ଜରିମାନା ଆଦାୟ ପାଇଁ ଇ-ପେମେଣ୍ଟ୍ ! କମିସନରେଟ୍ ପୁଲିସର ନୂଆ ବ୍ୟବସ୍ଥା

20

କନକ ବ୍ୟୁରୋ : ଏଣିକି ଟ୍ରାଫିକ ନିୟମ ଭଙ୍ଗକାରୀ ପାଖରେ ଟଙ୍କା ନାହିଁ କି ଖୁଚୁରା ନାହିଁ କହି ଖସି ଯାଇପାରିବେନି । ପାଖରେ ନଗଦ ଟଙ୍କା ନଥିଲେ ଡେବିଟ୍‌ କାର୍ଡ କି କ୍ରେଡିଟ୍‌ କାର୍ଡରେ ବି ଜରିମାନା ଦେଇ ପାରିବେ । ନିୟମ ଉଲ୍ଲଂଘନକାରୀଙ୍କୁ କୌଣସି ପରିସ୍ଥିତିରେ ବି ନ ଛାଡ଼ିବାକୁ କମିସନରେଟ୍‌ ପୁଲିସ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆପଣାଇଛି । ଖୁବ୍‌ ଶୀଘ୍ର ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ କହିଛନ୍ତି । ଏହି ନିୟମ ଠିକଠାକ୍‌ ଚାଲିଲେ ଆଗାମୀ ଦିନରେ ମୋବାଇଲ୍‌ ବ୍ୟାଙ୍କିଂ, ଓ୍ଵାଲେଟ୍‌ ଜରିଆରେ ଜରିମାନା ଆଦାୟ ହେବ ।

ପୁଲିସ କମିସନରଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଟ୍ରାଫିକ୍‌ ନିୟମ ଭଙ୍ଗକାରୀଙ୍କଠାରୁ ନଗଦ ଟଙ୍କା ଆକାରରେ ଜରିମାନା ଆଦାୟ ହେଉଥିଲା । ଜରିମାନା ଆଦାୟ ସମୟରେ ଟ୍ରାଫିକ୍‌ ପୁଲିସ କର୍ମଚାରୀମାନେ ନକଲି ରସିଦ ଦେଇ ଟଙ୍କା ନେଇ ଯାଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗ ବି ଆସୁଥିଲା । ଏହାଛଡ଼ା ଅଧିକାଂଶ ସମୟରେ ନିୟମ ଭଙ୍ଗକାରୀମାନେ ପାଖରେ ଟଙ୍କା ନ ଥିବାର ଆଳ ଦେଖାଇ ଜରିମାନା ନଦେଇ ଖସି ଯାଉଥିଲେ । ତେଣୁ ଆମେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛୁ । ଏହାଦ୍ୱାରା ଜରିମାନା ଆଦାୟ ସହଜ ହେବ ଏବଂ ନକଲି ରସିଦ୍‌ ଦେଇ କେହି ଜରିମାନା ଆଦାୟ କରିପାରିବେନି । ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ପ୍ରାୟ ୧୫ଟି ସ୍ୱାଇପ୍‌ ମେସିନ୍‌ କିଣିବାକୁ ଯୋଜନା ହୋଇଛି ।

ନିୟମ ଉଲ୍ଲଂଘନକାରୀ କାର୍ଡ ସ୍ୱାଇପ୍‌ କଲେ ଅର୍ଥ ସିଧା କମିସନରେଟ୍‌ ପୁଲିସ ଆକାଉଣ୍ଟରେ ଜମା ହୋଇଯିବ। ସ୍ୱାଇପ୍‌ ମେସିନ୍‌ ଚଳାଇବା ପାଇଁ ଜଣେ ଏଏସ୍‌ଆଇଙ୍କୁ ନିୟୋଜିତ କରାଯିବ । ସେମାନେ ନିୟମଭଙ୍ଗକାରୀଙ୍କଠାରୁ ଜରିମାନା ଆଦାୟ କରିବେ । ଜରିମାନା ଆଦାୟ ପରେ ଗୋଟିଏ ସ୍ଲିପ୍‌ ନିୟମ ଭଙ୍ଗକାରୀଙ୍କୁ ଓ ଆଉ ଗୋଟିଏ ସ୍ଲିପ୍‌ ଉକ୍ତ ଅଧିକାରୀଙ୍କ ପାଖରେ ରହିବ । ସେହିପରି ଯେଉଁ ଗାଡ଼ିରୁ ଜରିମାନା ଆଦାୟ ହେବ ତା’ର ନମ୍ବର ଠିକ୍‌ ଅଛି କି ନାହିଁ ? ଚାଳକଙ୍କ ଲାଇସେନ୍‌ସ୍‌ ନ କଲି ନା ଅସଲି ? କିଏ କେତେ ଜରିମାନା ଦେଲେଣି ? ଏସବୁର ଯାଞ୍ଚ ପାଇଁ ସ୍ୱାଇପ୍‌ ମେସିନ୍‌ରେ ବାହନ ଓ ସାରଥୀ ଆପ୍‌କୁ ଇନଷ୍ଟଲ୍‌ କରାଯିବ । ନିୟମ ଭଙ୍ଗକାରୀଙ୍କ ଗାଡ଼ି ନମ୍ବର ଫିଡ୍‌ କରିବା ମାତ୍ରେ ଡିସ୍‌ପ୍ଲେରେ ସମସ୍ତ ତଥ୍ୟ ଦେଖାଇବ । ଫଳରେ ବିଭାଗରେ ଅଧିକ ସ୍ୱଚ୍ଛତା ଆସିବ । ଏହି ନିୟମକୁ ଖୁବ୍‌ ଶୀଘ୍ର ଲାଗୁ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି ।