ଅଣ୍ଡା ଆମିଷ ନୁହେଁ ନିରାମିଷ : ବୈଜ୍ଞାନିକଙ୍କ ମତ

180

ଅଣ୍ଡା ପ୍ରାୟ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ । ଖୁବ କମ ଖର୍ଚ୍ଚରେ ଅଣ୍ଡା ମିଳୁଥିବାରୁ ଏହା ଅନେକ ଲୋକଙ୍କର ପ୍ରିୟ । ସମସ୍ତେ ଜାଣନ୍ତି ଅଣ୍ଡା ଆମିଷ । ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି ।ସେଥିପାଇଁ ଅନେକ ନିରାମିଷ ବ୍ୟକ୍ତି ଅଣ୍ଡା ସେବନ କରନ୍ତି ନାହିଁ । ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଉପଲବ୍ଧ ରହିଥାଏ । କିନ୍ତୁ ଏବେ ଅଣ୍ଡାକୁ ଆମିଷ ନୁହେଁ ବରଂ ନିରାମିଷ ବୋଲି ବୈଜ୍ଞାନିକମାନେ ବିଶେଷ ସୂତ୍ରରୁ ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଅଣ୍ଡାକୁ ନେଇ ବହୁଦିନରୁ ବିତର୍କ ଚାଲିଥିଲେ ବେଳେ ଏହାର ସଠିକ୍ ଉତ୍ତର ମିଳି ପାରୁନଥିଲା । ଏପରିକି କୁକୁଡା ଏକ ଜୀବନ୍ତ ପ୍ରାଣି ହୋଇଥିବାରୁ ଏହାର ଅଣ୍ଡାକୁ ଆମିଷ ବୋଲି ଅଧିକାଂଶ ବ୍ୟକ୍ତି ମତ ପ୍ରକାଶ କରିଥିଲେ । ତେବେ ବୈଜ୍ଞାନିକମାନେ ଏହି ଯୁକ୍ତିକୁ ଖଣ୍ଡନ କରିବା ସହ ଅଣ୍ଡାକୁ ସଂପୂର୍ଣ୍ଣ ନିରାମିଷ ଆଖ୍ୟା ଦେଇଛନ୍ତି । ସେମାନେ ଅଣ୍ଡାକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ଗୋଟିଏ ଅଣ୍ଡା ଖୋଳ ହୋଇଥିବା ବେଳେ ଅନ୍ୟ ଦୁଇଟି ହେଲେ ଅଣ୍ଡାର କେଶର ଓ ଧଳା ଅଂଶ(ଆଲବୁମିନ୍) । ଅଣ୍ଡାର ଧଳା ଅଂଶରେ ପୃଷ୍ଟିସାର ଥିଲାବେଳେ କେଶରରେ ପୃଷ୍ଟିସାର, କୋଲେଷ୍ଟ୍ରଲ ଓ ଚର୍ବି ରହିଛି ।

ଯେଉଁ ଅଣ୍ଡାକୁ ଆମେ ନିୟମିତ ଖାଉଛୁ । ସେଥିରେ ଭ୍ରୃଣ ନ ଥାଏ । ତେଣୁ ଏହି ଅବସ୍ଥାରରେ ଅଣ୍ଡା ଖାଇଲେ ଆମେ କୌଣସି ପ୍ରାଣୀର ଅଂଶବିଷେଶ ବିବେଚନା କରାଯିବ ନାହିଁ । ସାଧାରଣତଃ ଗୋଟିଏ କୁକୁଡା ଛଅ ମାସ ହେବା ପରେ ଅଣ୍ଡା ଦେବା ଆରମ୍ଭ କରିଥାଏ । ଅଣ୍ଡା ଦେବାକୁ ହେଲେ କୁକୁଡା ଓ ଗଞ୍ଜା ମଧ୍ୟରେ ମିଳନର ଆବଶ୍ୟକତା ଜରୁରୀ ନୁହେଁ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । ଏଭଳି ଅଣ୍ଡା ଗର୍ଭାଧାନ ଉପଯୁକ୍ତ ନୁହେଁ । ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଅଣ୍ଡା ଏହି ଶ୍ରେଣୀଭୁକ୍ତ ହୋଇଥିବାରୁ ସେଗୁଡିକୁ ନିରାମିଷ ବିବେଚନା କରାଯିବାକୁ ବୈଜ୍ଞାନିକମାନେ କହିଛନ୍ତି ।