ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି! ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ଅଲଗା ହେବା ନେଇ ଜାହିର କଲେ ଅସନ୍ତୋଷ, ଯାଜପୁର ଓ ରାଉରକେଲାରେ ନୂଆ ଡିଭିଜନ କରିବାକୁ ଜଣାଇଲେ ଦାବି

196

କନକ ବ୍ୟୁରୋ : ଇଷ୍ଟକୋଷ୍ଟ ରେଳବାଇକୁ ଦୁଇଭାଗ କରିଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ସହ ପରାମର୍ଶ ନକରି ଦକ୍ଷିଣତଟ ରେଳଜୋନର ଗଠନ କରାଯାଇଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବିଶାଖାପାଟଣାରେ ଦକ୍ଷିଣ ତଟ ରେଳଜୋନକୁ କାର୍ଯ୍ୟକ୍ଷମ ନ କରିବାକୁ ଚିଠିରେ ଦାବି କରିଛନ୍ତି ନବୀନ ।

ଓଡିଶାର ସବୁ ଡିଭିଜନକୁ ପୂର୍ବତଟ ରେଳପଥରେ ସାମିଲ କରାଯିବା ସହ ଯାଜପୁର ଓ ରାଉରକେଲାରେ ଦୁଇଟି ନୂଆ ରେଳ ଡିଭିଜନ କରିବାକୁ ଦାବି କରିଛନ୍ତି ନବୀନ । ଏହାପୂର୍ବରୁ ଆଜି ୱାଲଟିୟର ଡିଭିଜନକୁ ବାଦ ଦିଆଯିବା ବିରୋଧରେ ପୂର୍ବତଟ ରେଳବାଇ ଅଫିସ ଆଗରେ ବିକ୍ଷୋଭ କରିଛି ବିଜେଡି । ପୂର୍ବରୁ ୩ଟି ନୂଆ ଡିଭିଜନ ଗଠନ କରିବାକୁ କେନ୍ଦ୍ର ନିକଟରେ ଦାବି କରିଆସିଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟର ଦାବିକୁ ଅଣଦେଖା କରି, ପୂର୍ବତଟ ରେଳବାଇକୁ ଭାଗ ଭାଗ କରିବା ନିଷ୍ପତିକୁ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ ।

ରାୟଗଡାରେ ନୂଆ ଜୋନ ଗଠନ ହେଲେ ଦକ୍ଷିଣ ଓଡିଶାରେ ରେଳବାଇର କିଛି ଉନ୍ନତି ହୋଇପାରେ କିନ୍ତୁ ବିଶାଖାପାଟଣା ଡିଭିଜନକୁ କାଢିନେଲେ ରାଜ୍ୟର ବିଶେଷ କ୍ଷତି ହେବ ବୋଲି ଆକଳନ କରାଯାଉଛି । କାରଣ ଭାଇଜାଗ୍ ବନ୍ଦରକୁ ହେଉଥିବା ପରିବହନ ରାଜସ୍ୱ କମିବ । ଫଳରେ କେନ୍ଦ୍ର ଅନୁଦାନ ମଧ୍ୟ ହ୍ରାସ ପାଇପାରେ । ବିଶାଖାପାଟଣା ଡିଭିଜନ ଅନ୍ତର୍ଭୁକ୍ତ ୧୧୦୬କିମି ରେଳପଥରୁ ମାତ୍ର ୪୧୦କିମି ରାୟଗଡା ଜୋନରେ ଅଛି । ତେଣୁ ରାଜ୍ୟ ଲାଭ ଅପେକ୍ଷା କ୍ଷତି ଅଧିକ ସହିବ ବୋଲି କୁହା ଯାଉଛି ।

କେନ୍ଦ୍ର ସରକାର ଇଷ୍ଟକୋଷ୍ଟ ରେଲୱେକୁ ଭାଗ ଭାଗ କରିବା ପାଇର୍ ୨୦୧୫ରୁ ଉଦ୍ୟମ ଆରମ୍ଭ କରିଥିଲେ । ତେଣୁ କ୍ଷତି ଭରଣା କରିବାକୁ ଆଉ ୩ଟି ନୂଆ ଡିଭିଜନ ଗଠନ କରିବାକୁ ପ୍ରସ୍ତାବ ଦେଇଥିଳେ ରାଜ୍ୟ ସରକାର । ଏ ନେଇ କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ମାତ୍ର ଗୋଟିଏ ଦାବି ପୂରଣ କରି ରାଜ୍ୟକୁ କ୍ଷତି ସହିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛି ବିଜେଡି ।