ସବସିଡି ରାଶି କମାଅ

28

କନକ ବ୍ୟୁରୋ: ଭାରତୀୟ ଅର୍ଥନୀତିର ୩ଟି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବା ଲାଗି ଅନତର୍ଜାତୀୟ ମୁଦ୍ରାପାଣ୍ଠି ସରକାରଙ୍କୁ ପରାମର୍ଶ ଦେଇଛି । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା କର୍ପୋରେଟ ଏବଂ ବ୍ୟାଙ୍କ କ୍ଷେତ୍ରର ଦୁର୍ବଳତାକୁ ସୁଧାରିବା । ଦ୍ୱିତୀୟଟି ହେଲା ରାଜସ୍ୱ କ୍ଷେତ୍ରରେ ଅଧିକରୁ ଅଧିକ ପଦକ୍ଷେପ ନେଇ ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ଏବଂ ତୃତୀୟଟି ହେଲା ଶ୍ରମ ଓ ଉତ୍ପାଦ ବଜାରର ଦକ୍ଷତାରେ ଉନ୍ନତି ଆଣିବା । ଆଇଏମଏଫର ଏସିଆ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ପାଇଁ ନିଯୁକ୍ତ ଉପ ନିର୍ଦ୍ଦେଶକ କେନିଥ୍ କାଙ୍ଗ୍ କହିଛନ୍ତି, ଏସିଆର ଅର୍ଥନୈତିକ ପରିଦୃଶ ଭଲ ରହିଛି । ତେଣୁ ଜଟିଳ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଯୋଗ ରହିଛି ବୋଲି ସେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କାଙ୍ଗ୍ କହିଛନ୍ତି, ଢାଞ୍ଚାଗତ ସୁଧାର ପ୍ରସଙ୍ଗରେ ଭାରତ ଉପରୋକ୍ତ ୩ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ । ପ୍ରଥମତଃ କର୍ପୋରେଟ ଏବଂ ବ୍ୟାଙ୍କ କ୍ଷେତ୍ରର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ସମସ୍ୟା ବଢ଼ିଯାଇଛି । ଏ ବାବଦରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଋଣ ପରିଶୋଧ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ହେବ। ଏଥିସହିତ ସରକାରୀ ବ୍ୟାଙ୍କ ଗୁଡ଼ିକୁ ଅଧିକ ପୁଞ୍ଜି ଯୋଗାଇ ଦେବାର ଆବଶ୍ୟକତା ମଧ୍ୟ ରହିଛି । ଦ୍ୱିତୀୟ ବିଷୟଟି ହେଲା ବିଭିନ୍ନ ପ୍ରକାର ରାଜସ୍ୱ ପଦକ୍ଷେପ ଗ୍ରହଣ କରି ଭାରତ ଏହାର ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ଉଚିତ । ଏଥିରେ ସରକାରଙ୍କୁ ସବସିଡି ରାଶି ଆହୁରି କମାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଭିତ୍ତିଭୂମି ବିକାଶରେ ଯେଉଁସବୁ ଅସୁବିଧା ରହିଛି ତାହାକୁ ଦୂର କରିବା ଲାଗି ମଧ୍ୟ କୁହାଯାଇଛି । ଏଥିରେ ଶ୍ରମ ଏବଂ ଉତ୍ପାଦ ବଜାରରେ ଦକ୍ଷତା ବୃଦ୍ଧି ଲାଗି ପରାମର୍ଶ ଦିଆଯାଇଛି । ସେହିଭଳି କୃଷି କ୍ଷେତ୍ରରେ ମଧ୍ୟ ସଂସ୍କାରକୁ ବ୍ୟାପକ କରିବାକୁ କୁହାଯାଇଛି ।

ଶ୍ରମ ବଜାରରେ ସଂସ୍କାର ଆଣିବା ପାଇଁ ବଜାର ନିୟାମକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କୁହାଯାଇଛି । ଏହାହେଲେ ନିବେଶ ଏବଂ ନିଯୁକ୍ତି ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ । ଦେଶରେ ଶ୍ରମ ଆଇନ ସଂଖ୍ୟାକୁ ହ୍ରାସ କରିବାକୁ ମଧ୍ୟ କୁହାଯାଇଛି । ଏବେ ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସ୍ତରରେ ପ୍ରାୟ ୨୫୦ଟି ଶ୍ରମ ଆଇନ ରହିଛି । ଏଥିସହିତ ଭାରତରେ ରହିଥିବା ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ମହିଳାଙ୍କ ପାଇଁ ଦେଶରେ ନିଯୁକ୍ତି ସୁଯୋଗ ଦେଖାଦେବ ବୋଲି ଆଇଏମଏଫ୍ କହିଛି ।