ଅର୍ଥନୈତିକ ସର୍ଭେ ୨୦୧୭-୧୮ : ନିଯୁକ୍ତି, ନିବେଶକୁ ପ୍ରାଧାନ୍ୟ

0

କନକ ବ୍ୟୁରୋ: ବଜେଟରେ ନିଯୁକ୍ତି ଏବଂ ନିବେଶକୁ ପ୍ରାଧାନ୍ୟ ଦିଆଯିବ । ଅର୍ଥନୈତିକ ସର୍ଭେ ୨୦୧୭-୧୮ ଏହି ସଙ୍କେତ ପ୍ରଦାନ କରିଛି। ନିଯୁକ୍ତି ସୁଯୋଗ, କୃଷି ଉତ୍ପାଦନ, ଘରୋଇ ପୁଞ୍ଜିନିବେଶ ଏବଂ ରପ୍ତାନି ବଢ଼ାଇବା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇପାରେ । ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବାକୁ ସର୍ଭେରେ କୁହାଯାଇଛି। ତେଣୁ ବଜେଟ୍‌ରେ ଏହି ଦୁଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ। ସର୍ଭେର ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏଠାରେ ଉପସ୍ଥାପନ କରାଯାଇଛି ।

ନିର୍ମାଣ କ୍ଷେତ୍ରରେ ବିପୁଳ ନିଯୁକ୍ତି ଆଶା

ରିଅଲ ଇଷ୍ଟେଟ ଓ ନିର୍ମାଣ କ୍ଷେତ୍ରରେ ଦେଶରେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଢ଼ କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୃଷି ପରେ ରିଅଲ ଇଷ୍ଟେଟ ଓ ନିର୍ମାଣ କ୍ଷେତ୍ର ନିଯୁକ୍ତି ପ୍ରଦାନ କରିବାରେ ଆଗରେ ରହିଛି । ୨୦୧୩ରେ ଏହି ଦୁଇଟି କ୍ଷେତ୍ରରେ ୪ କୋଟିରୁ ଅଧିକ ଲୋକ ନିଯୁକ୍ତ ଥିଲେ। ୨୦୧୭ ସୁଦ୍ଧା ୫.୨ କୋଟିରୁ ଅଧିକ ଏବଂ ୨୦୨୨ ସୁଦ୍ଧା ୬.୭ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବେ ବୋଲି ସର୍ଭେରେ ଆକଳନ କରାଯାଇଛି । ଅର୍ଥାତ୍ ଆସନ୍ତା ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଦେଢ଼ କୋଟିରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ୫୦% ବୃଦ୍ଧି

ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେବା ଯୋଗୁଁ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ଅର୍ଥନୈତିକ ସର୍ଭେରେ ଏହା କୁହାଯାଇଛି । ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ଜିଏସ୍‌ଟି ପରେ ୩.୪ ନିୟୁତ ବୃଦ୍ଧି ଘଟିଛି। ସେହିଭଳି ଜିଏସଟିରେ ଟିକସ ଆଦାୟ ରାଶି ବୃଦ୍ଧି ଘଟିବା ନେଇ ମଧ୍ୟ ଏଥିରେ ଆକଳନ କରାଯାଇଛି।

କୃଷି ଉପରେ ପାଣିପାଗର ପ୍ରତିକୂଳ ପ୍ରଭାବ

ସର୍ଭେରେ କୃଷି କ୍ଷେତ୍ର ଉପରେ ପାଣିପାଗ ପରିବର୍ତ୍ତନର ପ୍ରଭାବକୁ ପ୍ରଦର୍ଶିତ କରାଯାଇଛି । ତାପମାତ୍ରାରେ ହୋଇଥିବା ଅତ୍ୟଧିକ ବୃଦ୍ଧି ଏବଂ ବୃଷ୍ଟିପାତ କମ୍ ହେବାର ପ୍ରଭାବ କିଭଳି କୃଷି କ୍ଷେତ୍ର ଉପରେ ପଡ଼ିଛି ତାହାକୁ ବିଭିନ୍ନ ନକ୍ସା ଜରିଆରେ ପ୍ରଦର୍ଶିତ କରାଯାଇଛି । ପାଣିପାଗ ପରିବର୍ତ୍ତନର ପ୍ରଭାବ ଅଣ ଜଳସେଚିତ କ୍ଷେତ୍ରରେ ଦୁଇ ଗୁଣା ଅଧିକ । ପାଣିପାଗ ପରିବର୍ତ୍ତନ ଯୋଗୁଁ କୃଷି ଆୟ ୨୦-୨୫% ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି ।

