ସରକାରଙ୍କ ‘ଥାଳି’ ଅର୍ଥନୀତି । ଖାଇବା ପାଇଁ ବୃଦ୍ଧି ପାଇଛି ଲୋକଙ୍କ କ୍ରୟକ୍ଷମତା, ଅର୍ଥନୈତିକ ସର୍ଭେ ରିପୋର୍ଟର ଆକଳନ, ଆସନ୍ତା ଆର୍ଥିକବର୍ଷରେ ଅଭିବୃଦ୍ଧି ରହିପାରେ ୬ରୁ ୬.୫ ପ୍ରତିଶତ ।

145

କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬ ଦଶମିକ ୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ବିରୋଧୀଙ୍କ ହୋହାଲ୍ଲା ଜୋର ହୋଇଥିଲା । ଏହା ପରେ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ଲୋକସେବାକୁ ମୁଲତବୀ କରିଛନ୍ତି । ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଆଗତ ହେବା ଆଗରୁ ସଂସଦ ଭବନ ପରିସରରେ ସଫଳତାର ସହ ଗୃହ କାମରେ ସହଯୋଗ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଏହି ଅଧିବେଶନରେ ଆର୍ଥିକ ସ୍ଥିତି ଓ ନୀତିକୁ ନେଇ ଚର୍ଚ୍ଚା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସରକାରଙ୍କ ‘ଥାଳି’ ଅର୍ଥନୀତି । ଭାତ ‘ଥାଳି’ର ଦର କମୁଛି ନା’ ବଢ଼ୁଛି ? ୨୦୧୯-୨୦ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସାଧାରଣ ଲୋକଙ୍କ ଅର୍ଥନୀତିକୁ ସରଳ ଭାଷାରେ ଯୋଡିଛନ୍ତି ସରକାର । ଯେତେବେଳେ ପିଆଜ ଦର ମୁଣ୍ଡ ବିନ୍ଧା ବଢ଼ାଇଛି, ଅଭିବୃଦ୍ଧି ହାର କମି କମି ଯାଉଛି, ସେତେବେଳେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତି ସୁବ୍ରମଣ୍ୟମ ‘ଥାଳି’ ଅର୍ଥନୀତି କଥା ଉଲ୍ଲେଖ କରିଛନ୍ତି । ସେ ବୁଝାଇବାକୁ ଉଦ୍ୟମ କରିଛନ୍ତି ଯେ ଖାଇବା ପାଇଁ ଲୋକଙ୍କ କ୍ରୟକ୍ଷମତା ବୃଦ୍ଧି ପାଇଛି । ଗୋଟିଏ ଥାଳି ଖାଦ୍ୟ ଅର୍ଥାତ ସୁଷମ ଖାଦ୍ୟ କିଣିବା କ୍ଷମତାରେ ବହୁ ଉନ୍ନତି ହୋଇଥିବା ଇକୋନମିକ୍ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ୨୦୦୬-୦୭ରୁ ୨୦୧୯-୨୦ ମଧ୍ୟରେ ଅର୍ଥାତ୍ ଗତ ୧୩ ବର୍ଷରେ ନିରାମିଷ ‘ଥାଳି’ କ୍ରୟ କ୍ଷମତା ୨୯ ପ୍ରତିଶତ ବୃଦ୍ଧି ପାଇଛି । ଆମିଷ ‘ଥାଳି’ କ୍ରୟ କ୍ଷମତା ୧୮ ପ୍ରତିଶତ ବଢିଛି । ୨୦୧୫-୧୬ରୁ ୨୦୧୯ ପର୍ଯ୍ୟନ୍ତ ନିରାମିଷ ଖାଇବା ‘ଥାଳି’ ଦର ହ୍ରାସ ପାଇଛି । ଅର୍ଥାତ ଭାତ, ରୁଟି, ଡାଲି ଓ ପରିବା ତରକାରୀ ଦାମ କମିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

୨୦୧୪-୧୫ରେ କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଯୋଗୁଁ ଖାଦ୍ୟ ଶସ୍ୟର ଦାମ କମିଥିବା ଦର୍ଶାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖାଇବା ଥାଳିର ଦାମ୍ ୨୦୧୯ରୁ ବୃଦ୍ଧି ପାଉଥିବା ଏହି ରିପୋର୍ଟରେ କୁହାଯାଇଛି ।

ସେପଟେ ପୁଣିଥରେ ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ କରି କହିଛନ୍ତି, ରପ୍ତାନୀ ବୃଦ୍ଧି, ସହଜ ବ୍ୟବସାୟ ପରିବେଶ ଓ ଉଦ୍ୟୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଦେଶର ଆର୍ଥିକ ଚିତ୍ର ଦେଖାଇବା ସହ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତି ସୁବ୍ରମଣ୍ୟମ ଦର୍ଶାଇଛନ୍ତି ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ୨୦୧୯ରେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିଛି । ୨୦୨୫ ସୁଦ୍ଧା ୪ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ୨୦୩୦ ସୁଦ୍ଧା ୮ କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।