ଫେଲ୍‌ ମାରିଲା ‘ଇ-ବିଦ୍ୟାଳୟ ଯୋଜନା ’ : ଖତ ଖାଉଛି ୩୦ କୋଟି ଟଙ୍କାର ଆଇସିଟି ଲ୍ୟାବ୍‌

199

କନକ ବ୍ୟୁରୋ : ଓଡ଼ିଶାର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଦକ୍ଷ ହେବେ । ବର୍ତମାନର ହାଇ ଟେକ୍ନୋଲୋଜି ସହ ତାଳ ଦେଇ ଚାଲିବେ । ପାଠପଢ଼ା ସହ କମ୍ପ୍ୟୁଟର ଶିକ୍ଷାର ମୂଳଦୁଆ ପକାଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ା ହେବ। ଏମିତି କିଛି ମହତ୍ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନ୍ ଅଧୀନରେ ଆରମ୍ଭ ହୋଇଥିଲା ‘ଇ-ବିଦ୍ୟାଳୟ ଯୋଜନା ’।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ସରକାରୀ ବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଏହି ସୁବିଧା ଉପଲବ୍ଧ ହୋଇଥିବା ବେଳେ ପୁରୀ ଜିଲ୍ଲାର ୧୭୦ଟି ସରକାରୀ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇଥିଲା ଏହି ଯୋଜନା । ଶିକ୍ଷାଦାନ ପାଇଁ ୧୭୦ ଜଣ ସ୍ବତନ୍ତ୍ର କମ୍ପ୍ୟୁଟର ଶିକ୍ଷକ ବି ନିଯୁକ୍ତି କରାଗଲା । ୫ ବର୍ଷ ଯାଇଛି କି ନାହିଁ, ଏହି ମହତ୍ବକାଂକ୍ଷୀ ଯୋଜନା ବାଟବଣା ହୋଇଯାଇଛି ।

ପରିଚାଳନାଗତ ତ୍ରୁଟି ତଥା ସରକାରୀ ଦୂରଦୃଷ୍ଟି ଅଭାବରୁ ପୁରୀ ଜିଲ୍ଲାର ୧୭୦ ବିଦ୍ୟାଳୟରେ ଖୋଲାଯାଇଥିବା ୩୦ କୋଟି ଟଙ୍କାର ଆଇସିଟି (ଇନଫର୍ମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜି) ଲ୍ୟାବ୍‌ ଏବେ ଖତ ଖାଉଛି । ଯାହା ଜଣାପଡ଼ୁଛି, ସରକାର ବୋଧେ ଜାଣିଶୁଣି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଶୈଳୀରେ ଗଢ଼ି‌ ତୋଳିବାକୁ ଚାହୁଁନାହାନ୍ତି । ସରକାର ଚାହିଁଥିଲେ ଏହି ଲ୍ୟାବ୍‌ ଜରିଆରେ ଭିଡିଓ କନ‌୍‌ଫରେନ୍ସିଂରେ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରି ପାରିଥାନ୍ତେ । ହେଲେ ଏ ଦିଗଟିକୁ ଆଦୌ ଗୁରୁତ୍ବ ଦିଆଗଲାନି । ଫଳସ୍ବରୂପ ପୂରା ଫେଲ୍‌ ମାରିଗଲା ‘ଇ ବିଦ୍ୟାଳୟ’ ଯୋଜନା ।

୨୦୧୪ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ୍ବକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଇ-ବିଦ୍ୟାଳୟ ଯୋଜନା ଆରମ୍ଭ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।  ଇ-ବିଦ୍ୟାଳୟ ଯୋଜନାରେ ସ୍କୁଲ ପିଛା ୧୨ଟି ଦାମୀ ଡେକ୍ସଟପ୍‌, ସେୟାରିଂ କମ୍ପ୍ୟୁଟିଂ ଡିଭାଇସ୍, ୧୨ଟି ୱେବ୍‌ କ୍ୟାମ୍, ୧୨ଟି ହେଡ୍‌ଫୋନ୍, ହେଡ୍‌ଫୋନ୍‌ ସେୟାରର୍, ୧ ଲକ୍ଷ ୨୦ ହଜାର ଟଙ୍କାର ଇଣ୍ଟିଗ୍ରେଟେଡ୍ କମ୍ପ୍ୟୁଟର ପ୍ରୋଜେକ୍ଟର, ସ୍ମାଟ୍ ହ୍ବାଇଟ୍ ବୋର୍ଡ଼, ମଲ୍ଟି ଫଙ୍କସନ୍ ପ୍ରିଣ୍ଟର, ୟୁପିଏସ୍, ନେଟୱାର୍କିଂ, ଫାୟାର ଏକ୍ସଟିଙ୍ଗୁଇସର୍‌, ଷ୍ଟାବିଲାଇଜର୍, ଜେନେରେଟର ସେଟ୍, ସିଲିଂ ଓ ୱାଲ୍ ମାଉଣ୍ଟେଡ୍‌ ଫ୍ୟାନ୍, ଏକ୍ସଜଷ୍ଟ ଫ୍ୟାନ୍, ୪୦ଟି କମ୍ପ୍ୟୁଟର ଟେବୁଲ୍, ଚେୟାର, ଲ୍ୟାବ୍‌ କ୍ଲିନିଂନେସ୍ କିଟ୍, ଘଣ୍ଟା, ନୋଟିସ୍ ବୋର୍ଡ଼ ଭଳି ୩୦ ପ୍ରକାରର ଦାମୀ ଉପକରଣ ଯୋଗାଇ ଦିଆାଇଥିଲା ।

ଏହି ସବୁ ଜିନିଷ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଥିଲା । ଯାହାର ଦାମ ୧୫ରୁ ୨୦ ଲକ୍ଷ ଟଙ୍କା ଭିତରେ ହେବ । କେବଳ ସେତିକି ନୁହଁ, ଆଇସିଟି ଲ୍ୟାବ୍‌ ପାଇଁ ବିଦ୍ୟାଳୟ ପରିସରରେ ୨୦ ଫୁଟ୍‌ ଓସାର ଓ ୨୦ ଫୁଟ୍‌ ଲମ୍ବର ଏକ ସ୍ବତନ୍ତ୍ର ଗୃହ ବି ପ୍ରସ୍ତୁତ କରାଗଲା । ଏଥିପାଇଁ ପ୍ରତି ବିଦ୍ୟାଳୟରେ ଜଣେ ଲେଖା କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହେଲେ । ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍) ଜରିଆରେ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୭୫୦ କୋଟି ଟଙ୍କା ।