ସମ୍ବାଦ ପରିବାର ଓ କନକ ନ୍ୟୁଜର ଏଜୁକେସନ କନକ୍ଲେଭ୍ : ‘ଉତ୍କର୍ଷ’ରେ ସଫଳତାର ୪ସୂତ୍ରୀ ଫର୍ମୁଲା ଦେଲେ ସୁପର ଥାର୍ଟିର ସୁପର ହିରୋ ଆନନ୍ଦ କୁମାର

107

କନକ ବ୍ୟୁରୋ : ପରୀକ୍ଷାରେ ସଫଳତା ପାଇବେ କେମିତି? ଏହାର ଚାରି ସୂତ୍ରୀ ଫର୍ମୁଲା କହିଛନ୍ତି ଦେଶର ସବୁଠାରୁ ସଫଳତମ ଶିକ୍ଷକ ଆନନ୍ଦ କୁମାର । ଯାହାଙ୍କ ପ୍ରଶିକ୍ଷଣ କେନ୍ଦ୍ରରୁ ଅଧିକାଂଶ ଛାତ୍ରଛାତ୍ରୀ ଆଇଆଇଟି ପ୍ରବେଶିକାରେ ଉତୀର୍ଣ୍ଣ ହୁଅନ୍ତି । କନକ ନ୍ୟୁଜ୍ ଓ ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ଓଡିଶା ଏଜୁକେସନ କନକ୍ଲେଭ- ‘ଉତ୍କର୍ଷ’ରେ ସଫଳତାର ମନ୍ତ୍ର କହିଛନ୍ତି ଏହି ଅସାଧାରଣ ଶିକ୍ଷକ । ଆନନ୍ଦ କୁମାରଙ୍କ ସହ ୨୦୦୪ ଭାରତୀୟ ପ୍ରଶାସନିକ ସେବା ପ୍ରବେଶିକାରେ ଏକ ନମ୍ବର ସ୍ଥାନ ପାଇଥିବା ଓଡିଆ ଝିଅ ରୂପା ମିଶ୍ର ମଧ୍ୟ ସଫଳତା ପାଇବାକୁ ହେଲେ କେଉଁ ପନ୍ଥା ଅବଲମ୍ବନ କରିବାକୁ ସେକଥା କହିଛନ୍ତି । ‘ଉତ୍କର୍ଷ’ କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା, ଯୁକ୍ତ ୨ ଓ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ସଫଳତାର ଶିଖରକୁ ଛୁଇଁ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଛି ।

ମାଟ୍ରିକ ପରୀକ୍ଷା, ଯୁକ୍ତ ୨ ଓ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ସଫଳତାର ଶିଖରକୁ ଛୁଇଁ ଥିବା ଏହି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିବା ପାଇଁ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଓଡିଶା ଏଜୁକେସନ କନକ୍ଲେଭ୍  ୨୦୧୮ରେ ଚର୍ଚ୍ଚାର ବିଷୟ ପାଳଟିଥିଲା ସଫଳତାର ମନ୍ତ୍ର । ପାଟଣାରେ ସୁପର-ଥାର୍ଟି ପ୍ରତିଷ୍ଠା କରି ଆଇଆଇଟି ପରୀକ୍ଷାରେ ନିଜର ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଫଳତାର ସ୍ୱାଦ ଚଖାଇ ପାରୁଥିବା ଏହି ଅସାଧାରଣ ଶିକ୍ଷକ ଆନନ୍ଦ କୁମାର ଆଜି ସଫଳତା ପାଇଁ ୪ଟି ମନ୍ତ୍ର ଦେଇଛନ୍ତି ।

ଆନନ୍ଦ କୁମାରଙ୍କ ସଫଳତା ମନ୍ତ୍ରର ଯଦି ସାରକଥା ବାହାର କରାଯାଏ, ତେବେ କୁହାଯିବ ପରିଶ୍ରମର କୌଣସି ବିକଳ୍ପ ନାହିଁ । ତେବେ ନିଜକୁ ଆଗ ଚିହ୍ନିବାକୁ ପଡିବ, ଏବଂ ବୃତ୍ତି ଓ ପ୍ରବୃତିର ମିଳନ ହିଁ ସଫଳତା ପାଇଁ ବାଟ କଢାଇ ନେବ । ଏହା କହିଥିଲେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

ସମ୍ବାଦ ପରିବାର ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଏହି ଏଜୁକେସନ କନକ୍ଲେଭ୍ ‘ଉତ୍କର୍ଷ’ କାର୍ଯ୍ୟକ୍ରମର ଆରମ୍ଭରୁ ୨୦୦୪ ଭାରତୀୟ ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡିଶାର ନାଁ ରଖିଥିବା ରୂପା ମିଶ୍ର ଉତ୍ତର ରଖିଥିଲେ, ସଫଳତା ପାଇଁ କଠିନ ପରିଶ୍ରମ ଅଧିକ ଆବଶ୍ୟକ ନା ମେଧା ।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠେ, ପ୍ରତିଯୋଗୀତା ବଢିବା ସହ ସୃଜନଶୀଳତା କମିଯାଉଛି କି? ସାଇ ଇଂଟନ୍ୟାସନାଲ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁ, ସିଭି ରମଣ ଇଂଜିନିଅରିଂ କଲେଜର ପ୍ରତିଷ୍ଠାତା ସଂଜୀବ ରାଉତ ଏବଂ ଆକାଶ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଏ. କେ. ବି. ସିଂହ ଏହି ପ୍ରସଙ୍ଗରେ ନିଜର ମତାମତ ରଖି ପ୍ରତିଯୋଗିତା ସୃଜଶୀଳତାକୁ ମାରି ପାରିବ ନାହିଁ ବୋଲି ମତ ରଖିଥିଲେ । ସେପଟେ ଶିକ୍ଷାଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କେମିତି କରାଯାଇ ପାରିବ ସେନେଇ ‘ଡିଜି ଚାମ୍ପ’ ନାମକ ଏକ କୌଶଳ ଉପସ୍ଥାପନ କରିଥିଲେ ଓଡିଏମ ଗ୍ରୁପ୍ର ଉପାଧ୍ୟକ୍ଷ ସୋୟନ ସତ୍ୟେନ୍ଦୁ ଓ ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ ।