ଦୁର୍ଘଟଣାକୁ ବିତିଲାଣି ୪ଦିନ, ହଟୁନି ପଥର ମିଳୁନି ଜେସିବି ଅପରେଟରଙ୍କ ପତା: ଏନଡିଆରଏଫ ହାତ ଟେକିଦେବା ପରେ ଆସିଲା ବଡ ବଡ ମେସିନ
କନକ ବ୍ୟୁରୋ: ୪ଦିନ ବିତିଲା, ହେଲେ ପଥର ତଳେ ଚପିହୋଇ ରହିଥିବା ଦୁଇଜଣ ଅପରେଟରଙ୍କ ପତା ମିଳୁନାହିଁ । ଆଉ ଏହାରି ଭିତରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ ଟିମ୍ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ୫୦ରୁ ୧୦୦ ଟନ୍ ପର୍ଯ୍ୟନ୍ତ ଆକାରର ବଡ ବଡ ପଥର ହଟାଇ ଅପରେଟରଙ୍କ ସନ୍ଧାନ କରିବାକୁ ହେଲେ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ଏନଡିଆରଏଫ ଏବଂ ଓଡ୍ରାଫର ଅକ୍ଷମତା ପରେ ଜରୁରୀ ବୈଠକ କରିଥିଲେ ଜିଲ୍ଲାପାଳ । ଯେଉଁଠି ନିଷ୍ପତି ହୋଇଛି ଯେ..
Kanak News is now on WhatsApp
Join and get latest news updates delivered to you via WhatsApp
– ପାଖରେ ଚାଲିଥିବା ତେଲିଙ୍ଗିରି ପ୍ରକଳ୍ପରୁ ଏକ ବଡ ପ୍ରୋକଲିନ ମେସିନ ଅଣାଯିିବ
– ସେହିପରି ସ୍ପିଲୱେ କାମ କରୁଥିବା ଠିକା କମ୍ପାନି ଡିଡି ବିଲଡର୍ସ ଏକ ମେସିନ ଦେବ
କୋରାପୁଟ ଜିଲ୍ଲା ବୋରିଗୁମ୍ମାର ଏହି ରାଣୀଗଡ ଅଂଚଳରେ ପଥର ଖସିବାର ୭୨ ଘଂଟା ବିତିଲାଣି ହେଲେ ପ୍ରଶାସନର ଉଦ୍ଧାର କାର୍ଯ୍ୟକୁ ନଜର ପକାଇଲେ ଉଦାସୀନତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତେବେ ଏସଂପର୍କରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଜେସିବି ଅପରେଟରଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ, ପ୍ରଶାସନର ଆକଳନ କେତେ ତ୍ରୁଟିପୂର୍ଣ୍ଣ । ଏତେ ବଡବଡ ପଥର ଖଣ୍ଡକୁ କିଭଳି ହଟାଯିବ ସେନେଇ ଯୋଜନା କରିବାରେ ପ୍ରଶାସନ ବିଫଳ ହେବାରୁ ଏତେଦିନ ବିତିଗଲାଣି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ..
– ଅପରେଟରମାନଙ୍କୁ ଏଭଳି ବିପଦସଂକୂଳ ଅବସ୍ଥାରେ କାମ କରିବାକୁ କାହିଁକି କୁହାଗଲା?
– ପଥର ଫଟାଇବାକୁ ଆବଶ୍ୟକ ଅନୁମତି ଥିଲା ନା ବେଆଇନ ଭାବେ କାମ ଚାଲିଥିଲା?
– ୩୧ ତାରିଖରେ ଦୁର୍ଘଟଣା ଘଟିଥିଲେ ବି ଯୋଜନାବଦ୍ଧ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲାନାହିଁ କାହିଁକି?
ଉଲ୍ଲେଖ ଥାଉ କି, ୪ଦିନ ପରେ ବି ଉଦ୍ଧାର ହୋଇ ପାରୁ ନାହାନ୍ତି ପଥର ତଳେ ଚାପି ହୋଇ ରଥିବା ୨ ଜଣ ବ୍ୟକ୍ତି । ବଡ ବଡ ପଥର ହଟାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି ଉଦ୍ଧାରକାରୀ ଦଳ । କୋରାପୁଟ ଜିଲ୍ଲା ବୋରିଗୁମ୍ମାର ରାଣୀଗଡ ଅଂଚଳରେ ପଥର ଖସିବା ପରେ ପ୍ରଶାସନର ଉଦ୍ଧାର କାର୍ଯ୍ୟକୁ ଦେଖିଲେ ଉଦାସୀନତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଅନ୍ୟପଟେ ବର୍ଷା ଯୋଗୁଁ ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି ।