ଧର୍ମେନ୍ଦ୍ର-ଜୁଏଲଙ୍କ ପ୍ରଦର୍ଶନ ମାପିବେ ମୋଦି ! ଜାଣନ୍ତୁ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ନା ଓଡିିଶା ଫେରିବେ ଏହି ଦୁଇ ଓଡିଆ ମନ୍ତ୍ରୀ

46

କନକ ବ୍ୟୁରୋ : ବଦଳିବ ମୋଦିଙ୍କ କ୍ୟାବିନେଟ । ସାରା ଦେଶରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଆସନ୍ତା ବର୍ଷ ଶେଷ ଆଡକୁ ସାଧାରଣ ନିର୍ବାଚନ ନେଇ ସରକାର ଚିନ୍ତା କରୁଥିବା ବେଳେ ସେପ୍ଟେମ୍ବର ୨ ପୂର୍ବରୁ କ୍ୟାବିନେଟର ସଂପ୍ରସାରଣ କରିବାକୁ ମୋଦି ଚିନ୍ତା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜାତୀୟ ରାଜନୀତି ଉପରେ ପ୍ରଭାବ ରଖିବାକୁ ଥିବା ଏହି ସଂପ୍ରସାରଣର ପ୍ରଭାବ ଓଡିଶା ରାଜନୀତି ଉପରେ ମଧ୍ୟ ରହିବ ।

ମୋଦି କ୍ୟାବିନେଟରେ ରହିଛନ୍ତି ଓଡିଶାରୁ ଦୁଇ ଜଣ ମନ୍ତ୍ରୀ । ଆଦିବାସୀ ବ୍ୟାପାର ବିଭାଗର ମନ୍ତ୍ରୀ ରହିଛନ୍ତି ଜୁଏଲ ଓରାମ । ୨୦୧୪ ଲୋକସଭାରେ ଓଡିଶାରୁ ଜଣେ ବିଜେପି ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇ ଜୁଏଲ କ୍ୟାବିନେଟ ରାଙ୍କରେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବିହାରରୁ ରାଜ୍ୟସଭାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ସମ୍ଭାଳୁଛନ୍ତି ପେଟ୍ରୋଲିୟମ ବିଭାଗ । ରାଙ୍କ ସିନା ରାଷ୍ଟ୍ରମନ୍ତ୍ରୀର ହେଲେ ପାହ୍ୟା ସ୍ୱାଧୀନ । ଆଗାମୀ ସଂପ୍ରସାରଣରେ ଏହି ଦୁଇ ମନ୍ତ୍ରୀଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ କରି ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିବ ନା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇ ସଂଗଠନ କାମରେ ଲଗାଯିବ ତାକୁ ନେଇ ରାଜନୀତିର ପାଣିପାଗ ସରଗରମ ହୋଇଛି ।

ଯଦିଓ ନିଜ ବିଭାଗରେ ଜୁଏଲ ଆଖିଦୃଶିଆ କାମ କରିଛନ୍ତି ତଥାପି ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅର୍ଥାତ୍ ଆଦିବାସୀ ଜନଜାତିଙ୍କ ପାଇଁ ପ୍ରୋ ଆକ୍ଟିଭ ରୋଲକୁ ଆସିପାରିନାହାନ୍ତି ଜୁଏଲ । ତଥାପି ବାଜପାୟୀଙ୍କ ଅମଳରେ ପ୍ରଥମ ଥର ପାଇଁ ଗଠିତ ହୋଇଥିବା ଏହି ମନ୍ତ୍ରାଳୟରେ ଜୁଏଲଙ୍କ ଦବଦବା ରହିଛି । ଓଡିଶାରୁ ଏକମାତ୍ର ସାଂସଦ ଭାବେ ଜିତିଥିବାରୁ ତାଙ୍କ ବାବଦରେ ମୋଦି କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ।

ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ଚେହେରା । ଆଗାମୀ ନିର୍ବାଚନ ପାଇଁ ସେ ଓଡିଶାରେ ବିଜେପିର ମଙ୍ଗ ଧରିବେ । ତେବେ କଥା ହେଉଛି ଆସନ୍ତାବର୍ଷ ସରୁଛି ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ । ପେଟ୍ରୋଲିୟମ ମନ୍ତ୍ରୀ ଭାବେ ମୋଦି ସରକାରଙ୍କୁ ବେଶ ଲୋକପ୍ରିୟ କରାଇପାରିଛନ୍ତି ଏହି ଓଡିଆ ନେତା । ଖାସ କରି ଉଜ୍ଜ୍ୱଳା ଯୋଜନାରେ ଗରୀବ ମହିଳାଙ୍କ ଘରେ ଗ୍ୟାସ ପହଂଚାଇବା ଥିଲା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧି, ଯାହାକୁ ସଫଳତାର ସହ ରୁପାୟନ କରିଥିଲେ ଧର୍ମେନ୍ଦ୍ର । ତେଣୁ ଉଭୟ ମୋଦି ଓ ଅମିତ ଶାହାଙ୍କ ବେଶ ବିଶ୍ୱସ୍ତ ଧର୍ମେନ୍ଦ୍ର । ସେହିଭଳି ପେଟ୍ରୋଲିୟମ କ୍ଷେତ୍ରରେ ପାରଦର୍ଶିତା ଆଣି ମଧ୍ୟ ଜାତୀୟ ସ୍ତରରେ ବେଶ କାଟତି ହାସଲ କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ ।

ତେବେ ବଡ କଥା ହେଉଛି, ମିଶନ ୩୫୦କୁ ନେଇ କାମ କରୁଥିବା ଅମିତ ଶାହା ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଭୁମିକା ଦେବେ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇ ସଂଗଠନ କାମରେ ଲଗାଇବାକୁ ଚିନ୍ତା କରୁଛନ୍ତି ବିଜେପିର ଚାଣକ୍ୟ । ସେ ଦୃଷ୍ଟିରୁ ହୁଏତ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯାଇପାରେ । କାରଣ ମିଶନ ୩୫୦ ନେଇ ଯେଉଁଦିନ ବିଜେପି ମୁଖ୍ୟାଳୟରେ ଅମିତ ଶାହା ବୈଠକ କରିଥିଲେ, ସେଥିରେ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ । ସେ ଦୃଷ୍ଟିରୁ ଏହି ଅନୁମାନ କରାଯାଉଛି । ତେବେ ଏହା କେବଳ ଏକ ଚର୍ଚ୍ଚାରେ ସୀମିତ ରହିଛି ।

ବରିଷ୍ଠ ସାମ୍ବାଦିକ ରବି ଦାଶ କହିଛନ୍ତି, ଯେହେତୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅନେକ ଗୁଡିଏ ପଦବୀ ଖାଲି ପଡିଛି ତେଣୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର ସମ୍ଭାବନା ଅଧିକ । କିନ୍ତୁ ବର୍ତ୍ତମାନର ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶରୁ ସ୍ଥାନ ପାଇଥିବା କିଛି ମନ୍ତ୍ରୀଙ୍କୁ ବିଦା ହେବାକୁ ପଡିପାରେ । କାରଣ ସେମାନଙ୍କର ପ୍ରଦର୍ଶନ ଏତେ ଭଲ ନାହିଁ । ତେଣୁ ସୋମନଙ୍କର ସ୍ଥାନରେ ଆଉ କିଛି ନୂଆ ମୁହଁଙ୍କୁ ଦେଖିବାକୁ ମିଳିପାରେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ବିଭାଗର କ୍ୟାବିନେଟ ପାହ୍ୟା ମିଳିପାରେ । କିନ୍ତୁ ଜୁଏଲ ଓରାମଙ୍କ ବିଭାଗରେ ଏତେ ଆଖିଦୃଶିଆ କାର୍ଯ୍ୟ ହେଉ ନଥିବାରୁ ତାଙ୍କ ବିଭାଗରେ ପରିବର୍ତ୍ତନ କରାଯାଇପାରେ ବୋଲି ସେ କହିଛନ୍ତି ।

