ନିୟମିତ ଅଣ୍ଡା ଖାଇବାକୁ ପସନ୍ଦ କରୁଛନ୍ତି କି ? ଜାଣିରଖନ୍ତୁ ଏହାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ।

99

ଅଣ୍ଡା ପ୍ରାୟ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ । ଖୁବ କମ ଖର୍ଚ୍ଚରେ ଅଣ୍ଡା ମିଳୁଥିବାରୁ ଏହା ଅନେକ ଲୋକଙ୍କର ପ୍ରିୟ । ଏହାଛଡା ଚାକିରିଆ ଲୋକଙ୍କର ଅଣ୍ଡା ଭାରି ପ୍ରିୟ । କମ ସମୟ ମଧ୍ୟରେ ଅଣ୍ଡାରେ ବିଭିନ୍ନ ଆଇଟମ ପ୍ରସ୍ତୁତ ହୋଇପାରୁଥିବାରୁ ଗୃହଣୀଙ୍କର ମଧ୍ୟ ଏହା ପ୍ରଥମ ପସନ୍ଦ । ଏହାଛଡା ଅଣ୍ଡାରେ ଅନ୍ୟ ପନିପରିବା ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ମିଳିଥାଏ । ଶରୀରକୁ ଭରପୂର ଶକ୍ତି ପ୍ରଦାନ କରିବା ସହ ଓଜନକୁ ନିୟନ୍ତ୍ରଣ କରିଥାଏ ଅଣ୍ଡା । ସେଥିପାଇଁ ବ୍ରେକଫାଷ୍ଟରେ ଅଧିକାଂଶ ଲୋକ ଅଣ୍ଡା ଖାଇଥାନ୍ତି । ତେବେ ଅଣ୍ଡା ଖାଇବା ଦ୍ୱାରା କଣ ଫାଇଦା ମିଳିଥାଏ ତାହା ଆସନ୍ତୁ ଜାଣିବା ।

ଅଣ୍ଡାର ଆକାର : ସାଧାରଣତଃ ବଜାରରେ ମିଳୁଥିବା ଅଣ୍ଡାର ଆକାର ସମାନ ନ ଥାଏ । ବଜାରରେ ବିଭିନ୍ନ ପ୍ରକାରର ଅଣ୍ଡା ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଅନେକ ସମୟରେ ଲୋକ ଦ୍ୱନ୍ଦରେ ପଡିଥାନ୍ତି । ତେବେ ଜାଣି ରଖିବା ଉଚିତ ଯେ, ଯେତେ ବଡ ଅଣ୍ଡା ଖାଇବେ ଆପଣଙ୍କୁ ସେତିକି ଅଧିକ ପରିମାଣର ପୋଷକତତ୍ତ୍ୱ ମିଳିବ ।ଏହାଛଡା ଶରୀରକୁ ଏହା ଅଧିକ ମାତ୍ରାରେ ପ୍ରୋଟିନ ପ୍ରଦାନ କରିବା ସହ ପ୍ରଚୁର ପରିମାଣର ମିନେରାଲ୍ସ ମିଳିଥାଏ ।

 

ଅଣ୍ଡାରେ ଭରପୂର ରହିଥାଏ ପୋଷକତତ୍ତ୍ୱ : ସାଧାରଣତଃ ଅଣ୍ଡାରୁ ମିଳୁଥିବା କୋଲେଷ୍ଟ୍ରଲ ହାର୍ଟ ପାଇଁ ଭଲ ନୁହେଁ କିନ୍ତୁ ୪୦ରୁ ଅଧିକ ଗବେଷଣାରୁ ଜଣା ପଡିଛି ଯେ ଶରୀର ପାଇଁ ଅଣ୍ଡା ଏକ ସ୍ୱାସ୍ଥ୍ୟପଯୋଗୀ ଆହାର । ଏଥିରେ ଭିଟାମିନ-ଏ, ଭିଟାମିନ-ଡି, ଭିଟାମିନ-ବି୧, ଓ ଫସଫରସ ମିଳିଥାଏ । ଏହି ସବୁ ପୋଷକ ତତ୍ତ୍ୱ । ଶରୀର ପାଇଁ ଖୁବ ସ୍ୱାସ୍ଥ୍ୟ ଉପକାରୀ । ଏହିସବୁ ପୋଷକତତ୍ତ୍ୱ ଯୋଗୁଁ ଦୃଷ୍ଟିଶକ୍ତି ବଢିଥାଏ ।

ଓଜନକୁ ନିୟନ୍ତ୍ରଣ ରଖେ : ଓଜନ ନିୟନ୍ତ୍ରଣ କ୍ଷେତ୍ରରେ ଅଣ୍ଡା ଔଷଧ ଭଳି କାମ କରିଥାଏ । ଅଣ୍ଡା ଖାଇବା ଦ୍ୱାରା ଅଧିକ ଭୋକ କରିନଥାଏ ।ଗୋଟିଏ ଅଣ୍ଡାରେ ୭୦ କ୍ୟାଲୋରୀ ଓ ୬ ଗ୍ରାମର ପ୍ରୋଟିନ ମିଳିଥାଏ । ତେଣୁ ଏହାକୁ କ୍ୟାଲୋରୀ ଫୁଡ ମଧ୍ୟ କୁହା ଯାଇଥାଏ । ତେଣୁ ଯଦି ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥାନ୍ତି ତେବେ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ ।

