ବହୁ ଚର୍ଚ୍ଚିତ ବାରବାଟୀ ଜମି ଜବରଦଖଲ ମାମଲା : ଆଶୀର୍ବାଦଙ୍କ ପୁଅ ଓ ଜ୍ୱାଇଁଙ୍କୁ ସମନ ଜାରି କଲା ପ୍ରବର୍ତନ ନିର୍ଦ୍ଦେଶାଳୟ

65

କନକ ବ୍ୟୁରୋ : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ଓ ଜ୍ୱାଇଁଙ୍କୁ ଇଡ଼ିର ସମନ । ବହୁ ଚର୍ଚ୍ଚିତ ବାରବାଟୀ ଜମି ଜବରଦଖଲ ଦୁର୍ନୀତି ମାମଲାରେ ପୁଅ ସୁବତ୍ର ବେହେରା ଓ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ସମନ ଜାରି କରିଛି ଇଡ଼ି । ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଇଡ଼ି ସମନ ଜାରି କରିଛି । ଏହା ପୂର୍ବରୁ ଜମି ଜାଲିଆତି ସହ ବେଆଇନ ଆର୍ଥିକ କାରବାର ନେଇ ଉଭୟଙ୍କ ନାଁରେ ମାମଲା ରୁଜୁ କରିଥିଲା ଇଡ଼ି ।

ଏହା ପୂର୍ବରୁ ଏହି ମାମଲା ସିବିଆଇ ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆକାଉଣ୍ଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାଛଡ଼ା ଏହି ଜମି ଜାଲିଆତି ମାମଲାରେ ଆର୍ଶୀବାଦଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ କୋର୍ଟ ତାଙ୍କୁ ଅଲମ୍ପିକ୍ସ ଆସୋସିଏସନର ନିର୍ବାଚନ ଲଢ଼ିବାକୁ ବାରଣ କରିଥିଲେ ।

ଆଶୀର୍ବାଦଙ୍କ ପରିବାର ବିରୋଧରେ ରହିଛି କେଉଁ ଅଭିଯୋଗ :
– ବାରବାଟୀ ଷ୍ଟାଡିଅମ୍ ପରିସରରେ ସରକାରୀ ଜମି ଜବର ଦଖଲ କରିଛନ୍ତି ଆଶୀର୍ବାଦ ବେହେରା ।
– ଏହା ମଧ୍ୟରେ ରହିଛି ବାରବାଟୀ ପ୍ୟାଲେସ ଏବଂ ୨୩ ଟି ଦୋକାନ ଘର । ଯାହାର ମାଲିକାନା ରହିଛି ଆଶୀର୍ବାଦଙ୍କ ହାତରେ ।
– ଜମି ଜବର ଦଖଲ କରି ଗଢି ଉଠିଥିବା ବାରବାଟୀ ପ୍ୟାଲେସରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଆଶୀର୍ବାଦ ।
– ଆଶୀର୍ବାଦଙ୍କ ପୁଅ ଓ ଜ୍ୱାଇଁଙ୍କ ସଂସ୍ଥା ଇନକନ୍ ଆସୋସିଏଟ୍ସ ଏହି ଜମିକୁ ଲିଜ୍ ଆକାରରେ ନେଇ ବ୍ୟବସାୟ କରିଛନ୍ତି । ଏବଂ ଲକ୍ଷ ଲକ୍ଷ ଟଙ୍କା ଆୟ କରିଛନ୍ତି ।
ସୂଚନା ମୁତାବକ, ୧୯୯୧-୯୨ରେ ତତକାଳୀନ କଟକ ତହସିଲଦାର ଅବନୀକାନ୍ତ ପଟ୍ଟନାୟକ ବାରବାଟୀ ଜମି ଜାଲିଆତି କଥା ସାମ୍ନାକୁ ଆଣିଥିଲେ । ଏପରିକି ବେଆଇନ୍ ଭାବେ ଗଢିଉଠିଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ଏହାପରେ ମାମଲାଟି ଉଭୟ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ପହଂଚିଥିଲା ।