ପୁଣି ଫେରିଲା ଅଣ୍ଡାମାଡ ରାଜନୀତି । ଏରସମା ରାବଣପୋଡ଼ି ଉତ୍ସବକୁ ଯିବାବେଳେ ସାଂସଦ ଅନୁଭବ ମହାନ୍ତି ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଅଭିଯୋଗ

23

କନକ ବ୍ୟୁରୋ: ପୁଣି ଫେରିଲା ଅଣ୍ଡାମାଡ ରାଜନୀତି । ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଗାଡ଼ି ଉପରେ ଅଣ୍ଡା ମାଡ଼ ଅଭିଯୋଗ । ଜଗତସିଂହପୁର ଏରସମା ରାବଣ ପୋଡ଼ି ଉତ୍ସବକୁ ଅତିଥି ଭାବେ ଯୋଗ ଦେବା ପାଇଁ ଯିବା ବେଳେ ଏହି ଅଣ୍ଡାମାଡ଼ ହୋଇଥିବା ହୋଇଛି ।

ଉଭୟ ଅନୁଭବ ଏବଂ ଅଶୋକ ପଣ୍ଡା ଏକ ରଥ ସଦୃଶ ଗାଡ଼ିରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ । ଅଣ୍ଡାମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣା ସଂପର୍କରେ ଅନୁଭବ କହିଛନ୍ତି, କାହା ଉପରେ ଅଣ୍ଡା ମାଡ଼ କରିବା ବଦଳରେ ଖାଇବାକୁ ପାଉନଥିବା ପିଲାଙ୍କୁ ଅଣ୍ଡା ଦିଅନ୍ତୁ ।

ରାବଣପୋଡ଼ିକୁ ନେଇ ଜୋର ଧରିଛି ଏରସମା ରାଜନୀତି। ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ରାବଣ ପୋଡ଼ି ଉତ୍ସବ ପାଇଁ ଅନୁମତି ନ ମିଳିବା ପ୍ରତିବାଦରେ ଗତକାଲି ଏରସମାରେ ବନ୍ଦ ପାଳନ ସହ ରାସ୍ତାରୋକ କରାଯାଇଥିଲା। ଦଶହରାରେ ଯେଉଁ ସ୍ଥାନରେ କାର‌୍ୟ୍ୟକ୍ରମ ପାଇଁ ଦାମଙ୍କୁ ଅନୁମତି ମିଳି ନଥିଲା, ଗତକାଲି ଉକ୍ତ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେବାକୁ ଥିବାରୁ ଦାମଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ। ଶହେ ଘରିଆ କମିଟି ପକ୍ଷରୁ ଏରସମା ବନ୍ଦ ଡାକରା ଦିଆଯିବା ସହ ଦାମଙ୍କ ସମର୍ଥକମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଏରସମାରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅନୁଭବ ମହାନ୍ତି ଏକ ଖୋଲା ଜିପରେ ମେଡିକାଲ ଛକରୁ ସଭାସ୍ଥଳକୁ ଶୋଭାଯାତ୍ରାରେ ଯାଉଥିବା ବେଳେ ସେମାନଙ୍କ ଉପରକୁ ଏକ ଅନ୍ଧାରିଆ ସ୍ଥାନରୁ ବାଲି ଓ ଅଣ୍ଡା ମାଡ଼ ହୋଇଥିଲା। ଯଦିଓ ସେମାନଙ୍କ ଦେହରେ ତାହା ବାଜି ନଥିଲା, ଅଣ୍ଡା ଗାଡ଼ିରେ ପଡିବା ସହ ପିଏସଓଙ୍କ ଦେହରେ ବାଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୃଦୁ ଲାଠି ଚାଳନା କରିଥିଲା। କାର୍ଯ୍ୟକ୍ରମ ରାତି ୯ଟାରେ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।