ଟ୍ୱିନସିଟିର ବଛାବଛା ୫ଟି ଗହଣା ସୋରୁମ ଉପରେ ଇଡିର ଚଢାଉ ! ମହାଠକ ନିରଭ ମୋଦିଙ୍କ ଗହଣା ବିକୁଥିବା ସୋରୁମରେ ରେଡ

77

କନକ ବ୍ୟୁରୋ : ୧୧ ହଜାର କୋଟିର ମହାଠକେଇ କରି ନିରଭ ମୋଦି ଫେରାର ହୋଇଯିବା ପରେ ଆଜି ଟ୍ୱିନସିଟିର ୫ଟି ଗହଣା ସୋରୁମରେ ରେଡ୍ କରିଛି ପ୍ରବର୍ତନ ନିର୍ଦେଶାଳୟ । ନିରଭଙ୍କ ହୀରା ଅଳଙ୍କାର ସଂସ୍ଥା ଗୀତାଂଜଳିର ବ୍ରାଣ୍ଡ ବିକ୍ରି କରୁଥିବା ଅଳଙ୍କାର ସୋରୁମରେ ଏହି ରେଡ୍ ହୋଇଛି । ଇଡି ଅଧିକାରୀ, ସୋରୁମର ସମସ୍ତ କାଗଜପତ୍ର ଯାଂଚ୍ କରିବା ସହ ନିରଭଙ୍କ ସହ ଲିଙ୍କ ନେଇ ଛାନଭିନ୍ କରିଛନ୍ତି ।

nirav modiଗହଣା ସୋରୁମରେ ଇଡିର ରେଡ୍ । ଛାପା ମାରୁଛନ୍ତି ପ୍ରବର୍ତନ ନିର୍ଦେଶାଳୟ ଅଧିକାରୀ । ଟିକିନିକି କରି କାଗଜପତ୍ରର ଚାଲିଛି ଯାଂଚ୍ । କେଉଁଠୁ ଅଳଙ୍କାର କିଣାଯାଇଛି, କେତେ ଟଙ୍କା ଦେଇଛନ୍ତି, ବିଲ୍ ହୋଇଛି କି ନାହିଁ , ସେସବୁର ଯାଂଚ୍ କରୁଛନ୍ତି ଇଡି ଅଧିକାରୀ । ଆଉ ସ୍କାନରରେ ରହିଛି ଗୀତାଂଜଳି ବ୍ରାଣ୍ଡର ହୀରା ଅଳଙ୍କାର ବିକୁଥିବା ସୋରୁମ୍ ।

ଭୁବନେଶ୍ୱର ଓ କଟକର ବଛା ବଛା ୫ଟି ସୋରୁମ୍ ଉପରେ ରେଡ୍ ମାରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଶେଷକରି ଗୀତାଂଜଳିର ବ୍ରାଣ୍ଡ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ ଇଡିର ନଜର ରହିିଛି । ତେବେ ଯେଉଁ ବ୍ୟବସାୟୀ କମ୍ପାନୀଠାରୁ ସିଧାସଳଖ ହୀରା ଅଳଙ୍କାର ଆଣନ୍ତି ଏବଂ ବିକ୍ରି କରିବା ପରେ ଟଙ୍କା ଦିଅନ୍ତି, ସେଭଳି ବ୍ୟବସାୟ ଉପରେ ନଜର ରଖିଛି ଇଡି । ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଟଙ୍କା ଦେଇ ହୀରା ଅଳଙ୍କାର କିଣିଥିବା ବ୍ୟବସାୟୀଙ୍କୁ ଇଡି ତରଫରୁ କୌଣସି ରେଡ୍ ହୋଇନଥିବା କୁହାଯାଇଛି । ତେବେ ଏନେଇ ବ୍ୟବସାୟୀ ତଥ୍ୟ ପ୍ରମାଣ ଦେଖାଇବା ଜରୁରୀ । .

ଭାରତୀୟ ବଜାରରେ ନିରଭ ମୋଦି ବ୍ରାଣ୍ଡ ବିକ୍ରି ହେଉନାହିଁ । ତେବେ ଗୀତାଂଜଳିର ବ୍ରାଣ୍ଡ ମଧ୍ୟରେ ରହିଛି ନକ୍ଷତ୍ର, ଡିଡମାସ, ଜିଲି, ଅସମି, ସଙ୍ଗୀନି, ମାୟା, ଜିଆଂଟି, ୱର୍ଲଡ ଅଫ୍ ସଲିଟାୟର ଏବଂ ସୁଦ୍ଧି । ବିଶ୍ୱରେ ବ୍ରାଣ୍ଡେଡ୍ ଅଳଙ୍କାର ବ୍ୟବସାୟ କ୍ଷେତ୍ରରେ ଗୀତାଂଜଳି ଗ୍ରୁପ୍ ବେଶ୍ ଜଣାଶୁଣା । ଭାରତୀୟ ଗହଣା ବଜାରରେ ସଂସ୍ଥାର ପ୍ରାୟ ୫୦ ପ୍ରତିଶତ ବ୍ୟବସାୟ ରହିଛି । ତେବେ ପିଏନବି ମହାଠକେଇରେ ନୀରବ ମୋଦିଙ୍କ ଲିଙ୍କ ପଦାକୁ ଆସିବା ପରେ ସଂସ୍ଥା ପାଇଁ ଅସୁବିଧା ବଢିଛି ।