ଅର୍ଥନୈତିକ ସର୍ଭେ-୨ : କୃଷି ଋଣଛାଡ଼ ଚିନ୍ତା

34

କନକ ବ୍ୟୁରୋ: କୃଷି ଋଣ ଛାଡ଼, ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ଏବଂ ଦ୍ରବ୍ୟ ଓ ସେବା କର (ଜିଏସଟି) ପ୍ରବର୍ତ୍ତନ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସାମୟିକ ଆହ୍ଵାନ ଆଦି କାରଣରୁ ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ (୬.୭୫%ରୁ ୭.୫%) ହାସଲ ହେବା ସହଜ ନୁହେଁ । ସଂସଦରେ ଉପସ୍ଥାପିତ ଆର୍ଥିକ ସର୍ଭେ (ଦ୍ୱିତୀୟ ଭାଗ) ରିପୋର୍ଟରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି । ବିଭିନ୍ନ ରାଜ୍ୟ ସରକାରଙ୍କ କୃଷି ଋଣ ଛାଡ଼ ପଦକ୍ଷେପକୁ ରିପୋର୍ଟରେ ନାପସନ୍ଦ କରାଯିବା ସହ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସତର୍କ କରାଇ ଦିଆଯାଇଛି ।

କୁହାଯାଇଛି ଯେ, କୃଷି ଋଣ ଛାଡ଼ ନିୟନ୍ତ୍ରିତ ମୁଦ୍ରାସ୍ଫୀତି ବଦଳରେ ଅବସ୍ଫୀତି ସୃଷ୍ଟି କରିବ; ଯାହା ଜାତୀୟ ଅର୍ଥନୀତିକୁ ଗୁରତର ଭାବେ ପ୍ରଭାବିତ କରିବ । ସମ୍ଭାବ୍ୟ ପରିସ୍ଥିରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ହେବା ସହ ଦେଶର ପୁଞ୍ଜି ଆକର୍ଷଣ ହ୍ରାସ ପାଇବ । ଫଳରେ ଛଟେଇ ବୃଦ୍ଧି ପାଇ ବେକାରୀ ସମସ୍ୟାକୁ ଉତ୍କଟ କରିବ । ସୁତରାଂ ଦେଶର ସାଧାରଣ ଜନତା ସମ୍ଭାବ୍ୟ ଅବସ୍ଫୀତି ଯୋଗୁଁ କ୍ଷତିଗ୍ରସ୍ତ ହେବେ ।

କୃଷି ଋଣ ଛାଡ଼ ସମ୍ପର୍କରେ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ଏ ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିଥିବା ରାଜ୍ୟଗୁଡ଼ିକ ମୁଣ୍ଡରେ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିଛି । ଯଦି ସବୁ ରାଜ୍ୟ କୃଷି ଋଣ ଛାଡ଼ କରନ୍ତି, ତେବେ ଅତିରିକ୍ତ ଆର୍ଥିକ ବୋଝ ୨ ଲକ୍ଷ ୭୦ ହଜାର କୋଟି ଟଙ୍କାକୁ ଟପିବ । କେବଳ ଏହି କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୦.୭% ଅଧିକ ହେବ। ଫଳରେ ଜାତୀୟ ଅଭିବୃଦ୍ଧି ହାର ସିଧାସଳଖ ହ୍ରାସ ପାଇବ । ଜିଏସଟି ଲାଗୁ ପରେ ଶକ୍ତି, ଟେଲି ଯୋଗାଯୋଗ, କୃଷି, ମୁଦ୍ରା ବିନିମୟ ହାର ଆଦି ବିଭିନ୍ନ କ୍ଷେତ୍ର ଆହ୍ଵାନର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଗତବର୍ଷ ନଭେମ୍ବରରେ ଯେଉଁ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା ତାହାର ଲାଭ ଦୀର୍ଘ ସମୟ ପର୍ଯ୍ୟନ୍ତ ମିଳିବ । ବିମୁଦ୍ରାକରଣ ଯୋଗୁଁ ଟିକସଦାତାଙ୍କ ସଂଖ୍ୟା ବଢ଼ିଛି । ୫.୪ ଲକ୍ଷ ନୂଆ ଟିକସଦାତା ସାମିଲ ହୋଇଛନ୍ତି ବୋଲି ସର୍ଭେରେ କୁହାଯାଇଛି । ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଲାଗୁ ହେବାର କିଛି ଦିନ ଭିତରେ ଟିକସଦାତାଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି ବୋଲି ସର୍ଭେରେ କୁହାଯାଇଛି ।

ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ହାର ଏବଂ ଏନପିକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ତୁଳନାରେ ଘରୋଇ ବ୍ୟାଙ୍କ ଋଣ ପ୍ରଦାନରେ ଆଗୁଆ ରହିଛନ୍ତି । ଅଣସଂଗଠିତ ଏବଂ ଋତୁଗତ ନିଯୁକ୍ତିକୁ ନେଇ ବଡ଼ ଧରଣର ବିପଦ ସୃଷ୍ଟି ହାଇଛି । ଦକ୍ଷତାର ଅଭାବ ଏବଂ ନିଯୁକ୍ତିର ଅଭାବକୁ ନେଇ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି । କଠୋର ନିୟମ କାନୁନ ଯୋଗୁଁ ଶ୍ରମ ବଜାର ପ୍ରଭାବିତ ହେଉଥିବା ସର୍ଭେରେ କୁହାଯାଇଛି ।

ସର୍ଭେ ରିପୋର୍ଟରେ କୃଷି, ଶିଳ୍ପ, ଭିତ୍ତିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଏହି ସବୁ କ୍ଷେତ୍ରରେ ସଂସ୍କାର ବଢ଼ାଇବାକୁ ସରକାରଙ୍କୁ ସର୍ଭେରେ ପରାମର୍ଶ ଦିଆଯାଇଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦରବୃଦ୍ଧିର ମୁକାବିଲା କରିବା ପାଇଁ ମାର୍କେଟିଂ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ସୁପାରିସ କରାଯାଇଛି । କୃଷି ଉତ୍ପାଦନ ପ୍ରତି ରହିଥିବା ବିପଦକୁ ଦୂର କରିବା ପାଇଁ ଅଧିକ ଜମିରେ ଜଳସେଚନ ସୁବିଧା ପହଞ୍ଚାଇବା କଥା କୁହାଯାଇଛି ।

କୃଷି କ୍ଷେତ୍ର ପାଇଁ ଗୁଣାତ୍ମକ ବିହନ ଯୋଗାଇ ଦେବା ଏବଂ କୀଟନାଶକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ସର୍ଭେରେ କୁହାଯାଇଛି । ଦୁଗ୍ଧ ଚାଷ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ାଇବା ପାଇଁ ଉଦ୍ୟମ କରିବାକୁ ସରକାରଙ୍କୁ କୁହାଯାଇଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀମାନଙ୍କୁ ଠିକ୍ ସମୟରେ ସୁଲଭ ସୁଧ ହାରରେ ସଂଗଠିତ ଏବଂ ସଂସ୍ଥାଗତ ଋଣ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଭିନ୍ନ ସାମଗ୍ରୀ ଉପରେ ଲଗାଯାଇଥିବା ଷ୍ଟକ୍ ଲିମିଟ୍ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି ।