ଅଣ୍ଡା ପାଇଁ ଆନ୍ଧ୍ର ଭରସା : ଆବଶ୍ୟକ ତୁଳନାରେ ଓଡ଼ିଶାରେ ଉତ୍ପାଦନ ହୋଇପାରୁନି ଅଣ୍ଡା, ଦୈନିକ ୮୫ ଲକ୍ଷ ଆବଶ୍ୟକ ଥିବା ବେଳେ ରାଜ୍ୟରେ ମିଳୁଛି କେବଳ ୬୫ ଲକ୍ଷ

591

କନକ ବ୍ୟୁରୋ : ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ  । ଅଣ୍ଡାର ବ୍ୟବହାର ବଢ଼ାଇବା ପାଇଁ ଥିଲା ଏହି ଚର୍ଚ୍ଚିତ ବିଜ୍ଞାପନ । ଅଣ୍ଡା ଆମ ଶରୀର ପାଇଁ ଉପଯୋଗୀ ।  କିନ୍ତୁ ଅଣ୍ଡାର ଆବଶ୍ୟକତା ମେଂଟାଇବା ପାଇଁ ଏବେ ବି ଓଡିଶା ଅକ୍ଷମ । ଦୈନିକ ୮୫ଲକ୍ଷ ଅଣ୍ଡା ଓଡିଶା ଆବଶ୍ୟକତା ହେଉଥିବାବେଳେ ଓଡିଶାରୁ ମାତ୍ର ୬୦ରୁ ୬୫ଲକ୍ଷ ଅଣ୍ଡା ଉତ୍ପାଦ ହୋଇପାରୁଛି । ବାକି ୨୦ଲକ୍ଷ ଅଣ୍ଡା ପାଇଁ ଏବେବି ଆନ୍ଧ୍ରକୁ ଭରଷା କରୁଛି ଓଡିଶା  ।

ଆମ ରାଜ୍ୟର ଅଣ୍ଡା ଉତ୍ପାଦନରେ ଦେଶରେ ୧୧ତମ ସ୍ଥାନରେ ରହିଛି । ଦେଶରେ ମୁଣ୍ଡପିଛା ଉପଲବ୍ଧତା ୬୯ଟି ଅଣ୍ଡା ରହିଛି,  ଏବଂ ଓଡିଶାରେ ବାର୍ଷିକ ଉପଲବ୍ଧତା ୪୮ ଗୋଟି ଅଣ୍ଡା ରହିଛି  । ତେବେ ଏହି ପରିସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ଆସିବ ଏବଂ ଆଗାମୀ ବର୍ଷ ରାଜ୍ୟ ଏହାର ସମସ୍ତ ଆବଶ୍ୟକତା ମେଂଟାଇବ ବୋଲି କହିଛନ୍ତି ମତ୍ସ ଓ ପଶୁସମ୍ପଦ ମନ୍ତ୍ରୀ ଅରୁଣ ସାହୁ  ।

ବିଶ୍ୱରେ ଚୀନ ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବା ଦେଶ ହୋଇଥିବାବେଳେ ତୃତୀୟ ସ୍ଥାନରେ ରହିଛି ଭାରତ । ଅଣ୍ଡା ଖାଇବାରେ ବହୁତ ପଛରେ ରହିଛି ଭାରତ । ବାର୍ଷିକ ୩୭୦ ଅଣ୍ଡା ମେକ୍ସିକୋବାସୀ ଖାଉଥିବାବେଳେ ବାର୍ଷିକ ହାରାହାରି ୭୪ଟି ଅଣ୍ଡା ଖାଇଥାନ୍ତି ଭାରତୀୟ । ହେଲେ ଓଡ଼ିଶାବାସୀ ବାର୍ଷିକ ମାତ୍ର ୫୨ରୁ ୫୫ ଅଣ୍ଡା ଖାଇଥାନ୍ତି ।

ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୁପେ ପାଳନ କରାଯାଇଥାଏ  । ପ୍ରାଣୀସମ୍ପଦ ବିଭାଗ, ଓଡିଶା ପଲଟ୍ରି ଚାଷୀ ସଂଘ ଓ ଅଖିଳ ଓଡିଶା ଲେୟର ଚାଷୀ ସଂଘର ମିଳିତ ସହଯୋଗରେ ବିଶ୍ୱ ଅଣ୍ଡା ଦିବସ ଆୟୋଜିତ ହୋଇଥିଲା ।