ସଂଗଠିତ ଅଣ କୃଷି କ୍ଷେତ୍ରରେ ଅଧିକ କର୍ମଚାରୀ

ଇପିଏଫଓ/ଇଏସଆଇ ଭଳି ସାମାଜିକ ସୁରକ୍ଷା ଆଧାରରେ ହିସାବ କଲେ ଅଣ କୃଷି କ୍ଷେତ୍ରରେ ସଂଗଠିତ କ୍ଷେତ୍ରର ଅବଦାନ ୩୧% ହେଉଛି । ଅର୍ଥାତ ଏହି ହିସାବ ଅନୁସାରେ ସଂଗଠିତ କ୍ଷେତ୍ର ୭.୫ କୋଟି କର୍ମଚାରୀ କାମ କରୁଛନ୍ତି । ମାତ୍ର ଜିଏସଟି ଅନୁସାରେ ହିସାବ କଲେ ଅଣ କୃଷି କ୍ଷେତ୍ରରେ ସଂଗଠିତ କ୍ଷେତ୍ରର ଅବଦାନ ୫୩% ହେଉଛି । ଏହାର ଅର୍ଥ ହେଉଛି ୧୨.୭ କୋଟି କର୍ମଚାରୀ ସଂଗଠିତ ଅଣ କୃଷି କ୍ଷେତ୍ରରେ କାମ କରୁଛନ୍ତି ।

ଅଧିକ ରପ୍ତାନି କରୁଥିବା ରାଜ୍ୟ ଅଧିକ ଧନୀ

ସର୍ଭେରେ ପ୍ରଥମ ଥର ପାଇଁ ରାଜ୍ୟଗୁଡ଼ିକର ରପ୍ତାନି ଏବଂ ଲୋକମାନଙ୍କ ଜୀବନ ଧାରଣ ମାନ ଭିତରେ ରହିଥିବା ସମ୍ପର୍କକୁ ପ୍ରକାଶ କରାଯାଇଛି । ଯେଉଁ ରାଜ୍ୟଗୁଡ଼ିକର ରପ୍ତାନି ଏବଂ ଆନ୍ତଃ-ରାଜ୍ୟ କାରବାର ପରିମାଣ ଅଧିକ ସେହି ରାଜ୍ୟଗୁଡ଼ିକ ସେତିକି ଅଧିକ ଧନୀ ବୋଲି ଜଣାପଡ଼ିଛି । ସର୍ଭେ କହୁଛି ଯେ, ରପ୍ତାନି କ୍ଷେତ୍ରରେ ରାଜ୍ୟ ଗୁଡ଼ିକ ମଧ୍ୟରେ ବ୍ୟାପକ ବୈଷମ୍ୟ ରହିଛି । ଦେଶର ମୋଟ ରପ୍ତାନିରେ ୫ଟି ରାଜ୍ୟର ଯୋଗଦାନ ୭୦% ରହିଛି । ସେହି ରାଜ୍ୟ ଗୁଡ଼ିକ ହେଲେ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ତେଲେଙ୍ଗାନା। ସେହିପରି ଭାରତର ରପ୍ତାନିରେ ବଡ଼ କଂପାନିଗୁଡ଼ିକର ଭାଗ ବହୁତ କମ୍ ରହଥିବା କଥା ମଧ୍ୟ କୁହାଯାଇଛି। ଦେଶର ରପ୍ତାନି ପ୍ରତି ୧% ବଡ଼ କଂପାନିଙ୍କ ଯୋଗଦାନ ହେଉଛି ମାତ୍ର ୩୮%। ବ୍ରାଜିଲ, ଜର୍ମାନି, ମେକ୍ସିକୋ ଏବଂ ଆମେରିକା ଭଳି ଦେଶରେ ୧% ବଡ଼ କଂପାନିଗୁଡ଼ିକର ରପ୍ତାନିରେ ଯୋଗଦାନ ୫୫-୭୨% ପର୍ଯ୍ୟନ୍ତ ରହିଛି, ଯାହା ଭାରତଠାରୁ ଅଧିକ ।

ସଞ୍ଚୟ ନୁହେଁ, ନିବେଶ ଯୋଗୁ ଅଭିବୃଦ୍ଧି ବଢ଼ିଛି

ଦେଶର ଅଭିବୃଦ୍ଧି ସଞ୍ଚୟ ହାର ଯୋଗୁଁ ନୁହେଁ ବରଂ ନିବେଶରେ ବୃଦ୍ଧି ଯୋଗୁ ତ୍ୱରାନ୍ଵିତ ହୋଇଛି । ୨୦୦୦ ମସିହା ମଧ୍ୟରେ ଭାରତରେ ଦେଶର ନିବେଶ ଏବଂ ସଞ୍ଚୟ ହାର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । ଏହା ପରେ ସେଥିରେ ହ୍ରାସ ହୋଇଛି । ନିବେଶ ଏବଂ ସଞ୍ଚୟରେ ମାନ୍ଦାବସ୍ଥା ଏବେ ବି ଜାରି ରହିଛି। ସର୍ଭେରେ କୁହାଯାଇଛି, ସଞ୍ଚୟ ହାର କମିଲେ ଅଭିବୃଦ୍ଧି ହ୍ରାସ ପାଏନାହିଁ । କିନ୍ତୁ ନିବେଶ ହାର ହ୍ରାସ ପାଇଲେ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଥାଏ ।