ପ୍ରଚୁର ପ୍ରୋଟିନ ମିଳିଥାଏ : ଅଣ୍ଡାର ଧଳା ଅଂଶରେ ପ୍ରଚୁର ମାତ୍ରାରେ ଆଲୁମିନ ଭଳି ପ୍ରୋଟିନ ରହିଥାଏ । ସକାଳୁ ଉଠିବା ପରେ ଶରୀର ପାଇଁ ଏହି ପ୍ରୋଟିନ ଅଧିକ ଦରକାର ହୋଇଥାଏ । ତେଣୁ ଅଧିକାଂଶ ଲୋକ ବ୍ରେକଫାଷ୍ଟରେ ଅଣ୍ଡା ଖାଇଥାନ୍ତି । ଯାହାଦ୍ୱାରା ଏହି ପ୍ରୋଟିନ ଶରୀରକୁ ମିଳିଥାଏ । ସକାଳୁ ଅଣ୍ଡା ଖାଇବା ଦ୍ୱାରା ଶରୀର ଫିଟ ରହିଥାଏ ।

ଭିଟାମିନ ଡି : କ୍ୟାଲସିୟମ ଭଳି ଭିଟାମିନ-ଡି ମଧ୍ୟ ଶରୀରର ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ସାଧାରଣତଃ ଭିଟାମିନ-ଡି ଭଳି ପୋଷକତତ୍ତ୍ୱ ସୁର୍ୟ୍ୟକିରଣ ଓ ଅନ୍ୟ କିଛି ଖାଦ୍ୟରୁ ଶରୀରକୁ ମିଳିଥାଏ । ଯେହେତୁ ଅଣ୍ଡାରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଧ୍ୟ ମଜବୁତ ହୋଇଥାଏ ।

ଅଣ୍ଡାର ରଙ୍ଗରେ କୌଣସି ଫରକ ପଡିନଥାଏ : ବଜାରରେ ବିଭିନ୍ନ ଆକାରର ଅଣ୍ଡା ଭଳି ବିଭିନ୍ନ ରଙ୍ଗର ମଧ୍ୟ ଅଣ୍ଡା ମିଳିଥାଏ । ଧଳା ରଙ୍ଗର ଅଣ୍ଡା ଠାରୁ କଫି ରଙ୍ଗର ଅଣ୍ଡା ଅଧିକ ସ୍ୱାସ୍ଥ୍ୟ ଉପଯୋଗୀ ବୋଲି ସାଧାରଣ ଲୋକ ଭାବିଥାନ୍ତି । କିନ୍ତୁ ଏହା ସତ ନୁହେଁ । ଆମେରିକା ଅଣ୍ଡା ବୋର୍ଡ ଅନୁଯାୟୀ, ଧଳା କିମ୍ବା କଫି ରଙ୍ଗର ଅଣ୍ଡା ଭିତରେ କୌଣସି ଫରକ ନଥାଏ । ଉଭୟ ରଙ୍ଗର ଅଣ୍ଡାରେ ସମାନ ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ ।

ତାଜା ଅଣ୍ଡା ଖାଆନ୍ତୁ : ସବୁ ଜିନିଷ ଭଳି ଅଣ୍ଡାର ମଧ୍ୟ ଏକ୍ସପାଏରୀ ତାରିଖ ରହିଥାଏ । ଫାର୍ମରୁ ବାହରିବାର ତିନି ସପ୍ତାହ ମଧ୍ୟରେ ଅଣ୍ଡା ଖାଇବା ଶରୀରକୁ ଅଧିକ ଫାଇଦା ଦେଇଥାଏ । ତେବେ ସବୁବେଳେ ଧ୍ୟାନ ରଖିବା ଉଚିତ ଯେ, ଅଣ୍ଡାକୁ ଅଧିକାଂଶ ସମୟ ବାହାରେ ରଖିବା ଅପେକ୍ଷା ଫ୍ରିଜରେ ରଖିବା ଆବଶ୍ୟକ । ଅଧିକାଂଶ ସମୟ ବାହାରେ ଅଣ୍ଡା ରହିଲେ ଏଥିରୁ ମିଳୁଥିବା ପୋଷକତତ୍ତ୍ୱ କମିଯାଇଥାଏ । ତେଣୁ ସତେଜ ଅଣ୍ଡା ଖାଇବାକୁ ସବୁବେଳେ ଚେଷ୍ଟା କରନ୍ତୁ ।

ଶରୀରକୁ ଶକ୍ତି ପ୍ରଦାନ କରିଥାଏ : ଅଣ୍ଡା ଶରୀର ପାଇଁ ଏନର୍ଜି ବୁଷ୍ଟର ଭଳି କାମ କରିଥାଏ । ଯଦି ସକାଳୁ ଅଳସୁଆ ଅନୁଭବ କରୁଥାନ୍ତି ତେବେ ଅଣ୍ଡା ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ସକାଳୁ ବ୍ରେକଫାଷ୍ଟ କରିବା ଦ୍ୱାରା ପୂରାଦିନ ଶରୀର ଫିଟ ରହିବା ସହ ଫୂର୍ତ୍ତି ଲାଗିଥାଏ । ଅଣ୍ଡାର ହଳଦିଆ ଅଂଶରେ ଶରୀରକୁ ଶକ୍ତି ପ୍ରଦାନ କରିବା ଭଳି ପୋଷକତତ୍ତ୍ୱ ଭରି ରହିଥାଏ ।