡ଼ିଥାଏ, ଏହାକୁ ‘ଜକାତ୍‌’ କୁହାଯାଏ । ସେହିପରି ସେହି ବର୍ଷର ଗହମର ଦାମ୍‌ ଅନୁଯାୟୀ ଅଢ଼େଇ କିଲୋ ଗହମର ଦାମ୍‌ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତରଫରୁ ଦିଆଯାଇଥାଏ । ଏହାକୁ ‘ଫିତରା’ କୁହାଯାଏ ।