ଶିକ୍ଷା ଅଧିକାରରୁ ବଂଚିତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ଛାତ୍ରଛାତ୍ରୀ ! ପଂଚମ ପାଠପଢା ପରେ ବହିବସ୍ତାନୀରେ ଡୋରି

49

କନକ ବ୍ୟୁରୋ : ମାଓ ସମସ୍ୟାରେ ଘାଂଟି ହେଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଫେଲ ମାରିଛି ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନା । ଜାତିଗତ ପ୍ରମାଣ ପତ୍ର ନପାଇ ଶିକ୍ଷା ଅଧିକାରରୁ ବଂଚିତ ହୋଉଛନ୍ତି ବୁଡି ଅଂଚଳର ଛାତ୍ରଛାତ୍ରୀ । ତହସିଲ କାର୍ଯ୍ୟାଳୟ ଦୌଡି ଦୌଡି ଅଭିଭାବକମାନେ ନୟାନ୍ତ ହେଉଥିବା ଅଭିଯୋଗ ହୋଇଛି । ଆଦିବାସୀଙ୍କୁ ତୁରୁନ୍ତ ଜାତି ପ୍ରମାଣ ପତ୍ର ଯୋଗାଇ ଦିଆନଗଲେ ଆନ୍ଦୋଳନର ଧମକ ଦେଇଛି କଂଗ୍ରେସ ଦଳ ।

ବିଚ୍ଛିନ୍ନାଂଚଳରେ ଫେଲ ମାରିଛି ସରକାରୀ ଯୋଜନା । ଜାତିଗତ ପ୍ରମାଣ ପତ୍ର ନପାଇ ଶିକ୍ଷା ଅଧିକାରରୁ ବଂଚିତ ବାଲିମେଳା ଜଳଭଣ୍ଡାର ଘେରରେ ଥିବା ଛାତ୍ରଛାତ୍ରୀ । ଆବାସିକ ବିଦ୍ୟାଳୟରେ ପଢିବା ପାଇଁ ଜାତିଗତ ପ୍ରମାଣ ପତ୍ର ବାଧ୍ୟତା ମୂଳକ ଥିବା ବେଳେ, ଜାତି ସାର୍ଟିଫିକେଟ ନପାଇ ହଇରାଣ ହରକତ ହାଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଛାତ୍ରଛାତ୍ରୀ । ଅଭିଭାବକମାନେ ତହସିଲ କାର୍ଯ୍ୟାଳୟକୁ ଦୌଡିଦୌଡି ଚପଲ ଝିଡି ଗଲାଣି ହେଲେ ହାତ ଗୁଂଜା ନଦେବାରୁ ସାର୍ଟିଫିକେଟ ମିଳୁ ନଥିବା ଅଭିଯୋଗ ହୋଉଛି । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ, କେବଳ ଚିତ୍ରକୋଣ୍ଡା ବ୍ଲକର ୨୧୭ ପିଲା ଜାତି ପ୍ରମାଣ ପତ୍ର ନପାଇ ପଂଚମ ପରେ ପାଠରେ ଡୋରି ବାନ୍ଧି ଦେଇଛନ୍ତି । ହେଲେ ବାସ୍ତବତା କିନ୍ତୁ ସମୂର୍ଣ୍ଣ ଭିନ୍ନ । ପିଲାମାନେ ନିଜ-ଇଚ୍ଛାରେ ନୁହେଁ କାଷ୍ଟ ସାର୍ଟିଫିକେଟ ନପାଇ ପଢା ଛାଡିଛନ୍ତି ।

ବିଚ୍ଛିନ୍ନାଚଂଳର ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ପ୍ରସଙ୍ଗକୁ ଗୁରୁତର ସହ ନେଇଛି କଂଗ୍ରସ । ଚିତ୍ରକୋଣ୍ଡାର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜାତିଗତ ପ୍ରମାଣ ପତ୍ର ପାଇନଥିବା ବେଳେ ଜିଲ୍ଲାରେ ମୋଟ ୩୦ ହଜାର ପିଲା ଆବାସିକ ଶିକ୍ଷା ବ୍ୟବସ୍ଥାରୁ ବାଦ ପଡିଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ସମସ୍ତ ଡ୍ରପ ଆଉଟ ଛାତ୍ର ଛାତ୍ରୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରଶାସନ ପାଖରେ ଦାବି କରିଛି କଂଗ୍ରେସ । ତହସିଲ କାର୍ଯ୍ୟାଳୟର ଖାମ ଖିଆଲି ନିତି ଯୋଗୁ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଆଦିବାସୀ ପିଲାଙ୍କ ଭାଗ୍ୟ ।