ବିଜେପୁର ଉପ-ନିର୍ବାଚନର ୧୫ ଦିନ ପୂର୍ବରୁ ବଦଳିଲେ ବରଗଡ଼ ଜିଲ୍ଲାପାଳ ଏବଂ ଏସପି ! ଯାମିନୀ ଷଡଙ୍ଗୀ ଓ ଜୟ ନାରାୟଣ ପଙ୍କଜଙ୍କୁ ମିଳିଲା ନୂଆ ଦାୟିତ୍ୱ

46

କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ବଡ ଧରଣର ପରିବର୍ତନ । ବଦଳିଲେ ବରଗଡ ଏସପି ଓ କଲେକ୍ଟର । ଯାମିନୀ ଷଡଙ୍ଗୀ ବରଗଡ଼ର ନୂଆ ଜିଲ୍ଲାପାଳ ହୋଇଥିବା ବେଳେ ଜୟ ନାରାୟଣ ପଙ୍କଜ ନୂଆ ଏସପି ଭାବରେ ନିଯୁକ୍ତି ମିଳିଛି । ଯାମିନୀଙ୍କୁ ଖଗେନ୍ଦ୍ର କୁମାର ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଜୟ ନାରାୟଣଙ୍କୁ ଜୁଗଳ କିଶୋରଙ୍କ ସ୍ଥାନ ନେବେ ।

କିଛି ଦିନ ତଳେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରିଚାଳନାରେ ହେଉଥିବା ପକ୍ଷପାତିତା ବାବଦରେ ଅଭିଯୋଗ କରିଥିଲେ । ଯେଉଁଥିରେ ବିଜେପି କର୍ମୀଙ୍କୁ ହୋଇଥିବା ଗୁଳିମାଡ ମଧ୍ୟ ଉଲ୍ଲେଖ ଥିଲା । ସେହିଭଳି ମୋଦିଙ୍କ ମନ୍ କି ବାତ୍ ସମୟରେ ହୋଇଥିବା ଅପ୍ରିତୀକର ସ୍ଥିତି ବାବଦରେ ମଧ୍ୟ ବିଜେପି ଫେରାଦ୍ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏସପି ଓ ଜିଲ୍ଲାପାଳଙ୍କ ବାବଦରେ ଫେରାଦ୍ ହୋଇଥିଲେ ।

ଏହାପରେ ତିନି ଜଣ ଦକ୍ଷ ଆଇଏଏସଙ୍କ ନାଁ ସୁପାରିଶ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ତେବେ ରାଜ୍ୟ ସରକାର ନାଁ ସୁପାରିଶ କରିବା ପରେ ଏବେ ଉଭୟ ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରି ଯାମିନୀ ଓ ଜୟଶଙ୍କରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ନିର୍ବାଚନକୁ ମାତ୍ର ୧୫ଦିନ ବାକି ଥିବା ବେଳେ ଏଭଳି ପରିବର୍ତ୍ତନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।