କନକ ବ୍ୟୁରୋ: ଭଦ୍ରକରେ ବ୍ୟାନ ହେଲା ଡିଜେ । ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା ପରେ ଜିଲ୍ଲା ଏସପି ବି .ଗଙ୍ଗାଧର ଡିଜେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୧ଟି ଡିଜେ ଗାଡିକୁ ଅଟକ ରଖାଯାଇଛି । ମଙ୍ଗଳବାର ରାତିରେ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ରଜଭସାଣି ବେଳେ ଉତେଜନା ସୃଷ୍ଟି ହୋଇଥିଲା । ଲୁଙ୍ଗା ଗ୍ରାମରେ ରଜଉତ୍ସବ ଠାକୁର ଭସାଣି ବେଳେ ସେହି ଗ୍ରାମର କ୍ଷିତୀଶ ସେଠୀଙ୍କ ୭ବର୍ଷର ଝିଅ ଡିଜେ ଗାଡି ବାଜି ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲେ ବାସୁଦେବପୁର ଥାନା ଅଧିକାରୀ । ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଗାଁ ଦାଣ୍ଡ ମଝିରେ ଆଇଆଇସିକୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ମାଡରେ ଆଇଆଇସି ଗୁରୁତର ଆହତ ହୋଇଥିଲେ । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖ ଥାଉ କି, ୧୯ ତାରିଖ ରାତିରେ ବାସୁଦେବପୁର ଥାନା ଲୁଙ୍ଗା ଗାଁର ପୃଥକ୍ ପୃଥକ୍ କମିଟି ରଜ ଠାକୁର ଭସାଣି ଉତ୍ସବ ମନାଉଥିଲେ। ଏହାକୁ ଦେଖିବା ପାଇଁ ସେହି ଗାଁର କ୍ଷିତୀଶ ସେଠୀଙ୍କ ୭ ବର୍ଷର ଝିଅ କୁମକୁମ୍ ପ୍ରିୟଦର୍ଶିନୀ ଘର ଆଗରେ ଠିଆ ହୋଇଥିବା ବେଳେ ନାଚୁଥିବା ଯୁବକମାନେ କୁମକୁମ୍ ଉପରେ ମାଡି ଯାଇଥିଲେ। ତଳେପଡ଼ି କୁମକୁମ୍ ଆହତ ହେବା ପରେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। ଏଭଳି କାର୍ଯ୍ୟକଳାପକୁ ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉନ୍ମତ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
କ୍ଷିତୀଶ ଏ ନେଇ ବାସୁଦେବପୁର ଥାନାକୁ ଜଣାଇଥିଲେ। ଆଇଆଇସି ନବକୃଷ୍ଣ ନାୟକ ଜଣେ କନେଷ୍ଟବଳଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଡିଜେର ପ୍ରଚଣ୍ଡ ଶବ୍ଦକୁ ରୋକିବାକୁ ଶ୍ରୀ ନାୟକ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଢେଲା ଓ ପଥରମାଡ଼ରେ ଶ୍ରୀ ନାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା। ସେ ଆହତ ହୋଇ ପଡ଼ିଯିବା ପରେ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପଥର, ଢେଲା ମାଡ଼ରେ ଥାନା ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଲହୁଲୁହାଣ ହୋଇ ଥାନା ଅଧିକାରୀ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।