ରାଜନୀତିରେ ଫେରିଲା ଅଣ୍ଡାମାଡ ! କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ବର୍ଷାଇଲା ଯୁବ କଂଗ୍ରେସ

32

କନକ ବ୍ୟୁରୋ : କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗାଡି ଖୋର୍ଦ୍ଧା ଅଭିମୁଖେ ବାହାରିଥାଏ । ଆଉ ଠିକ୍ ଏହି ସମୟରେ ଯୁବ କଂଗ୍ରେସ କର୍ମୀ ବର୍ଷାଇଥିଲେ ଅଣ୍ଡା । କାରକେଡ୍ ସାମ୍ନାକୁ ଅଚାନକ ମାଡି ଆସିଥିଲେ, ନାରାବାଜି ଦେବା ସହ ଦେଖାଇଥିଲେ କଳପତାକା । ନା ପୁଲିସ୍ ଟେର୍ ପାଇଥିଲା ନା ଗୁଇନ୍ଦା ବିଭାଗ ପାଖରେ ଥିଲା ଖବର । ଅଚାନକ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ହୋଇଥିଲା ଅଣ୍ଡାମାଡ । ମଧ୍ୟପ୍ରଦେଶରେ କୃଷକଙ୍କ ଉପରେ ହୋଇଥିବା ଗୁଳିମାଡର କରିଥିଲେ ପ୍ରତିବାଦ ।

ଅଣ୍ଡାମାଡ ପାଇଁ ଯୁବ କଂଗ୍ରେସ ରଚିଥିଲା ଚକ୍ରବ୍ୟୁହ । ଦୁଇ ଦୁଇଟି ସ୍ଥାନରେ ଜଗି ରହିଥିଲେ ଯୁବ କଂଗ୍ରେସ କର୍ମୀ । ରଣନୀତି ଥିଲା ଧନାଧନ କରିବେ ଅଣ୍ଡାମାଡ । ହେଲେ ଶେଷ ମୁହୂର୍ତ୍ତରେ ପୋଲିସ ପହଂଚି ଗୋଟିଏ ଗୋଷ୍ଠୀକୁ କାବୁ କରିଥିଲା, ହେଲେ ଅନ୍ୟ ଗୋଷ୍ଠୀ ବାବଦରେ ଟେର୍ ବି ପାଇନଥିଲା । ପୋଲିସ ଅଣ୍ଡାମାଡ କରିବାକୁ ଥିବା ଯୁବ କଂଗ୍ରେସ ସଭାପତିଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା । ଆଉ ଏହାର କେଇ ମିନିଟ୍ ପରେ ୧୦୦ ମିଟର ଦୂରରେ ଥିବା କର୍ମୀ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ମୋଦି ଉତ୍ସବରେ ସାମିଲ୍ ହେବାକୁ ଆସିଥିବା ରାଧାମୋହନ ସିଂଙ୍କ ଉପରକୁ ଅଣ୍ଡାମାଡ ଘଟଣାରେ ପ୍ରତିକ୍ରିୟାଶୀଳ ହୋଇଛି ପୋଲିସ୍ । ନିଜ ଆଡୁ ମାମଲା ରୁଜ୍ଜୁ କରି ଆରମ୍ଭ କରିଛି ଗିରଫଦାରୀ । କର୍ମୀଙ୍କ ଗିରଫଦାରୀକୁ କଂଗ୍ରେସ ବିରୋଧ କରିଥିବା ବେଳେ ବିଜେପି ଏନେଇ ପ୍ରତିକ୍ରିୟା ରଖିଛି । ଗତ କିଛି ମାସ ତଳେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଅଣ୍ଡାମାଡ ପ୍ରସଙ୍ଗ ପୁଣି ଫେରିଛି । ନିକଟରେ ବୈଜୟନ୍ତଙ୍କୁ ମାହାଙ୍ଗାରେ ବିଜେଡ଼ି କର୍ମୀ ଅଣ୍ଡାମାଡ କରିଥିିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଛି କଂଗ୍ରେସ । ତେବେ ପ୍ରଶ୍ନ ଉଠୁଛି, ପ୍ରତିବାଦ ବାବଦରେ କିଭଳି ସୂଚନା ପାଇପାରିଲାନି କମିଶନରେଟ ପୋଲିସ?