ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ ! ବାଲେଶ୍ୱର ତାଳସରୀ ମହୋତ୍ସବରେ ନବୀନ ଭାଷଣ ଦେଉଥିବା ବେଳେ ଅଣ୍ଡାମାଡ କଲେ ଦୁଇ ମହିଳା

39

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ । ବାଲେଶ୍ୱର ଭୋଗରାଇରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ ହୋଇଛି । ତାଳସରୀ ମହୋତ୍ସବକୁ ଯାଇଥିବା ବେଳେ ଅଣ୍ଡାମାଡ କରିଛନ୍ତି ଦୁଇ ଜଣ ମହିଳା । ଦୁଇ ଜଣ ମହିଳାଙ୍କୁ ଅଟକ ରଖିଛି ପୁଲିସ । ତାଳସରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଏହି ମହିଳାମାନେ ଅଣ୍ଡାମାଡ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ମହୋତ୍ସବର ଉଦଘାଟନୀ ଭାଷଣ ପ୍ରଦାନ କରିବାର ୨ ମିନିଟ୍ ପରେ ବ୍ୟାରିକେଡ଼ ବାହାରେ ଥିବା ଭିଡ଼ ଭିତରୁ ୨ଜଣ ମହିଳା ୩ଟି ଅଣ୍ଡା ସଭାସ୍ଥଳ ଉପରକୁ ଫିଙ୍ଗି ଥିଲେ । ଅଣ୍ଡା ଗୁଡ଼ିକ ଯଦିଓ ନବୀନଙ୍କ ଦେହରେ ବାଜି ନ ଥିଲା, ତଥାପି ମଞ୍ଚ ଉପରେ ପଡ଼ିଥିଲା । ସେହି ସମୟରେ ମହିଳା ଦ୍ୱୟଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିନେଇଥିଲେ । ବ୍ୟାପକ ପୁଲିସ ମୁତୟନ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଘଟଣାକୁ ନେଇ ପୁଲିସର ଚିନ୍ତା ବଢ଼ିଯାଇଛି ।

ସୂଚନାଯୋଗ୍ୟ ୭ମ ତାଳସାରି ମହୋତ୍ସବ ପାଇଁ ବ୍ୟାପକ ଆୟୋଜନ ହୋଇଛି । ଗତବର୍ଷ ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ୪ ଦିବସୀୟ ମହୋତ୍ସବରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୋରାଇ ବିଧାୟକ ଆକାଶ ଦାସ ପ୍ରମୁଖ ଭାଗ ନେଇଥିଲେ ।