କମାଲ କଲେ ଭୁବନେଶ୍ୱରର ଅହମଦ୍-ପ୍ରେମ୍ । ଉଦ୍ଭାବନ କଲେ ପ୍ଲାଷ୍ଟିକ୍ ଫ୍ରି ପେନ୍, ମାଟିରେ ନଷ୍ଟ ହେବାପରେ ପେନରୁ ଉଠିବ ଗଛ ।

ଆଧୁନିକ ଯୁଗରେ ପନିପରିବା, ଫୁଲ, ଫଳ ଏବଂ ଅଦରକାରୀ ଖବର କାଗଜରୁ ତିଆରି ପେନ୍ କେବେ ଦେଖିନଥିବେ । କିନ୍ତୁ ଏଭଳି ଅବିଶ୍ୱସନୀୟ କାର୍ଯ୍ୟକୁ ବାସ୍ତବରେ ପରିଣତ କରିଛନ୍ତି ଭୁବନେଶ୍ୱରର ଅହମଦ୍-ପ୍ରେମ୍ ।

505

କନକ ବ୍ୟୁରୋ: ଆପଣଙ୍କ ଜୀବନରେ ଏମିତି ଅନେକ ଦାମୀ ଏବଂ କମ୍ ଦାମର ପେନ୍ ଦେଖିଥିବେ । ହେଲେ ଆଧୁନିକ ଯୁଗରେ ପନିପରିବା, ଫୁଲ, ଫଳ ଏବଂ ଅଦରକାରୀ ଖବର କାଗଜରୁ ତିଆରି ପେନ୍ କେବେ ଦେଖିନଥିବେ । କିନ୍ତୁ ଏଭଳି ଅବିଶ୍ୱସନୀୟ କାର୍ଯ୍ୟକୁ ବାସ୍ତବରେ ପଣିତ କରିଛନ୍ତି ଦୁଇ ଓଡ଼ିଶାର ଯୁବକ । ଭୁବନେଶ୍ୱରର ପ୍ରେମ୍ ପାଣ୍ଡେ ଏବଂ ଏମ.ଡି ଅହମଦ୍ ରାଜା ଏହି ପ୍ଲାଷ୍ଟିକ୍ ଫ୍ରୀ ‘ୟୁଜ୍ ଥ୍ରୋ ପେନ୍’କୁ ଉଦ୍ଭାବନ କରିଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଇକୋ ଫ୍ରେଣ୍ଡଳୀ ପେନ୍ ର ନାମ ‘ଲିଖନା’ ରଖାଯାଇଛି ।

କେବଳ ରାଜ୍ୟ ନୁହେଁ ବରଂ ଦେଶ ବିଦେଶରେ ୟୁଜ୍ ଆଣ୍ଡ ଥ୍ରୋ ପେନର ଚାହିଦା ଏବେ ବଢ଼ିବାରେ ଲାଗିଛି । ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ବେଶ୍ ଚାହିଦା ରହିଛି । ହେଲେ ଏହି ‘ୟୁଜ୍ ଆଣ୍ଡ ଥ୍ରୋ’ ପେନ୍ ପ୍ଲାଷ୍ଟିକରେ ତିଆରି ହେଉଥିବାରୁ ପରିବେଷ ପ୍ରଦୂଷଣ ହେବାରେ ଲାଗୁଛି । ତେଣୁ ଏହି ସଙ୍କଟରୁ ମୁକୁଳିବା ପାଇଁ ଦୁଇ ଓଡ଼ିଶାର ଯୁବକ ବାହାର କରିଛନ୍ତି ଏକ ନୂଆ ଉପାୟ । ଆଉ ଉଦ୍ଭାବନ କରିଛନ୍ତି ଇକୋ ଫ୍ରେଣ୍ଡଲୀ ଅର୍ଥାତ୍ ପରିବେଶ ଅନୁକୂଳ ପେନ୍ । ସବୁଠାରୁ ବଡ଼ କଥ ହେଲା କି, ମାତ୍ର ୫ ଟଙ୍କା ଓ ୭ ଟଙ୍କା ଦେଇ ଦୁଇ ପ୍ରକାରର ପ୍ଲାଷ୍ଟିକ୍ ମୁକ୍ତ ପେନର କିଣିପାରିବେ ।

ଅନ୍ୟପଟେ ଏହି ପେନ୍ ର ଆବିଷ୍କାରକ ପ୍ରେମ୍ ପାଣ୍ଡେ କହିଛନ୍ତି କି, ଦିନକୁ ଦିନ ପରିବେଶ ପ୍ରଦୂଷଣ ହେଉଥିବାରୁ ଏହି ପେନ୍ ତିଆରି କରିବାକୁ ଆମେ ଚିନ୍ତା କରିଥିଲୁ । ପୂର୍ବରୁ ବ୍ୟବହାର ହେଉଥିବା ୟୁଜ୍ ଆଣ୍ଡ୍ ଥ୍ରୋ ପେନ୍ ସହଜରେ ମାଟିରେ ନଷ୍ଟ ହୁଏ ନାହିଁ ଏବଂ ପରିବେଶକୁ ପ୍ରଦୂଷଣ କରିଥାଏ । ତେବେ ଏହି ପେନର ରିଫିଲକୁ ବାଦ୍ ଦେଲେ ପେନ୍ କଭରଟି ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ । ଅନ୍ୟପଟେ ଆଗାମୀ ଦିନରେ ଏହାର ରିଫିଲ୍ କୁ ମଧ୍ୟ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ପ୍ରେମ ପାଣ୍ଡେ ।

ସେହିଭଳି ଅନ୍ୟ ଆବିଷ୍କାରକ ଏମ.ଡି ରାଜା କହିଛନ୍ତି ଯେ, ଏହି ୟୁଜ ଆଣ୍ଡ୍ ଥ୍ରୋ ପେନକୁ ବ୍ୟବହାର କରି ସପ୍ତାହକ ମଧ୍ୟରେ ଅତି ସହଜରେ ମାଟିରେ ପୋତି ନଷ୍ଟ କରିହେବ । ସବୁଠାରୁ ବଡ଼ କଥା ହେଲା କି, ଏହି ପେନ୍ ନଷ୍ଟ ହେବାପରେ ସେଥିରୁ ବିଭିନ୍ନ ଗଛ ଉଦ୍ଭିଦ ହୋଇପାରିବ । ଏହି ପେନ୍ କୁ ନେଇ କେବଳ ଭାରତ ନୁହେଁ ବରଂ ଜର୍ମାନୀ ଏବଂ ଅଷ୍ଟ୍ରେଲିଆରୁ ଭଲ ମତାମତ ମିଳିଛି । ଏହି ସେଠାକାର ବଜାରରେ ମଧ୍ୟ ଉପଲବ୍ଧ ହୋଇସାରିଛି ବୋଲି କହିଛନ୍ତି ରାଜା ।