ରବର୍ଟ ଭଦ୍ରାଙ୍କ ସହ ଇଡିରେ ହାଜର ହେଲେ ମା ମୌରୀନ ଭଦ୍ରା : ବିକାନେର ଜମି ଦୁର୍ନୀତି ମାମଲାରେ ପଚରାଉଚରା

ଟ୍ୱିଟରରେ ପ୍ରତିକ୍ରିୟା ରଖି ରବର୍ଟ କହିଲେ, ବରିଷ୍ଠ ନାଗରିକଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର

119

କନକ ବ୍ୟୁରୋ : ବଢିଲା  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଅଡୁଆ ।  ରାଜସ୍ଥାନର ବିକାନେର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରା ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।  ଭଦ୍ରାଙ୍କ ସମେତ ତାଙ୍କ ମା ମୌରୀନ ମଧ୍ୟ ଇଡିରେ  ହାଜର ହୋଇଛନ୍ତି ।  ଜୟପୁର ଇଡି ଅଫିସରେ ଉଭୟଙ୍କୁ ପଚରାଉଚରା କରାଯାଉଛି । ଇଡିରେ  ହାଜର ହେବାକୁ  ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରବର୍ଟ ଓ ତଙ୍କ ମାଙ୍କୁ ଇଡିର ୧୧ଜଣ ଅଧିକାରୀ ପଚରାଉଚରା କରୁଛନ୍ତି । ବିକାନେରରେ ଯେଉଁ ସ୍କାଏଲାଇଟ  ହସପିଟାଲିଟି କମ୍ପାନୀ ପାଇଁ  ଜମି କିଣାଯାଇଥିଲା ।

ଏଥିରେ ଜଣେ ଡ୍ରାଇଭରଙ୍କ ପାୱାର ଅଫ ଆଟର୍ଣ୍ଣି ଜରିଆରେ କରାଯାଇଥିଲା ।  ଆଉ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଡ୍ରାଇଭରଙ୍କ ଏତେ ଟଙ୍କା କେମିତି ଆସିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରବର୍ଟଙ୍କୁ ଭେଟିବା ଲାଗି ପ୍ରିୟଙ୍କା ଗାନ୍ଧି ଗତକାଲି ଜୟପୁର ଯାଇଥିଲେ । ବିଭିନ୍ନ ମାମଲାରେ ରବର୍ଟ ଭଦ୍ରାଙ୍କୁ ବର୍ତମାନ ସୁଦ୍ଧା ଇଡି ୩ ଥର ଜେରା କରିସାରିଲାଣି । ପ୍ରଥମ ଥର ଲାଗି ଦିଲ୍ଲୀରେ ରବର୍ଟଙ୍କୁ ପଚରାଉଚରା ବେଳେ ପ୍ରିୟଙ୍କା ତାଙ୍କୁ ଛାଡିବାକୁ ଇଡି ଅଫିସ ଆସିଥିଲେ ।

ଋବର୍ଟ ଭଡ୍ରା ଓ ତାଙ୍କ ମା ମୌରୀନ ଭଡ୍ରାଙ୍କୁ ଇଡି ଜେରା କରୁଥିବାବେଳେ ଏହାକୁ ନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି ଭଡ୍ରା । ଇଡିରେ ହାଜର ହେବା ପୂର୍ବରୁ ଟୁଇଟ କରି ଭଡ୍ରା କହିଛନ୍ତି ମୁଁ ମା ସହ ଇଡି ପାଖରେ ଆଜି ହାଜର ହେବି । କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି,ଯିଏକି ଜଣେ ନିିଜ ଝିଅକୁ କାର ଦୁର୍ଘଟଣାରେ ହରାଇଛନ୍ତି ଏବଂ ନିଜ ପୁଅ ଓ ସ୍ୱାମୀଙ୍କୁ ବି ହରାଇସାରିଛନ୍ତି । ୩ଜଣଙ୍କ ମୃତ୍ୟୁ ପରେ ମୁଁ ତାଙ୍କୁ ମୋ ଅଫିସରେ କିଛି ସମୟ ଅତିବାହିତ କରିବାକୁ କହିଥିଲି, ହେଲେ ତାଙ୍କ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଲଗାଯାଉଛି । ମୋଦି ସରକାର ୪ବର୍ଷ ୮ମାସ ଭିତରେ କିଛି ପରିପାରିଲେ ନାହିଁ । ହେଲେ ଏବେ ଲୋକସଭା ନିର୍ବାଚନ ଆସୁଥିବାରୁ ମୋ ବିରୋଧରେ ଆକ୍ରାମକ ହୋଇପଡିଛନ୍ତି ।

ସେପଟେ ଜୟପୁର ଇଡ଼ି ଅଫିସ ସାମ୍ନାରେ ରାହୁଲ ଓ ପ୍ର୍ରିୟଙ୍କା ଗାନ୍ଧୀଙ୍କ ସହ ରବର୍ଟ ଭଦ୍ରାଙ୍କ ଏକାଧିକ ପୋଷ୍ଟର ଦେଖିବାକୁ ମିଳିଛି  । କଂଗ୍ରେସ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରାଯାଇଛି  । ରୁଢ଼ିବାଦୀ ଚିନ୍ତାଧାରା ବଦଳରେ ଯୁବ ଜୋଶ୍କୁ ବାଛିବାକୁ ଏଥିରେ କୁହାଯାଇଛି  । ସେହିପରି ଏଥରକ କଂଗ୍ରେସ ସରକାର ଲେଖାଥିବା ମଧ୍ୟ ପୋଷ୍ଟରରେ ଦେଖିବାକୁ ମିଳିଛି  । ରବର୍ଟ ଭଦ୍ରାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ଜେରା ପ୍ରସଙ୍ଗରେ ରାଜନୈତିକ ମାହୋଲ ସରଗରମ ହୋଇଛି  ।