ପ୍ରିୟଙ୍କା ଗାନ୍ଧିଙ୍କ ଶାଶୁ କିଏ? ଯାହାଙ୍କୁ ଜୟପୁରରେ ଜେରା କରିଛି ଇଡି

220

ଜୟପୁର ଇଡି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଜେରା । ଜମି ଦୁର୍ନୀତି ମାମଲାରେ ଆଜି ଜୟପୁର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା । କେବଳ ରବର୍ଟ ନୁହେଁ ବରଂ ପ୍ରିୟଙ୍କାଙ୍କ ଶାଶୁ ମୌରୀନ ଭଦ୍ରାଙ୍କୁ ମଧ୍ୟ ଜେରା କରିଛି ଇଡି । ଯାହାକୁ ନେଇ ରବର୍ଟ ଭଦ୍ରା ସରକାରଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ତାଙ୍କ ମା’ ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ।  ତେବେ ପ୍ରିୟଙ୍କାଙ୍କ ଶାଶୁ ମୌରୀନ ଭଦ୍ରାଙ୍କୁ ଏହି ମାମଲାରେ କାହିଁକି ଜେରା କରୁଛି ଇଡି ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ପ୍ରିୟଙ୍କାଙ୍କ ଶାଶୁ ମୌରୀନ ଭଦ୍ରା ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ କମ୍ପାନୀର ନିର୍ଦ୍ଦେଶକ ରହିଥିଲେ  । ଏହି କମ୍ପାନି ନାଁରେ ବିକାନୋର ଜମି ଦୁର୍ନୀତି ମାମଲା ରହିଛି । କମ୍ପାନି ପୂର୍ବରୁ ୬୯ ହେକ୍ଟର ଜମିକୁ ୭୨ ଲକ୍ଷ ଟଙ୍କାରେ କିଣି ୫.୧୫ କୋଟି ଟଙ୍କାରେ ବିକ୍ରି କରିଥିଲା । ତେଣୁ ଏହି ମାମଲାରେ ମୌରୀନକୁ ଜେରା କରିଛି ଇଡି ।

ମୌରୀନ ମୂଳତଃ ସ୍କଟଲାଣ୍ଡର ବାସିନ୍ଦା । ମୌରୀନଙ୍କ ସ୍ୱାମୀ ରାଜେନ୍ଦ୍ର ଭଦ୍ରା ପିତଳ ବ୍ୟବସାୟୀ କରୁଥିବା ବେଳେ ମୁରାଦାବାଦ ଅଞ୍ଚଳରେ ରହୁଥିଲେ ।  ମିଡିଆ ରିପୋର୍ଟ ମୁତାବିକ , ପରବର୍ତ୍ତୀ ସମୟରେ ଦୁହେଁ ଅଲଗା ହୋଇଯାଇଥିଲେ । ମୌରୀନ ପୂର୍ବରୁ ଦିଲ୍ଲୀର ଏକ ପ୍ଲେ-ସ୍କୁଲରେ ପାଠ ପଢାଉଥିଲେ । ରିପୋର୍ଟ ମୁତାବିକ, ୨୦୦୩ରେ ତାଙ୍କ ପୁଅ ରିଚାର୍ଡ ଭଦ୍ରା ମୁରାଦାବାଦରେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୁଏ । ତେବେ ଘଟଣା ସର୍ମ୍ପକରେ ଅଧିକ ସୂଚନା ମିଳିନଥିବା ବେଳେ ରବର୍ଟ ଭଦ୍ରାଙ୍କୁ ଏ ବାବଦରେ କିଛି କୁହାଯାଇନଥିଲା ।

ଏହାପୂର୍ବରୁ ଜାନୁଆରୀ ୨୦୦୨ରେ ରର୍ବଟ ଭଦ୍ରା ଖବରକାଗଜରେ ବିଜ୍ଞାପନ ଦେଇ କହିଥିଲେ, ବାପା ରାଜେନ୍ଦ୍ର ଓ ଭାଇ ରିଚାର୍ଡଙ୍କ ସହ ମୋର କୌଣସି ସର୍ମ୍ପକ ନାହିଁ । ଯଦି ମୋ ନାଁ ନେଇ ସେମାନେ କୌଣସି ଲାଭ ଉଠାଇବାକୁ ଚାହୁଁଥାନ୍ତି ତେବେ ସେମାନଙ୍କର ସାଥ୍ ଦିଅନ୍ତୁ ନାହିଁ । ଏହାପୂର୍ବରୁ ୨୦୦୧ ଏପ୍ରିଲରେ ଦିଲ୍ଲୀ-ଜୟପୁର ହାଇୱେରେ ଏକ ସଡକ ଦୁର୍ଘଟଣାରେ ରବର୍ଟଙ୍କ ଭଉଣୀ ପ୍ରାଣ ହରାଇଥିଲେ । ସେହିଭଳି ୨୦୦୯ରେ ରବର୍ଟଙ୍କ ବାପା ରାଜେନ୍ଦ୍ର ଭଦ୍ରାଙ୍କର ମୃତ୍ୟୁ ହୋଇଥିଲା ।