ହୁ ହୁ ବଢ଼ୁଛି ଅଣ୍ଡା ଦର, ଡଜନ ପିଛା ଦର ୮୦ ଛୁଇଁଲାଣି ! ଆବଶ୍ୟକତା ମେଂଟାଇବାକୁ ଆନ୍ଧ୍ର ଉପରେ ଭରଷା

44

କନକ ବ୍ୟୁରୋ: ହୁ ହୁ ହୋଇ ଅଣ୍ଡା ଦରବୃଦ୍ଧି ପାଉଥିବାରୁ ଚିନ୍ତା ପଡିଛନ୍ତି ଗ୍ରାହକ । ଏବେ ରାଜ୍ୟରେ ଅଣ୍ଡା ଦର ଡଜନ ପିଛା ୮୦ ଟଙ୍କା ଉପରେ । କାରଣ ଦର୍ଶାଯାଉଛି ଯେ ଆନ୍ଧ୍ରରୁ ଯେତିକି ପରିମାଣର ଅଣ୍ଡା ଓଡ଼ିଶା ଆସିଥାଏ, ତାହା ଆସିପାରୁନି । ଏପଟେ ରାଜ୍ୟରେ ହେଉଥିବା ଉତ୍ପାଦନ, ଅଣ୍ଡାର ଚାହିଦା ମେଂଟାଇ ପାରୁନାହିଁ । ଆନ୍ଧ୍ର ବଜାରରେ ହଲଚଲ ହେଲେ ଦରବୃଦ୍ଧି ଓଡ଼ିଶାରେ ଘଟୁଛି ।

ତେବେ ଶରୀରରେ ଆବଶ୍ୟକ ପ୍ରୋଟିନ୍ ପାଇଁ ଇଣ୍ଡିଆନ୍ ନ୍ୟୁଟ୍ରିସନାଲ ଏକାଡେମୀ ପରାମର୍ଶ ଦେଇଛି ଜଣେ ଲୋକ ବାର୍ଷିକ ୧୮୨ଟି ଅଣ୍ଡା ଖାଇବା ଉଚିତ୍ । ହେଲେ ଓଡ଼ିଶାରେ ଜଣେ ବାର୍ଷିକ ହାରାହାରି ମାତ୍ର ୫୫ଟି ଅଣ୍ଡା ଖାଇଥାଏ । ଯାହା ଜାତୀୟ ହାରଠାରୁ କମ୍ । ଏସବୁ ସତ୍ୱେ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା । କାରଣ, ଦୈନିକ ଯେତିକି ବି ଅଣ୍ଡା ଖିଆଯାଏ, ତାହାଠାରୁ ଯଥେଷ୍ଟ କମ୍ ଉତ୍ପାଦନ ହୋଇଥାଏ ଓଡ଼ିଶାରେ । ୨୦୧୫ରେ ରାଜ୍ୟ ସରକାରଙ୍କ ଗେଜେଟରେ ପ୍ରକାଶ ପାଇଥିବା ଓଡ଼ିଶା ପାଓଲ୍ଟ୍ରି ପଲିସୀ ରିପୋର୍ଟ କହୁଛି, ଓଡ଼ିଶାରେ ଦୈନିକ ଆବଶ୍ୟକ ୬୫ ଲକ୍ଷ ଅଣ୍ଡା । ହେଲେ ରାଜ୍ୟର ଉତ୍ପାଦନ ମାତ୍ର ୩୪ ଲକ୍ଷ । ଅର୍ଥାତ୍ ଓଡ଼ିଶାରେ ପ୍ରତିଦିନ ୩୧ ଲକ୍ଷ ଅଣ୍ଡା ନିଅଂଟ ପଡିଥାଏ । ଯାହାକୁ ଭରଣା କରିବା ପାଇଁ ମୁଖ୍ୟତଃ ଆନ୍ଧ୍ର ଉପରେ ନିର୍ଭର କରେ ଓଡ଼ିଶା । ଆନ୍ଧ୍ର ବଜାରରେ ହଲଚଲ ହେଲେ ସାଙ୍ଗେ ସାଙ୍ଗେ ପ୍ରଭାବିତ ଓଡ଼ିଶା ହୋଇଥାଏ ।

ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ଦୁଇ ବର୍ଷ ତଳେ ଦୈନିକ ୧ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏ ନେଇ ଗୋଟିଏ ପାଦ ବି ଆଗକୁ ଯାଇପାରିନି ଆମ ରାଜ୍ୟ । ସେହିପରି ଆନ୍ଧ୍ର ନିୟନ୍ତ୍ରଣରେ ରହିଛି ଓଡ଼ିଶା ବଜାର । ଅଣ୍ଡା ମାଛ ମାଂସ ଠାରୁ ପନିପରିବା ପର୍ଯ୍ୟନ୍ତ ସବୁକିଛି ଆନ୍ଧ୍ର ଉପରେ ନିର୍ଭରଶୀଳ । ହୁ ହୁ ହୋଇ ଅଣ୍ଡା ଦର ବଢିବା ପରେ ଏବେ ଚିନ୍ତାରେ ପଡିଛନ୍ତି ଗ୍ରାହକ ।