ମୋଦିଙ୍କ ଠାରୁ ଆରମ୍ଭ କରି ସ୍ମୃତି ଇରାନୀଙ୍କ ପର୍ଯ୍ୟନ୍ତ ! ଜାଣନ୍ତୁ, କେତେ ପାଠ ପଢିଛନ୍ତି ବିଜେପିର ହେଭିୱେଟ ନେତା

107

୩୮ ବର୍ଷରେ ପାଦ ଦେଇ ସାରିଛି ଭାରତୀୟ ଜନତା ପାର୍ଟି(ବିଜେପି) । ୩୮ ବର୍ଷରେ ଅନେକ ଉତଥାନ ଓ ପତନ ଦେଇ ଗତି କରିଥିବା ବିଜେପି ଦଳ ଏବେ ଦେଶରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଅନେକ ହେଭିୱେଟ ନେତାଙ୍କୁ ଏହି ଦଳ ଗଢିଛି । ଯେଉଁମାନେ ପରବର୍ତ୍ତୀ ସମୟରେ ଭାରତରେ ଶାସନର ମଙ୍ଗ ଧରିଛନ୍ତି । ଏଭଳି କିଛି ନେତା ଯେଉଁମାନେ ପୂରା ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ।ଆଉ ସେହିଭଳି ନେତାଙ୍କ ପାଇଁ ଆଜି ଦେଶରେ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ତେବେ ରାଜନୀତିରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିବା ଅଧିକାଂଶ ବିଜେପି ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ନରେନ୍ଦ୍ର ମୋଦି : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବଡନଗରରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ପାଠ ପଢିବା ସମୟରେ ମୋଦିଙ୍କର ବକ୍ତୃତା ଓ ଥିଏଟର ପ୍ରତି ବେଶ ଦୁର୍ବଳତା ରହିଥିଲା । ୧୯୭୮ ମସିହାରେ ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଷ୍ଟାନ୍ସ ଏଜୁକେସନରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ଶେଷ କରିଥିଲେ । ପରେ ୫ ବର୍ଷ ପରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୨ ମସିହାରେ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ଅମିତ ଶାହା : ବିଜେପି ଅଧ୍ୟକ୍ଷ ତଥା ନରେନ୍ଦ୍ର ମୋଦିଙ୍କ ଡାହାଣ ହାତ କୁହାଯାଉଥିବା ଅମିତ ଶାହାଙ୍କୁ କିଏ ବା ନ ଜାଣେ । ରାଜନୀତିରେ ଜଣେ ପୋଖତ ଖେଳାଳି ଅମିତ ଜଣାଶୁଣା । କିନ୍ତୁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ରାଜନୀତିରେ ଆସିବା ପୂର୍ବରୁ ବ୍ୟାଙ୍କରେ କାମ କରୁଥିଲେ ।ମେହସଣାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଅହମ୍ମଦାବାଦର ସିୟୁ ଶାହା ସାଇନ୍ସ କଲେଜରେ ବାୟୋ କେମେଷ୍ଟ୍ରିରେ ଆଡମିଶନ ନେଇଥିଲେ । ଏହାପରେ ଏଠାରୁ ବିଏସସିରେ ଡିଗ୍ରୀ ହାସଲ କରିବା ପରେ ଅମିତ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ଅହମ୍ମଦାବାଦ କୋ-ଅପରେଟିଭ ବ୍ୟାଙ୍କରେ କିଛି ଦିନ ଚାକିରି କରିବା ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ଅମିତ ଶାହା ।