ପୁଅଟିଏ ପାଇଁ ପ୍ରବଳ ଇଛା

ପୁଅଟିଏ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଇଛା ରହିଛି । ଏକଥା ସର୍ଭେରେ କୁହାଯାଇଛି । ଆବଶ୍ୟକ ସଂଖ୍ୟକ ପୁଅ ଜନ୍ମ ନହେବା ପର୍ଯ୍ୟନ୍ତ ଲୋକମାନେ ପିଲା ଜନ୍ମ କରିବା ଜାରି ରଖୁଛନ୍ତି । ପୁଅ ଓ ଝିଅ ଅନୁପାତ ଅପେକ୍ଷାକୃତ କମ୍ ରହିଛି । ଭାରତ ଓ ଇଣ୍ଡୋନେସିଆରେ ଜନ୍ମ ହେଉଥିବା ପୁଅ ଓ ଝିଅଙ୍କୁ ନେଇ ଏକ ତୁଳନାତ୍ମକ ଚିତ୍ର ସର୍ଭେରେ ପ୍ରଦାନ କରାଯାଇଛି ।

ଟିକସ ବିବାଦରେ ସଫଳତା ହାର କମ୍

ଟିକସ ବିଭାଗ ଅନେକ ବିବାଦରେ ଫସି ରହିଛି । କିନ୍ତୁ ଏ କ୍ଷେତ୍ରରେ ସଫଳତା ହାର ୩୦%ରୁ କମ୍ ସ୍ତରରେ ରହିଛି। ସର୍ଭେରେ କୁହାଯାଇଛି ଯେ ସରକାର ହସ୍ତକ୍ଷେପ କଲେ ଅନେକ ଟିକସ ବିବାଦକୁ ଏଡାଇ ଦିଆଯାଇପାରିବ ।

ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଟିକସ ଆଦାୟ କମ୍

ଭାରତର ବିଭିନ୍ନ ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ବିଭିନ୍ନ ସଂଘୀୟ ରାଷ୍ଟ୍ରଗୁଡ଼ିକର ରାଜ୍ୟ ତୁଳନାରେ କମ୍ ରହିଛି । ଭାରତ, ବ୍ରାଜିଲ ଏବଂ ଜର୍ମାନିର ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କ ମୋଟ ଟିକସ ଆଦାୟରେ ପ୍ରତ୍ୟକ୍ଷ ଟିକସର ଅବଦାନକୁ ଅନୁଶୀଳନ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅଶୋଧିତ ତୈଳ ଦର ଚିନ୍ତାର କାରଣ ହୋଇପାରେ

ଆନ୍ତର୍ଜାତିକ ବଜାରରେ ଯେଉଁ ହାରରେ ଅଶୋଧିତ ତୈଳ ଦର ବଢ଼ୁଛି ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ସୁଧାର ଯଦି କୌଣସି କାରଣରୁ ବାଧାପ୍ରାପ୍ତ ହେବ, ତାହା ମଧ୍ୟ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ। ଏଭଳି ବିପଦ ପ୍ରତି ସଜାଗ ରହିବାକୁ ପଡ଼ିବ। ଯେଉଁ ସବୁ ପ୍ରକାର ବିପଦକୁ ଏଡାଇବା ପାଇଁ ଭାରତ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ।

ସର୍ଭେରେ ସୁପାରିସ

• ବ୍ୟବସାୟ ଦୃଷ୍ଟିକୋଣରୁ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସଂଖ୍ୟା କମାଇବାକୁ ହେବ

• ଏୟାର ଇଣ୍ଡିଆର ଘରୋଇକରଣ ଶୀଘ୍ର କରାଯାଉ। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରକାରଙ୍କୁ ଏୟାର ଇଣ୍ଡିଆ ବିକ୍ରି ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ

• ଜିଏସଟି ନିୟମ ପାଳନ କରିବା ଯେଭଳି ଅଧିକ ସହଜ ହେବ ସେଭଳି ପଦକ୍ଷେପ ନିଆଯିବା ଦରକାର। ଜିଏସଟି ସ୍ଥିରତା ଆଣିବାକୁ ହେବ

• ଋଣକୁ ନେଇ ଯେଉଁ ସବୁ ଦେବାଳିଆ (ବ୍ୟାଙ୍କରପ୍‌ସି) ମାମଲା ଦାୟର ହୋଇଛି, ସେଗୁଡ଼ିକର ଶୀଘ୍ର ଫଇସଲା ହେବା ଦରକାର

• ଏନପିଏ ଉପରେ ଲଗାମ କଷିବାକୁ ପଡ଼ିବ

Comments are closed.