ଗୋଲଡେନ ବାବାକୁ ନିସ୍ତାର ନାହିଁ । ଠକେଇ ମାମଲାର ତଦନ୍ତ କରିବ ଇଡି, ସମ୍ପତି ଓ ଅପରାଧିକ ସାମ୍ରାଜ୍ୟର ହେବ ଖୋଳତାଡ଼

371

କନକ ବ୍ୟୁରୋ : ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ଇଡି । ଗୋଲଡେନ ବାବାଙ୍କ ଅମାପ ସମ୍ପତିର ଇଡ଼ି କରିବ ଖୋଳତାଡ । ଅମାପ ସମ୍ପତି ଓ ଅପରାଧିକ ଦିଗ କଣ ରହିଛି ତାହା ଖୋଜିବ ଇଡ଼ି । ଏହାପୂର୍ବରୁ ଗୋଲଡେନ ବାବାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ । ଏକ ଠକେଇ ମାମଲାରେ ଗୋଲଡେନ ବାବାକୁ ପ୍ରଥମେ ଗିରଫ କରାଯାଇଥିଲା । କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଲଡେନ ବାବାର ଗୋଟିଏ ପରେ ଗୋଟିଏ ଅପରାଧିକ ପେଡି ଖୋଲିଥିଲା ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାର ଖୋଳତାଡ କରୁଥିଲା । ଆଉ ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କେବଳ ଓଡ଼ିଶାରେ ନୁହେଁ ଦିଲ୍ଲୀ, ଥାନେ ଓ ମୁମ୍ବାଇ ଭଳି ହାଇଟେକ ସିଟିରେ ମଧ୍ୟରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ଗୋଲଡେନ ବାବା । ସେଠାରେ ମଧ୍ୟ ବ୍ୟବସାୟୀ ମାନଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲା ଏହି ଫ୍ରଡ ମାଷ୍ଟର । ପ୍ରାୟ ୩୦୦ କୋଟି ଟଙ୍କା ଫାଇନାନ୍ସ କରିବାର ଲୋଭ ଦେଖାଇ ଠକେଇର ନକ୍ସା ପ୍ରସ୍ତୁତ କରିଥିବା ସଂଦେହ କରାଯାଉଥିଲା ।

ତେବେ ଠକେଇର ଷ୍ଟାଇଲ ଥିଲା ଏକାପ୍ରକାରର । ଓଡ଼ିଶା ଫର୍ମୁଲା ଅନ୍ୟ ସହରରେ ମଧ୍ୟ ଲାଗୁ କରୁଥିଲା ଗୋଲଡେନ ବାବା । ପ୍ରଥମେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ଫାଇନାନ୍ସ କରିବା ପାଇଁ ଦେଖାଉଥିଲା ଲୋଭ । ସୁନା ଅଳଙ୍କାରରେ ଛାଉଣୀ ହୋଇ ବଡ଼ ଗାଡ଼ିରେ ଚଢ଼ି ବ୍ୟବସାୟୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା । ଏହା ସହ ୩୦୦ କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ଦେଉଥିବା ନେଇ ଜାଲ କାଗଜପତ୍ର ବନାଇ ଠକେଇର ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଥିଲା ଗୋଲଡେନ୍ ବାବା ।

ତେବେ ଦିଲ୍ଲୀ, ମୁମ୍ବାଇ ସମେତ ରାଜ୍ୟର ଅନ୍ୟ ବ୍ୟବସାୟୀଙ୍କୁ ଠକିବା ପୂର୍ବରୁ ପୋଲିସ ପଞ୍ଝାରେ ପଡିଥିଲା ଗୋଲଡେନ ବାବା । କେନ୍ଦୁଝରର ଗୋଟିଏ କଂପାନୀକୁ ୧୧୦ କୋଟି ଫାଇନାନ୍ସ କରିବାର ପ୍ରତିଶ୍ରୁତି ଦେଇଥିଲା ଗୋଲଡେନ୍ ବାବା । ୧୨ କୋଟିର ଆଡଭାନ୍ସ ଚେକର ତାରିଖ ବଦଳାଇ ଚଳୁ କରିବାକୁ ଉଦ୍ୟମ କରୁଥିବା ବେଳେ କମିସନରେଟ୍ ପୋଲିସ ହାତରେ ଧରାପଡିଥିଲା ଏହି ଫ୍ରଡ୍ ମାଷ୍ଟର ।

କେବଳ ଠକେଇରେ ସୀମିତ ନଥିଲା ଗୋଲଡେନ ବାବାର ସାମ୍ରାଜ୍ୟ । ନେତା ଓ ମନ୍ତ୍ରୀଙ୍କ ସହ ମିଶି ରାଜନୀତିରେ ଏଣ୍ଟ୍ରି ମାରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋଲଡେନ ବାବା । ଯାହାର ଝଲକ ନେତା ଓ ମନ୍ତ୍ରୀଙ୍କ ସହ ଗୋଲଡେନ ବାବାର ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା । ଗୋଲଡେନ ବାବାଙ୍କ ସହ ପୂର୍ବତନ ମେୟର, ମନ୍ତ୍ରୀ ଓ ନେତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏପରିକି ଶାସକ ଦଳର ରାଲିରେ ମଧ୍ୟ ତାଙ୍କୁ ବଡ ବଡ ନେତାଙ୍କ ସହ ଦେଖିବାକୁ ମିଳିଥିଲା । ନେତାଙ୍କ ସହ ମିଶି ନେତା ହେବାକୁ ସ୍ୱପ୍ନ ଦେଖୁଥିଲା ଗୋଲଡେନ ବାବା । କିନ୍ତୁ ଏହାପୂର୍ବରୁ ଗୋଟିଏ ଝଟକାରେ ପୋଲିସ ଗୋଲଡେନ ବାବାର ସ୍ୱପ୍ନକୁ ମାଟିରେ ମିଶାଇ ଦେଇଥିଲା । ଗିରଫ ପରେ ଜାମିନ ନ ମିଳିବାରୁ ଗୋଲଡେନ ବାବାକୁ ଝାରପଡା ଜେଲ ପଠାଇ ଦିଆଯାଇଥିଲା ।