ସାରା ରାଜ୍ୟରେ ବର୍ଷାର ବିଭିଷୀକା । ଲଗାଣ ବର୍ଷା ପ୍ରଭାବରେ ଏକାଧିକ ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ ।

30

କନକ ବ୍ୟୁରୋ: ଲଗାଣ ବର୍ଷା ଏବଂ ତିତଲି ଯୋଗୁଁ ବାତିଲ ହେଲା ଟ୍ରେନ୍ । ପୂର୍ବତଟ ରେଳପଥ ଅଧୀନରେ ଥିବା ଏକାଧିକ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଥିବା ସୁଚନା ଦେଇଛି ପୂର୍ବତଟ ରେଳବାଇ। ଏଥିରେ ପଲାସା ଷ୍ଟେସନ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ସେହିଭଳି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ଥିବା ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମ ସେଲ୍ଟର ଓ ଫୁଟ୍ ଓଭରବ୍ରିଜ ଗୁଡ଼ିକ କ୍ଷତିଗସ୍ତ ହୋଇଛି । ପଲାସା-କୋଟ୍ଟାବୋମାଲି ଷ୍ଟେସନ ମଧ୍ୟରେ ସିଗନାଲ୍ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ବିଦ୍ୟୁତ୍ ସ˚ଯୋଗ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁର ଓ କୋଟ୍ଟାବୋମାଲି ମଧ୍ୟରେ ଟ୍ରାକ୍ ଉପରେ ଗଛ ଭାଙ୍ଗିପଡ଼ିବା ହେତୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗତ ୧୦ରୁ ୧୩ ତାରିଖ ମଧ୍ୟରେ ୧୧ଟି ଟ୍ରେନ୍ ବାତିଲ୍ ହୋଇଛି । ଆସନ୍ତାକାଲି ହାୱଡ଼ାରୁ ଛାଡ଼ୁଥିବା ହାୱାଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାୱଡା-ଯଶବନ୍ତପୁର ଏକ୍ସପ୍ରେସ୍, ବାଙ୍ଗାଲୁରୁ-ଭୁବନେଶ୍ବର ପ୍ରଶାନ୍ତି ଏକ୍ସପ୍ରେସ୍, ୧୩ ତାରିଖ ପାଇଁ ଯଶବନ୍ତପୁର-ବଗଲପୁର ଏକ୍ସପ୍ରେସ୍ ବାତିଲ କରାଯାଇଛି । ୧୧ ତାରିଖ ପାଇଁ ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍, ଭୁବନେଶ୍ବର-ବିଶାଖାପାଟନାମ୍-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସକୁ ଉଭୟ ପଟରୁ ବାତିଲ୍ ହୋଇଥିବା ବେଳେ ବିଶାଖାପାଟଣାନମ୍ରୁ ଛାଡ଼ୁଥିବା ବିଶାଖାପାଟନାମ୍-ଦୀଘା ଏକ୍ସପ୍ରେସ୍, ହାୱଡାରୁ ଛାଡ଼ିବାକୁ ଥିବା ହାୱଡା-ହାଇଦ୍ରାବାଦ ପୂର୍ବତଟ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି ।

ଅନ୍ୟପଟେ ବାତ୍ୟା ପରେ ସ୍ଥିତିରେ ସୁଧାର ଆସିଥିବାରୁ ବାତିଲ୍ ଓ ଗତିପଥ ପରିବର୍ତନ ହୋଇଥିବା ୬ଟି ଟ୍ରେନ୍ ପୁଣିଥରେ ଚଳାଚଳ କରିବାକୁ ପୂର୍ବତଟ ରେଳବାଇ ସୂଚନା ଦେଇଛନ୍ତି । ସେହି ଟ୍ରେନ୍ଗୁଡ଼ିକ ହେଲା ହାୱଡ଼ା ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍, ହାୱଡା-ଚେନ୍ନାଇ ମେଲ୍, ସାଲିମାର-ନାଗରକୋଇଲି ଗୁରୁଦେବ ଏକ୍ସପ୍ରେସ୍, ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାୱଡା-ତିରୁଚ୍ଚିଲ୍ଲାପାଲ୍ଲି ଏକ୍ସପ୍ରେସ୍, କାମାକ୍ଷା-ଯଶବନ୍ତପୁର ଏସି ଏକ୍ସପ୍ରେସ୍ ନିର୍ଦ୍ଧାରିତ ଗତିପଥରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।