ଭୋଟ୍ ପାଇଁ ଉଡୁଛି ଟଙ୍କା । ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା, ଏପର୍ଯ୍ୟନ୍ତ ସିଜ୍ ହେଲାଣି ୨,୬୨୮ କୋଟି ୪୩ ଲକ୍ଷ ଟଙ୍କା । 

158

କନକ ବ୍ୟୁରୋ : ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ । ଏହା ସହିତ ବିଭିନ୍ନ ସ୍ଥାନରେ ନିର୍ବାଚନ କମିଶନଙ୍କ ଟିମର ଚଢଉ ବି ଜାରି ରହିଛି । ଏହା ମଧ୍ୟରେ ଯେଉଁ ତଥ୍ୟ ଆସୁଛି ତାହା ବେଶ୍ ଚିନ୍ତା ଜନକ । ବ୍ୟାପକ ଚଢାଉରେ ୧୭ ଅପ୍ରେଲ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୨ ହଜାର ୬ ଶହ ୨୮ କୋଟି ୪୩ ଲକ୍ଷ ଟଙ୍କା ସହିତ ନିଷିଦ୍ଧ ସାମଗ୍ରୀ ଜବତ ହୋଇଛି ।  ଜବତ ଟଙ୍କା ମଧ୍ୟରୁ କେବଳ ୬୯୪ କୋଟି ୫୦ ଲକ୍ଷ ହେଉଛି ନଗଦ ଟଙ୍କା । ଗୁଜୁରାଟରୁ ଜବତ ହୋଇଛି ସର୍ବାଧିକ ୫୪୩ କୋଟି । ଏହା ପଛକୁ ରହିଛି ତାମିଲନାଡୁ । ଏଠାରୁ ୫୧୪ କୋଟି ଜବତ ହୋଇଛି ।

ଭୋଟ ପାଇଁ ଉଡୁଛି ଟଙ୍କା । ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା । ବିଭିନ୍ନ ରାଜନୈତିକ ଦଳ ବର୍ତମାନ ଭୋଟରଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିିବା ବେଳେ ଉପହାରରେ ଦିଆଯାଉଛି ଟଙ୍କା, ସୁନା ଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀ  । ଯାହାକି ନିର୍ବାଚନ ଆଚରଣ ବିଧିର ସଂପୂର୍ଣ୍ଣ ଉଲଙ୍ଘନ ହେଉଛି । ତେବେ ୨୦୧୪ କଥାକୁ ବିଚାରକୁ ନେଲେ ସେ ସମୟରେ ୧୨୦୦ କୋଟି ଟଙ୍କା ଜବତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୧୯ ନିର୍ବାଚନରେ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳକୁ ଏହି ରାଶି ବୃଦ୍ଧି ପାଇଁ ୨୬୦୦ କୋଟି ହୋଇଛି ।

ଆଗକୁ ଆହୁରି ବାକି ଅଛି ୫ଟି ପର୍ଯ୍ୟାୟ ନିର୍ବାଚନ । ପ୍ରତିଦିନ ଅଧିକରୁ ଅଧିକ ନଗଦ ଟଙ୍କା ଜବତ ହେଉଥିବାରୁ ନିର୍ବାଚନ ଶେଷ ବେଳକୁ ଏହି ପରିମାଣ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଚାରିଆଡେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ, ସର୍ଭେଲାନ୍ସ ଟିମ୍ ଆୟକର ବିଭାଗ ଦ୍ୱାରା ଯାଂଚ କରାଯାଉଛି । ବ୍ୟାପକ ଚଢାଉ ସତ୍ୱେ ମିଳିଥିବା ରିପୋର୍ଟ ଅନୁସାରେ ଜଣାପଡିଛି ୧୭ ତାରିଖ ସୁଦ୍ଧା ୨୬୨୮ କୋଟି ୪୩ ଲକ୍ଷ ଟଙ୍କା ସହ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି ।  ସେଥିମଧ୍ୟରୁ ୬୯୪ କୋଟି ୫୦ ଲକ୍ଷ ହେଉଛି କେବଳ ନଗଦ ଟଙ୍କା । ଗୁଜୁରାଟରୁ ସର୍ବାଧିକ ୫୪୩ କୋଟି ଟଙ୍କା ଜବତ ହୋଇଥିବା ବେଳେ ତାମିଲନାଡୁରୁ ୫୧୪କୋଟି, ଦିଲ୍ଲୀରୁ ୩୯୦ କୋଟି ଆନ୍ଧ୍ରପ୍ରଦେଶରୁ ୨୧୬ କୋଟି, ପଞ୍ଜାବରୁ ୨୦୯ କୋଟି ଏବଂ ଉତ୍ତରପ୍ରଦେଶରୁ ୧୭୨ କୋଟି ଟଙ୍କା ଜବତ କରାଯାଇଛି ।

ତେବେ ସବୁଠୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ତାମିଲନାଡୁରେ । କେବଳ ତାମିଲନାଡୁରେ ଜଣେ ଦଳୀୟ କର୍ମୀଙ୍କ ଘରୁ ଜବତ ହୋଇଥିଲା ୧୧କୋଟି ଟଙ୍କା । ତାମିଲନାଡୁ ପଛକୁ ରହିଛି ଆନ୍ଧ୍ରପଦେଶ । ଆନ୍ଧ୍ରରେ ବର୍ତମାନ ସୁଦ୍ଧା ଜବତ ହୋଇଛି ୧୩୭ କୋଟି ଟଙ୍କା । ଚଳିତବର୍ଷ ନିର୍ବାଚନରେ କେବଳ ଟଙ୍କା ନୁହେଁ ଡର୍ଗ୍ସ ବି ଜବତ ହୋଇଛି । ବର୍ତମାନ ସୁଦ୍ଧା ୧୧୫୨ କୋଟି ଟଙ୍କାର ଡର୍ଗ୍ସ ଜବତ ହୋଇସାରିଛିି । ଗୁଜୁରାଟରେ ସର୍ବାଧିକ ଡର୍ଗ୍ସ ଜବତ ହୋଇଥିବା ବେଳେ ଏହା ପଛକୁ ରହିଛି ପଞ୍ଜାବ । ଗତ ମାର୍ଚ୍ଚ ୨୮ ତାରିଖରେ ଗୁଜୁରାଟର ପୋର ବନ୍ଦରରୁ ୧୦୦ କିଲୋ ଓଜନର ହେରୋଇନ ଜବତ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ । ସେହିପରି ସୁନା ୫୧୨ କୋଟି ଟଙ୍କାର ଜବତ ହୋଇଥିବା ବେଳେ ୨୧୮ କୋଟି ଟଙ୍କାର ମଦ ଜବତ ହୋଇଛି । କେବଳ ତାମିଲନାଡୁରେ ୨୯୪ କୋଟି ଟଙ୍କାର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶରୁ ୭୧କୋଟି, ମହାରାଷ୍ଟ୍ରରୁ ୪୫ କୋଟି ଏବଂ ଆନ୍ଧ୍ରରୁ ୩୩ କୋଟି ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି ବୋଲି ନିର୍ବାଚନ କମିଶନ ସୂତ୍ରରୁ ଜଣାପଡିଛି ।