ଅଣ୍ଡା ଖାଇବାକୁ ମନା କଲେ ଦାମ ! କହିଲେ, ଅଣ୍ଡା ଖାଇବା ଭଲ ନୁହେଁ

30

କନକ ବ୍ୟୁରୋ : ଅଣ୍ଡା ଖାଇବାକୁ ମନା କଲେ ମନ୍ତ୍ରୀ । କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଅଣ୍ଡା ଭଲ ନୁହଁ, ଖାଇବା ଛାଡିଦିଅ । ଅଣ୍ଡା ଦର ବୃଦ୍ଧି ପାଉଥିବା ବେଳେ ଆଜି ମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ମନ୍ତ୍ରୀଙ୍କ ଉତର ହେଲା, ଅଣ୍ଡା ଭଲ ନୁହଁ, ଖାଇବା ଛାଡିଦିଅ । ଗତ କିଛି ଦିନ ଧରି ରାଜ୍ୟରେ ଅଣ୍ଡା ଦର ବଢି ବଢି ଚାଲିଛି । ପ୍ରାୟ ଦୁଇ ସପ୍ତାହ ତଳେ ଅଣ୍ଡା ପିଛା ଦର ୫ଟଙ୍କା ରହିଥିବା ବେଳେ ଏବେ ଏହା ସାଢେ ୭ଟଙ୍କା ଟପିଲାଣି ।

ସପ୍ତାହକ ମଧ୍ୟରେ ଅଣ୍ଡା ଦରରେ ଏଭଳି ପରିବର୍ତ୍ତନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହାକୁ ନିୟନ୍ତ୍ରଣ କରିବାର କ୍ଷମତା ଏବେ ସରକାରଙ୍କ ନିକଟରେ ନାହିଁ । କାରଣ ଅଣ୍ଡା ପାଇଁ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ମଧ୍ୟ ସେମାନେ ନିୟନ୍ତ୍ରଣ କରୁଛନ୍ତି । ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ଏହି ଦର ଏବେ ଆଗକୁ ବି ମଧ୍ୟ ବଢିପାରେ । ଯାହାକି ୯ରୁ ୧୦ ଟଙ୍କା ହୋଇପାରେ । ବଜାରରେ ପନିବାରର ଦର ବି ରହିଛି ଆକାଶଛୁଆଁ । ଗତ କିଛି ଦିନ ହେଲା ପରିବା ଦରକୁ ଦୃଷ୍ଟିରେ ରଖି ଲୋକେ ଅଣ୍ଡାକୁ ଆଦରି ନେଇଥିଲେ ହେଲେ ଅଣ୍ଡା ଦରର ଅହେତୂକ ଅଭିବୃଦ୍ଧିକୁ ଦେଖି ଲୋକେ ଅଣ୍ଡାରେ ବି ହାତ ମାରିବାକୁ ଭୟ କଲେଣି ।