ଲାଗୁ ହେଲା ଆଦର୍ଶ ଆଚରଣ ବିଧି: ଭୋଟରଙ୍କୁ ଲାଂଚ ଦେଇ ଭୋଟ ପାଇଁ ପ୍ରଭାବିତ କରିପାରିବେନି ପ୍ରାର୍ଥୀ, ଜାଣନ୍ତୁ କଣ କହୁଛି ଆଚାର ସଂହିତାର ଗାଇଡଲାଇନ୍

କୌଣସି ବ୍ୟକ୍ତିଙ୍କ ଘର ଆଗରେ ଧାରଣା ଓ ବିକ୍ଷୋଭ କରିବା ନିଷେଧ, ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ

448

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଆଦର୍ଶ ଆଚରଣ ବିଧିର ଅର୍ଥ ହେଉଛି – ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ଦଳ ଓ ପୋଲିଂ ଏଜେଂଟମାନେ କ’ଣ କରିବେ ଓ କ’ଣ କରିବେ ନାହିଁ, ତା’ର ଗାଇଡଲାଇନ୍ । ନିର୍ବାଚନ କମିସନଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ ଇସ୍ତାହାର, ନେତାମାନଙ୍କ ଭାଷଣ ଓ ରାଲି, ସଭା ଆଦି କରାଯିବ । ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ପ୍ରକ୍ର୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ଜାରି ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ାକଡ଼ି ଭାବେ ଏହାକୁ ପାଳନ କରିବେ ।

ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଆଚରଣ :

କେବଳ ନୀତି ଓ କାର୍ଯ୍ୟକ୍ରମ ନେଇ ଦଳଗୁଡିକ ପରସ୍ପରକୁ ସମାଲୋଚନା କରିପାରିବେ

ଭୋଟ ପାଇଁ ଜାତି ଓ ଧାର୍ମିକ ପ୍ରବଣତା ସୃଷ୍ଟି କରିବା ଉପରେ କଟକଣା

ସତ୍ୟାସତ୍ୟ ନଥିବା ଘଟଣା ନେଇ କାହାରିକୁ ସମାଲୋଚନା କରିପାରିବେ ନାହିଁ

ଭୋଟରଙ୍କୁ ଲାଂଚ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଉପରେ କଟକଣା

କୌଣସି ବ୍ୟକ୍ତିଙ୍କ ଘର ଆଗରେ ଧାରଣା ଓ ବିକ୍ଷୋଭ କରିବା ନିଷେଧ

ନିର୍ବାଚନୀ ସଭା ଓ ରାଲି :

ନିର୍ବାଚନ ସଭା କରିବା ପୂର୍ବରୁ ରାଜନୈତିକ ଦଳ ସ୍ଥାନୀୟ ପୋଲିସକୁ ଅବଗତ କରିବା । କେଉଁଠି ସଭା ହେବ, କେତେବେଳେ ସଭା ହେବ ପୋଲିସକୁ ଜଣାଇବା । ଯଦି ସମାନ ରାସ୍ତାରେ ଦୁଇ କିମ୍ବା ଅଧିକ ପ୍ରାର୍ଥୀ ରାଲି କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଯେପରି ପରସ୍ପରର ମୁହାଁମୁହିଁ ନହେବେ ସେଥିପାଇଁ ଆୟୋଜକମାନେ ପୂର୍ବରୁ ନିଶ୍ଚିନ୍ତ କରିବେ । ରାଲିରେ କୌଣସି ନେତାଙ୍କ ପ୍ରତିକୃତି ନେବା ଉପରେ କଟକଣା । କୁଶ ପୁତଳିକା ଦାହ ଭଳି କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି ।

ଶାସକ ଦଳ ଉପରେ କଟକଣା:

ଶାସକ ଦଳ କିପରି କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ, ସେଥିପ୍ରତି କଯକଣା ଜାରି କରିଛନ୍ତି ନିର୍ବାଚନ କମିସନ । ମନ୍ତ୍ରୀମାନେ ସରକାରୀ ଗସ୍ତ ବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟ କରିପାରିବେନାହିଁ । ପ୍ରଶାସନିକ କଳକୁ ନିଜ ପ୍ରଚାରରେ ବ୍ୟବହାର କରିପାରିବେ ନାହିଁ । ନିଜ ଭାବମୂର୍ତ୍ତି ପାଇଁ ସରକାରୀ ଖର୍ଚ୍ଚରେ ଶାସକ ଦଳ କୌଣସି ବିଜ୍ଞାପନ ପ୍ରକାଶ କରି ପାରିବେନାହିଁ । ଶାସକ ଦଳ କୌଣସିପ୍ରକାର ଯୋଜନା ଘୋଷଣା କରି ପାରିବେନାହିଁ । ରାସ୍ତାଘାଟ, ପାନୀୟ ଜଳ, ଆଶ୍ରୟ ସ୍ଥଳ ନିର୍ମାଣ ଭଳି କୌଣସି ଜନହିତକର ପ୍ରକଳ୍ପ ଘୋଷଣା କରିବା ମନା । କୌଣସି ଆର୍ଥିକ ଅନୁଦାନ ଦେବା ବା ଘୋଷଣା କରିବା ଉପରେ ମଧ୍ୟ କଟକଣା ରହିଛି ।

ମତଦାନ କେନ୍ଦ୍ର:

ପୋଲିଂ ବୁଥରେ ରାଜନୈତିକ ଦଳର ଅଧିକୃତ ସଦସ୍ୟଙ୍କୁ ପରିଚୟ ବ୍ୟାଜ୍ ଦିଆଯିବ । ସେଥିରେ ଦଳର ନାଁ, ଚିହ୍ନ ଓ ପ୍ରାର୍ଥୀଙ୍କ ନାମ ଉଲ୍ଲେଖ ରହିବ ନାହିଁ । ନିର୍ବାଚନ କମିସନଙ୍କ ଅନୁମୋଦିତ ଯେକୌଣସି ପରିଚୟ ପତ୍ର ଥିବା ଭୋଟରଙ୍କୁ ମତଦାନ କେନ୍ଦ୍ର ଭିତରକୁ ଯିବାକୁ ଅନୁମତି ମିଳିବ । ଯେଉଁ ଦଳ କିମ୍ବା ପ୍ରାର୍ଥୀ ଆଦର୍ଶ ଆଚରଣ ବିଧି ଉଲଂଘନ କରିବେ, ସେମାନଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।