ଡି ବ୍ରଦର୍ସଙ୍କ ପରେ ସହଯୋଗୀଙ୍କ ପାଳି ! ବେଆଇନ ସଂପତି ଠୁଳ ନେଇ ୩ ଜଣଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢାଉ

23

କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସ ସହଯୋଗୀଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢାଉ । ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତର ସହଯୋଗୀଙ୍କ ମହାନଦୀ ବିହାର, ଗଣ୍ଡରପୁର ଘରେ ଚଢାଉ କରିଛି ଇଡିର ଟିମ୍ । ଇଡିର ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଆଜି ଅଚାନକ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ଚଡାଉ କରିଛନ୍ତି । ଏହି ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି । ବେଆଇନ୍ ସମ୍ପତି ଠୁଳ ନେଇ ଇଡି ତନାଘନା କରୁଥିବା ଜଣାପଡିଛି । କୁନି ଦାସ, ଭରତ ସ୍ୱାଇଁ ଏବଂ ଶିବ ଗୋଚ୍ଛିଙ୍କ ଘରେ ତନାଘନା ଜାରି ରହିଛି । ଏମାନେ ଡି ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ବୋଲି ଜଣାପଡିଛି । ଧଳସାମନ୍ତ ବ୍ରଦର୍ସଙ୍କ ବିଭିନ୍ନ ବେଆଇନ କାରବାର ସହ ସଂପୃକ୍ତି ଅଭିଯୋଗରେ ଏହି ତିନି ସହଯୋଗୀଙ୍କୁ ପୂର୍ବରୁ କମିସନରେଟ ପୋଲିସ ଗିରଫ କରିଥିଲା । ଏପରିକି ବିଭିନ୍ନ ବେଆଇନ କାରବାର ଯେପରିକି ବାଲିଘାଟ ଓ ଟେଣ୍ଡର ଫିକ୍ସିଂରୁ ମିଳୁଥିବା ଟଙ୍କାର ସିଂହଭାଗ ଏହି ତିନି ସହଯୋଗୀଙ୍କ ଦ୍ୱାରା ଆଦାୟ କରୁଥିଲା ଧଳସାମନ୍ତ ।

ପୂର୍ବରୁ ଧଳସାମନ୍ତ ବ୍ରଦର୍ସଙ୍କୁ ଘରେ ଇଡି ଚଢାଉ କରି ବିଭିନ୍ନ ତଥ୍ୟ ହାସଲ କରିବା ସହ ବେଆଇନ ଅର୍ଥ ଜବତ କରିଥିଲା । ଏପରିକି ଜେଲରେ ଥିବା ସମୟରେ ଦୁଇ ଭାଇଙ୍କୁ ଜେରା କରିଥିଲା ଇଡି । ଧଳସମାନ୍ତଙ୍କ ପରେ ଏବେ ସହଯୋଗୀଙ୍କ ପାଳି ପଡିଛି । ଜଣକ ପରେ ଜଣେ ସହଯୋଗୀଙ୍କୁ ଡାକି ଜେରା କରିବା ପରେ ଏବେ ସହଯୋଗୀଙ୍କ ଘରେ ରେଡ ପକାଇଛି ଇଡି ।