ତେବେ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ନ ପାଇବ ତାହା ପ୍ରଧାନମନ୍ତ୍ରୀ ନିଜେ ସ୍ଥିର କରିବେ । ଭାରତକୁ ବିକାଶ ଦିଗରେ ଆଗକୁ ନେବା ପାଇଁ ମୋଦି ଯାହାକୁ ନେବା ପାଇଁ ବିଚାର କରିବେ ସେଥିରେ ଆମର କିଛି କହିବାର ନାହିଁ । ଉଭୟ ଧର୍ମେନ୍ଦ୍ର ଓ ଜୁଏଲ ନିଜ ନିଜ ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଯାହା ନିଷ୍ପତି ନେବେ ତାହାକୁ ଆମେ ସ୍ୱାଗତ କରିବୁ ।

ସେପଟେ ବିଜେଡି ମୁଖପାତ୍ର ସମୀର ଦାସ ଏହାକୁ ବିଜେପିର ଦଳୀୟ ବ୍ୟାପାର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କାହାକୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବେ ତାହା ସେ ନିଜେ ସ୍ଥିର କରିବ । ଏନେଇ ବିଜେଡି ବିଶେଷ କିଛି କହିବାର ନାହିଁ ବୋଲି ସମୀର କହିଛନ୍ତି ।

ମନ୍ତ୍ରୀମଣ୍ଡର ଏହି ଅଦଳବଦଳ ଓଡିଶା ଉପରେ ପ୍ରଭାବ ରଖିବ । କାରଣ, ଧର୍ମେନ୍ଦ୍ରଙ୍କୁ ଯଦି ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯିବ ତେବେ ହୁଏତ ରାଜ୍ୟରେ ବିଜେପିର ସାଂସଗଠନିକ ସ୍ଥିତି ଓ ବିଜେଡିର ମୁକାବିଲା କରିବାକୁ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କାରଣ ଏଠି ମୁଖ୍ୟମନ୍ତ୍ରୀଙ୍କୁ ବରାବର୍ ଟକ୍କର ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି ।

ଅନୁମାନ କରାଯାଉଛି, ୨୦୧୯ ପାଇଁ ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଚେହେରା ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଘୋଷଣା କରିପାରେ । ଆଉ ଏହାହେଲେ ସଂଗଠନ ଉପରେ ଅଧିକ ଧ୍ୟାନ ଦେବାକୁ ଧର୍ମେନ୍ଦ୍ରଙ୍କୁ ଓଡିିଶା ପଠାଇପାନ୍ତି ଶାହା । ନଚେତ କ୍ୟାବିନେଟ ରାଙ୍କ ଦେଇ ଆହୁରି ଶକ୍ତିଶାଳୀ କରିବା ସହ ନବୀନଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କ ଜରିଆରେ ପ୍ରାଚୀର ତିଆରି କରିବାକୁ ରଣନୀତି କରିବେ ଅମିତ । କାରଣ ଓଡିଶାରେ ୧୨୦ ଟାର୍ଗେଟ ଧରି କାମ କରୁଛନ୍ତି ଅମିତ ଶାହା ।

ଉଭୟ ମୋଦି ଏବଂ ଶାହା ବିଜେପି ଶାସିତ ରାଜ୍ୟର ମୂଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି । ତେଣୁ ଖୁବଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିପାରେ । ଏହାରି ଭିତରେ ନଜର ଜୁଏଲ ଓ ଧର୍ମେନ୍ଦ୍ରଙ୍କ ବାବଦରେ ମୋଦିଙ୍କ ନିଷ୍ପତି କଣ ହେଉଛି ।