ରାଜଧାନୀରେ ଥିବା ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ ଲଗାଇବ ବିଏମସି । ରାସ୍ତାରେ ବୁଲିଲେ ମାଲିକ ଦେବେ ଜରିମାନା

ଗାଈଙ୍କ କାନରେ ଲାଗିଥିବା ଟ୍ୟାଗରେ ମାଲିକଙ୍କ ମୋବାଇଲ ନମ୍ବର ସହ ରହିବ ସମସ୍ତ ତଥ୍ୟ ।

117

ଏଥିରେ ସମସ୍ତ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲଗାଇବାକୁ ଯୋଜନା ହୋଇଛି। ଏଥିପାଇଁ ସହିଦନଗର ପଶୁ ଚିକିତ୍ସାଳୟ ପକ୍ଷରୁ ରାଜଧାନୀର ସମସ୍ତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲଗାଯିବ। ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଘର ଘର ବୁଲି ଏହି ଟ୍ୟାଗ୍ ଲଗାଇବେ। ଟ୍ୟାଗରେ ସେମାନଙ୍କ ମାଲିକଙ୍କ ମୋବାଇଲ୍ ନମ୍ବରରୁ ଆରମ୍ଭ କରି ସବିଶେଷ ତଥ୍ୟ ରହିବ। ଯଦି ରାସ୍ତାରେ ଗାଈ ଓ ମଇଁଷି ବୁଲୁଥିବାର ଦେଖାଯାଏ ତେବେ ସେମାନଙ୍କୁ ଉଠାଇ ନେଇ ୟୁନିଟ-୩ସ୍ଥିତ କାଞ୍ଜିହୁଦାରେ ରଖାଯିବ। ଏହାପରେ ସେମାନଙ୍କ କାନରେ ଲାଗିଥିବା ଟ୍ୟାଗ୍ରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଫୋନ୍ କରି ଗାଈ/ମଇଁଷି ନେବାକୁ କୁହାଯିବ। ହଜାରେ ଟଙ୍କା ଜମା କରି ସେ ଗାଈ/ମଇଁଷି ଘରକୁ ନେଇପାରିବେ।

ଯେତେଦିନ ଗାଈ/ମଇଁଷି କାଞ୍ଜିହୁଦାରେ ରହିବ ସେତେଦିନ ହଜାରେ ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ। ଯଦି ଗାଈ/ମଇଁଷି କାନରେ ଟ୍ୟାଗ୍ ଲାଗି ନଥିବ ତେବେ ଦିନକୁ ୧୫୦୦ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ। ଆଉ ତିନି ଦିନ ମଧ୍ୟରେ ଯଦି ଗାଈ/ମଇଁଷିକୁ କେହି ଆସି ନ ନିଅନ୍ତି ତେବେ ନିଲାମ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ କାଞ୍ଜିଆହୁଦାକୁ ଗାଈ ଆସିଲେ ୫୦୦ଟଙ୍କା ଜରିମାନା ଆଦାୟ ହେଉଥିବାବେଳେ ଏବେ ଏହାକୁ ସର୍ବନିମ୍ନ ହଜାରେ ଟଙ୍କାକୁ ବଢ଼ାଇ ଦିଆଯାଇଛି ବୋଲି ଡେପୁଟି କମିସନର (କ୍ୟାେଟଲ ଡ୍ରାଇଭ୍ ଏବଂ ଏବିସି କାର‌୍ୟ୍ୟକ୍ରମ) ଶୁଭ୍ରାଂଶୁ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନକୁ ସଫଳ କରିବା ପାଇଁ ବିଏମସି ପକ୍ଷରୁ ମାଗଣାରେ ପ୍ରତ୍ୟେକ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲାଗିବ। ରାଜଧାନୀ ରାସ୍ତାରେ ଯେପରି ଗୃହପାଳିତ ପଶୁଙ୍କ ଦୌରାତ୍ମ୍ୟ କମିବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଷଣ୍ଢଙ୍କ କାନରେ କିନ୍ତୁ ଟ୍ୟାଗ୍ ଲାଗିବନି। ଷଣ୍ଢଗୁଡ଼ିକୁ ଜାମୁକୋଳିରେ ଥିବା କାଞ୍ଜିଆହୁଦାରେ ଛାଡ଼ି ଦିଆଯିବ। ଏଠାରେ ୩୦୦ ଷଣ୍ଢ ରହିବା ପାଇଁ ବ୍ୟବସ୍ଥା ହୋଇଛି।