ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ! ପ୍ରଚାର ବନ୍ଦ ପରେ ରାହୁଲଙ୍କ ସାକ୍ଷାତକାର ପ୍ରସାରଣ ନେଇ ନିର୍ବାଚନ କମିଶନଙ୍କ ଆଗରେ ବିଜେପିର ଫେରାଦ

36

କନକ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ଆଜି ହେଉଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୁଆ ବିବାଦରେ ଫସିଯାଇଚନ୍ତି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମତଦାନର ୪୮ ଘଂଟା ପୁର୍ବରୁ ରାହୁଲ ଏକ ଜାତୀୟ ଗଣମାଧ୍ୟମକୁ ଇଂଟରଭିୟୁ ଦେଇଥିଲେ । ଯେଉଁଥିରେ ସେ ଭାଜପାକୁ କଡା ଭାଷାରେ ସମାଲୋଚନା କରିଥିଲେ । ଏହାକୁ ବିରୋଧ କରି ଭାଜପା ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯାଇଛି ।

ନିୟମ ମୁତାବକ, ନିର୍ବାଚନର ୪୮ ଘଂଟା ପୁର୍ବରୁ ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ଆରୋପ ପ୍ରତ୍ୟାରୋପ କରାଯିବ ନାହିଁ । କିନ୍ତୁ ରାହୁଲ ଏହାକୁ ମାନିନଥିଲେ । ରାହୁଲଙ୍କୁ ଆସନ୍ତା ୧୮ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ମଧ୍ୟ କମିଶନ କହିଛନ୍ତି । ଏହି ସାକ୍ଷାତକାର ପ୍ରସାରଣ କରିଥିବା ଚ୍ୟାନେଲକୁ ମଧ୍ୟ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ଏହି ଚ୍ୟାନେଲ ବିରୋଧରେ ମଧ୍ୟ ମାମଲା ରୁଜୁ କରିବାକୁ କହିଛନ୍ତି କମିଶନ ।

ସେପଟେ ମୋଦିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କଂଗ୍ରେସର ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ମୋଦିଙ୍କ ସହ ଅମିତ ଶାହା, ଅରୁଣ ଜୋଟେଲି ଓ ପିୟୁଷ ଗୋଏଲଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ ।