ଭାରତୀୟ ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଦେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : କହିଲା, ୧୮-୧୯ରେ ୭ରୁ ୭ ଦଶମିକ ୫ ହାରରେ ବଢିବ ଦେଶର ଅର୍ଥନୀତି

2

କନକ ବ୍ୟୁରୋ :  ବଜେଟ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ,ଆଜି ସଂସଦରେ ଭାରତର ଆର୍ଥିକ ଚିତ୍ର ପ୍ରତିଫଳନ କରୁଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଭାରତୀୟ ଅର୍ଥନୀତି ଉପରେ ଏକ ଗୋଲାପି ଚିତ୍ର ପ୍ରଦାନ କରିଛି ।

କିଛି ଏଭଳି ଢଙ୍ଗରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଏସଟି ଓ ବିମୁଦ୍ରାକରଣକୁ ଉପସ୍ଥାପନ କରାଯାଇଛି । ରିପୋର୍ଟ କହିଛି, ଜିଏସଟି ଓ ବିମୁଦ୍ରାକରଣ ପରେ କରଦାତାଙ୍କ ସଂଖ୍ୟା ସହ ଲୋକଙ୍କ ସଂଚୟ ମଧ୍ୟ ବଢିଛି । ପରୋକ୍ଷ ଭାବେ ଟିକସ ଦେଉଥିବା ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତ ବଢିଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଯାହା ଟିକସ ଆଦାୟ କ୍ଷେତ୍ରରେ ବେଶ ଉତ୍ସାହପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏ ସଂପର୍କରେ ସିଧା ସଂଖ୍ୟା ଦେବାକୁ ଯାଇ ରିପୋର୍ଟ କହିଛି, ନଭେମ୍ବର ୨୦୧୬ ତୁଳନାରେ ୧୮ଲକ୍ଷ ଅଧିକ କରଦାତା ଟ୍ୟାକ୍ସ ନେଟରେ ସାମିଲ ହୋଇଛନ୍ତି ।

ଜିଏସଟି ଉପରେ ଗୁରୁତ୍ୱ ଆରୋପ କରି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି, ଭାରତୀୟ ଅର୍ଥନୀତିକୁ ଜିଏସଟି ନୂଆ ଦିଗ ଦେଇଛି ଏବଂ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିମୁଦ୍ରାକରଣ ପରେ ଲୋକଙ୍କ ବ୍ୟକ୍ତଗତ ସଂଚୟ ବଢିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଜିଡିପି ୭ରୁ ୭ ଦଶମିକ ୫ ପ୍ରତିଶତ ବଢିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ କରିବା ପରେ ଭାରତୀୟ ଅର୍ଥନୀତି ପୁଣି ଟ୍ରାକକୁ ଫେରିବ ବୋଲି ଆଶା କରାଯାଉଛି । କିନ୍ତୁ ତା ଭିତରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦରବୃଦ୍ଧି ଏକ ଚିନ୍ତାର କାରଣ ହୋଇପାରେ ।

ତେବେ ଏସବୁ ବାଦ୍ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟରେ ସନ୍ତାନ ଜନ୍ମ ଉପରେ ଭାରତୀୟଙ୍କ ମାନସିକତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଅରବିନ୍ଦ ସୁବ୍ରମଣ୍ୟମ ଏହି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ପୁତ୍ର ସନ୍ତାନ ପାଇବା ପାଇଁ ଏକ ପରିବାର ଅପେକ୍ଷା କରେ । ଅଧିକ ସନ୍ତାନ ଜନ୍ମ ପଛରେ ପୁତ୍ର ସନ୍ତାନ ମୋହ ହିଁ ମୁଖ୍ୟ କାରଣ ବୋଲି ଏଥିରେ କୁହାଯାଇଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସର୍ଭେ ରିପୋର୍ଟରେ ପରାମର୍ଶ ମଧ୍ୟ ଦିଆଯାଇଛି । ଯେଭଳି ବ୍ୟବସାୟ କରିବା ପ୍ରତିବନ୍ଧକକୁ ଭାରତରେ ହଟାଗଲା, ସେହିଭଳି ପୁତ୍ରମୋହ ଦୂର କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର ବୋଲି ପରାମର୍ଶ ଦିଆଯାଇଛି ।

ସରକାରଙ୍କ ‘ବେଟି ବଚାଓ ବେଟି ପଢାଓ’ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଏଦିଗରେ ଏକ ଉଚିତ ପଦକ୍ଷେପ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ କହିଛି । ସେପଟେ ମହିଳାଙ୍କ ବିକାଶ କ୍ଷେତ୍ରରେ ଉତର ପୂର୍ବାଂଚଳ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଖିଦୃଶିଆ ହୋଇପାରିଛି । କିନ୍ତୁ ଦକ୍ଷିଣ ଭାରତ ବିଶେଷ କରି ଆନ୍ଧ୍ର ଓ ତାମିଲନାଡୁରେ ଏହା ଆଶାନୁରୂପ ହୋଇପାରିନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

Comments are closed.