ନିର୍ବାଚନ କମିଶନ ଆଗରେ ଗଳାବାଟର ଠିକଣା କହିଲେ ରାଜନୈତିକ ଦଳ! ବିଜେଡି, ବିଜେପି  ଓ କଂଗ୍ରେସ କହିଲେ ନିର୍ବାଚନ ବୈତରଣୀ ପାର କରିବାକୁ କେମିତି କରାଯାଉଛି ଚକ୍ରାନ୍ତ 

153

କନକ ବ୍ୟୁରୋ : କେଉଁଠି ହୋଇପାରେ ନିର୍ବାଚନରେ ଅନିୟମିତତା ? ନିର୍ବାଚନ ବୈତରଣୀ ପାର ହେବାକୁ କେମିତି ରାଜନୈତିକ ଦଳ କରିପାରନ୍ତି ଚକ୍ରାନ୍ତ ? କେନ୍ଦ୍ର ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ ସମୟରେ ଏମିତି କିଛି ସନ୍ଦେହାତ୍ମକ ଦିଗକୁ ନେଇ ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ଗସ୍ତ କରିବା ଅବସରରେ ଆଜି ଭୁବନେଶ୍ୱରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ ସନ୍ଦେହ ପ୍ରକାଶ କରିଛି ବିଜେଡି ।

୧- ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ମାଧ୍ୟମରେ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି ଧର୍ମେନ୍ଦ୍ର ।

୨- ଏହା ସହ ବିଜେପିର ପ୍ରତିଶୃ୍ତି ପତ୍ରକୁ ମଧ୍ୟ ବିରୋଧ କରିଛି ବିଜେଡି ।

୩- ନିର୍ବାଚନ ବେଳେ ଓଡିଶା ଆସୁଥିବା କେନ୍ଦ୍ର ନେତାଙ୍କ ହେଲିକପ୍ଟର ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ବିଜେଡି ।

ସେପଟେ ଅନୁରୂପ ଭାବରେ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି ବିରୋଧୀ ।

୧. ଶାସକଦଳର ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ଟାର୍ଗେଟ କରିଛନ୍ତି ବିରୋଧୀ

୨. ବିଜୁ ଯୁବ ବାହିନୀ ନାମରେ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଗୁଣ୍ଡା ବାହିନୀ ତିଆରି କରିଥିବା ଅଭିଯୋଗ କରତଛନ୍ତି ।

୩. ରାଜ୍ୟର ୧୧ ଜଣ ଆଇଏଏସ୍ ଓ ଆଇପିଏସ ସରକାରୀ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ଓ ତୁରନ୍ତ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ଜଣାଇଛି ରାଜ୍ୟ ବିଜେପି ।

ତିନି ଦିନିଆ ଗସ୍ତରେ ଓଡିଶା ଆସିଥିବା ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳ ନିର୍ବାଚନ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିବା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିବେ । ତେବେ ରାଜନୈତିକ ଦଳ ଅନିୟମିତତାକୁ ନେଇ ଯେଉଁ ସନ୍ଦେହ ପ୍ରକଟ କରୁଛନ୍ତି, ତାକୁ ନେଇ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା ଉପରେ ରହିବ ନଜର ।