ବିଶ୍ୱକପରେ ଏହି ଷ୍ଟାଡିୟମରେ ଭାରତକୁ ହରାଇବା ମୁସ୍କିଲ! ଗତ ୬ ବର୍ଷ ହେବ ଏଠାରେ ବିଜୟୀ ହୋଇ ଆସୁଛି ଟିମ୍ ଇଣ୍ଡିଆ ।

362

ଆସନ୍ତା ୩୦ରୁ ବିଶ୍ୱକପ ଟାଇଟଲ ପାଇଁ ହେବ ଟକ୍କର । ମୁହାଁମୁହିଁ ହେବ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ । ଭାରତ ମଧ୍ୟ ଟାଇଟଲ ହାତେଇବା ରେସରେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି । ଭାରତ ନିଜର ୯ଟି ଲିଗ୍ ମ୍ୟାଚ ୬ଟି ଷ୍ଟାଡିୟମରେ ଖେଳିବ । ଯେଉଁ ଷ୍ଟାଡିୟମ ମଧ୍ୟରେ ବମିଂଘାମର ଏଜବେଷ୍ଟନ ରହିଛି । ଯେଉଁ ମୈଦାନରେ ଭାରତର ଦମଦାର ରେକର୍ଡ ରହିଛି ।

ଭାରତ ଏଜବେଷ୍ଟନରେ ଏବେ ପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି । ଯେଉଁଥିରୁ ୭ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜିତ ହୋଇଛି । ସବୁଠୁ ବଡ କଥା ହେଲା ୨୦୧୩ ପରଠାରୁ ଏଜବେଷ୍ଟନ ମୈଦାନରେ ଭାରତ ଅପରାଜେୟ ରହିଛି । ଗତ ୬ ବର୍ଷରେ ଭାରତ ଏଠାରେ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟିରେ ବାଜି ମାରିଛି ।

ଚଳିତ ଥର ଏଜବେଷ୍ଟନରେ ଭାରତ ଘରୋଇ ଇଂଲଣ୍ଡ ଓ ଅନ୍ୟ ଏସୀୟ ଦେଶ ବାଂଲାଦେଶକୁ ଲିଗ୍ ପର୍ଯ୍ୟାୟରେ ଭେଟିବ । ଇଂଲଣ୍ଡ ବିପକ୍ଷରେ ଭାରତ ଏଠାରେ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟିରେ ବାଜି ମାରିଛି । ସେହିଭଳି ବାଂଲାଦେଶ ବିପକ୍ଷରେ ଏହି ମୈଦାନରେ ଭାରତ ଖେଳିଥିବା ଏକମାତ୍ର ମ୍ୟାଚରେ ମଧ୍ୟ ବିଜୟୀ ଟୀକା ପିନ୍ଧିଛି । ତେଣୁ ଏଜାବେଷ୍ଟନରେ ଭାରତ ନିଜର ଏହି ବିଜୟଧାରାକୁ ଜାରି ରଖିବାକୁ ପ୍ରୟାସ କରିବ ।

ସେହିଭଳି ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜୁନ୍ ୧୬ରେ ମାଞ୍ଚେଷ୍ଟରରେ ଭେଟିବ । ଏଠାରେ ଭାରତ ୨୦୦୭ ପରଠାରୁ କୌଣସି ମ୍ୟାଚ୍ ଖେଳିନାହିଁ । ତେବେ ପୂର୍ବରୁ ଭାରତ ଏଠାରେ ଖେଳିଥିବା ୮ଟି ମ୍ୟାରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜିତ ହୋଇଥିଲା । ତେବେ ୧୯୯୯ ବିଶ୍ୱକପରେ ଏହି ମୈଦାନରେ ପାକିସ୍ତାନକୁ ୪୭ ରନରେ ମାତ୍ ଦେଇଥିଲା ଭାରତ । ତେଣୁ ପୁଣିଥରେ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଜୁନ୍ ୯ରେ ଓଭାଲରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତ ଏହି ମୈଦାନରେ ସର୍ବାଧିକ ୧୫ଟି ମ୍ୟାଚ୍ ଖେଳିଛି । ଯେଉଁଥିରୁ ମାତ୍ର ୫ଟିରେ ବିଜୟୀ ହୋଇଥିବା ବେଳେ ୯ଟି ମ୍ୟାଚରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚର ଫଳାଫଳ ମିଳିପାରିନାହିଁ । ୧୯୯୯ ବିଶ୍ୱକପରେ ଭାରତ ଏହି ମୈଦାନରେ ଅଷ୍ଟ୍ରେଲିଆକୁ ଭେଟିଥିଲା । ଆଉ ଏହି ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।