କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ : ଜୁଏଲ୍ କହିଲେ, ଆଦିବାସୀ ବିରୋଧୀ ମନୋଭାବର ମିଳିଲା ପରିଚୟ

37

କନକ ବ୍ୟୁରୋ : ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ହୋଇଛି ଅଣ୍ଡାମାଡ଼ । ଏଥର ବିରୋଧୀଙ୍କ ରୋଷର ଶିକାର ହୋଇଛନ୍ତି ଖୋଦ୍ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ । ମୋଦି ସରକାରଙ୍କ ୩ ବର୍ଷର ଅନୁଭୂତି ବାଂଟିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଯାଇଥିବା ବେଳେ ଆଜି ବିରୋଧୀ କଂଗ୍ରେସ ଏବଂ ବିଜେଡି, ଜୁଏଲଙ୍କୁ ବିରୋଧ କରିଛନ୍ତି । ମନ୍ତ୍ରୀଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ସହ କଳାପ୍ରଦର୍ଶନ ହୋଇଛି ।

ମୋଦି ସରକାରଙ୍କ ୩ ବର୍ଷର ଅନୁଭୂତି ବାଂଟିବାର ଉଦ୍ୟମ ଆଜି ମହଙ୍ଗା ପଡ଼ିଛି କେନ୍ଦ୍ରମନ୍ତ୍ରୀଙ୍କୁ । ଆଳି ବିଚ୍ ବଜାର ଉପରେ ଜୁଏଲ ଓରାମଙ୍କୁ ହେବାକୁ ପଡିଛି ହଟହଟା । ମନ୍ତ୍ରୀଙ୍କ ଗାଡ଼ି ଉପରେ ହୋଇଛି ଅଣ୍ଡାମାଡ଼, ପ୍ରଦର୍ଶନ ହୋଇଛି କଳାପତାକା । ମନ୍ତ୍ରୀ ଠିକ୍ ଆଳି ବଜାର ନିକଟରେ ପହଂଚିବା ବେଳେ ଆରମ୍ଭ ହୋଇଯାଇଥିଲା କେନ୍ଦ୍ର ବିରୋଧୀ ନାରା । ରୁଣ୍ଡ ହୋଇଥିବା କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି କଳାପତାକା ପ୍ରଦର୍ଶନ କରିଥିବା ବେଳେ ବିଜେଡି କର୍ମୀ ଅଣ୍ଡା ମାଡ଼ କରିଥିବାର ଅଭିଯୋଗ ହୋଇଛି । ଘଟଣାକୁ ନିନ୍ଦା କରିବା ସହ ଆଦିବାସୀ ନେତାଙ୍କ ପ୍ରତି ଏହା ବିରୋଧୀଙ୍କ ରୁଗଣ୍ ମାନସିକତା ବୋଲି କହିଛନ୍ତି ଜୁଏଲ ।

ବିରୋଧୀଙ୍କ ଏହି ଷଡଯନ୍ତ୍ରର ରାଜନୈତିକ ଜବାବ୍ ଦିଆଯିବ ବୋଲି ଜୁଏଲ କହିଥିବା ବେଳେ ପୁରା ଘଟଣାକୁ ସୁରକ୍ଷାରେ ଅବହେଳା ବୋଲି ଅଭିହିତ କରିଛନ୍ତି । ଯାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଫେରାଦ ହେବେ ।

ନିକଟରେ ଏହି କେନ୍ଦ୍ରାପଡ଼ା ଜିଲ୍ଲାରେ ଅଣ୍ଡାମାଡ଼ର ଶିକାର ହୋଇଥିବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ଏହି ଘଟଣା ଉପରେ ଟ୍ୱିଟ୍ କରି ଲେଖିଛନ୍ତି- ଅଣଆଦିବାସୀ ନେତା ହୋଇଥିଲେ ବି ପଥର, ଅଣ୍ଡା କିମ୍ବା ଜୋତା ଫିଙ୍ଗିବା ଗ୍ରହଣୀୟ ନୁହେଁ । ପ୍ରତିବାଦ କରିବାର ଅନେକ ଗ୍ରହଣୀୟ ବାଟ ରହିଛି । ଏସବୁ ଭିତରେ କିନ୍ତୁ ମନ୍ତ୍ରୀ ଦାମୋଦର ରାଉତଙ୍କ ବୟାନ୍-ଏହି ଅଣ୍ଡା ମାଡ଼ ଘଟଣାକୁ ଆହୁରି ଗୋଳମାଳିଆ କରିଦେଇଛି । ଯେଉଁଥିରେ ମନ୍ତ୍ରୀ କହିଛନ୍ତି-ଅସନ୍ତୁଷ୍ଟ ବିଜେପି କର୍ମୀ ହିଁ ଜୁଏଲଙ୍କ ଉପରେ ଅଣ୍ଡା ପକାଇଛନ୍ତି । ଦଳ ଭିତରେ ବିଜୟଙ୍କୁ ଅଣଦେଖା କରାଯାଉଥିବାର ଏହା ହେଉଛି ପ୍ରତିଫଳନ । ଆଉ ଏପଟେ ବିଜେପିର ନିଆଁରେ ଘିଅ ଢ଼ାଲିଛି କଂଗ୍ରେସ । ତାରା ବାହୀନିପତି କହିଛନ୍ତି-ଏହି ଘଟଣାରୁ ହିଁ ବୁଝି ହେଉଛି ତାଙ୍କର ଲୋକପ୍ରିୟତା କେତେ?

ଦେଖନ୍ତୁ ଏହି ଭିଡିଓ –