ଯୋଗୀ ଆଦିତ୍ୟନାଥ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପାଠ ପଢାକୁ ନେଇ ବେଶ ସଚେତନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ଠଙ୍ଗର ବିଦ୍ୟାଳୟରେ ସମାପ୍ତ ହୋଇ୍ଥିଲା । ଏହାପରେ ଉଚ୍ଚଶିକ୍ଷା ପାଇଁ ଗଙ୍ଗବାଲ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ ଯୋଗୀ । ଏଠାରେ ଗଣିତ ବିଷୟରେ ବିଏସସିରେ ଡିଗ୍ରୀ ହାସଲ କରିଥିଲେ ଆଦିତ୍ୟନାଥ । ତେବେ କଲେଜରେ ପଢିବା ସମୟରେ ତାଙ୍କୁ ଅଜୟ ସିଂହ ବିଷ୍ଟ ନାମରେ ସମସ୍ତେ ଜାଣିଥିଲେ । କଲେଜ ପଢିବା ସମୟରେ ଅଜୟ ଭଲ ବକ୍ତୃତା ଦେଉଥିଲେ । ତାଙ୍କର ଭାଷଣ ଏତେ ପ୍ରଭାବୀ ଥିଲା ଯେ, କୌଣସି ବ୍ୟକ୍ତିଙ୍କୁ ନିଜ ଭାଷଣ ମାଧ୍ୟମରେ ଆକୃଷ୍ଟ କରିପାରୁଥିଲେ ଯୋଗୀ ।

ଅରୁଣ ଜେଟଲୀ : ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବିଜେପିରେ ଅନ୍ୟ ରାଜନେତା ମାନଙ୍କ ଠାରୁ ଶିକ୍ଷା କ୍ଷେତ୍ରରେ ବେଶ ଆଗୁଆ ।ରାଜନୀତି ଛଡା ଅରୁଣ ଜେଟଲୀ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲ ମଧ୍ୟ । ସେଣ୍ଟ ଜାଭିୟର୍ସ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କର୍ମସରୁ ଗ୍ରାଜୁଏଟ ହେବା ପରେ ୧୯୭୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି । କଲେଜ ସମୟରେ ଜେଟଲୀ ଛାତ୍ର ସଂସଦର ସଭାପତି ମଧ୍ୟ ରହିଥିଲେ । କଲେଜ ଶିକ୍ଷା ସମାପ୍ତ ହେବା ପରେ ଜେଟଲୀ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ ।

ସୁଷମା ସ୍ୱରାଜ : ବିଜେପି ସରକାରରେ ଏବେ ବୈଦଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ରାଜନୀତିକୁ ଆସିବା ପୂର୍ବରୁ ଲ’ ପାଠ ପଢା ଶେଷ କରିଥିଲେ । ଏପରିକି ସୁପ୍ରିମକୋର୍ଟରେ ଓକିଲ ଭାବେ ପ୍ରାକ୍ଟିସ ମଧ୍ୟ କରୁଥିଲେ । ଅମ୍ବଲାର ଏସଡି କଲେଜରୁ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ବିଏ ଡିଗ୍ରୀ ହାସଲ କରିଥିଲେ । ଆଉ ଏହାପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଶିକ୍ଷା ଶେଷ କରିଛନ୍ତି । କଲେଜରେ ପଢିବା ସମୟରେ ହିଁ ହରିୟାଣା ଭାଷା ବିଭାଗ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ହିନ୍ଦୀ ବକ୍ତା ଭାବେ ଲଗାତାର ତିନି ବର୍ଷ ବିଜୟୀ ହୋଇଥିଲେ ।

ସ୍ମୃତି ଇରାନୀ : ଅଭିନୟ ଦୁନିଆରୁ ରାଜନୀତିକୁ ଏଣ୍ଟ୍ରି କରିଥିବା କିଛି ସଫଳ ରାଜନେତାଙ୍କ ମଧ୍ୟରେ ସ୍ମୃତି ଇରାନୀ ଜଣେ । ଅଭିନୟରେ ସ୍ମୃତି ଯେତିକି ସଫଳତା ହାସଲ କରିଛନ୍ତି ରାଜନୀତିରେ ମଧ୍ୟ ତା ଠାରୁ ଅଧିକ ସଫଳତା ପାଇଛନ୍ତି । ଦିଲ୍ଲୀର ହୋଲି ଚାଇଲ୍ଡ ଅକ୍ସିଲିୟମ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ । ତେବେ ୨୦୧୧ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସ୍ମୃତି ଇରାନୀ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.କମ ପ୍ରଥମ ବର୍ଷ ବୋଲି ଦର୍ଶାଇଥିଲେ । ସେତେବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଜୋର ଧରିଥିଲା ବିବାଦ ।