ଅର୍ଥନୀତିଜ୍ଞ ରାଜୀବ କୁମାର ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ

56

କନକ ବ୍ୟୁରୋ: ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ସ୍ଥାନରେ ସରକାର ଶନିବାର ଖ୍ୟାତନାମା ଅର୍ଥନୀତିଜ୍ଞ ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି । ଏତଦବ୍ୟତୀତ ନିତି ଆୟୋଗର ସଦସ୍ୟ ଭାବେ ଏମସର ଶିଶୁ ରୋଗ ବିଭାଗ ମୁଖ୍ୟ ବିନୋଦ ପଲ୍ ନିଯୁକ୍ତି ପାଇଛନ୍ତି ।

ନୀତି ଆୟୋଗର ନବନିଯୁକ୍ତ ଉପାଧ୍ୟକ୍ଷ ଶ୍ରୀ କୁମାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଫିଲ୍ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରି ହାସଲ କରିଛନ୍ତି । ସେ ସେଣ୍ଟର ଫର୍ ପଲିସି ଆଣ୍ଡ ରିସର୍ଚ୍ଚ (ସିପିଆର୍) ର ବରିଷ୍ଠ ଫେଲୋ ରହିଛନ୍ତି ।

ଭାରତୀୟ ଅର୍ଥନୀତି ଏବଂ ଦେଶର ନିରାପତ୍ତା ସମ୍ପର୍କରେ ଶ୍ରୀ କୁମାର ଅନେକଗୁଡ଼ିଏ ପୁସ୍ତକ ଲେଖିଛନ୍ତି। ସିପିଆର୍ ପୂର୍ବରୁ ସେ ଶିଳ୍ପ ସଂଘ ଫିକିର ସେକ୍ରେଟାରି ଜେନେରାଲ ରହିଥିଲେ । ଏତଦ୍ ବ୍ୟତୀତ ସେ ଆଇସିଆରଆଇଇଆର୍ (ଇଣ୍ଡିଆନ୍ କାଉନସିଲ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍), ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ, ଶିଳ୍ପ ସଂଘ ସିଆଇଆଇର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଏହାବାଦ୍ ସେ ଏସୀୟ ବିକାଶ ବ୍ୟାଙ୍କ, ଶିଳ୍ପ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟର ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଛନ୍ତି । ଏତଦ୍ ବ୍ୟତୀତ ସେ ଏବେ ଦେଶବିଦେଶର ବିଭିନ୍ନ ଖ୍ୟାତିସମ୍ପନ୍ନ ସଂସ୍ଥାର ବୋର୍ଡରେ ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି ।