ଇତିହାସ ରଚିଲେ ଦୂତି

209

ଇତିହାସ ରଚିଲେ ଓଡିଆ ଝିଅ ଦୂତି ଚାନ୍ଦ୍ । ୩୫ ବର୍ଷର ବ୍ୟବଧାନରେ ପି.ଟି ଉଷାଙ୍କ ପରେ ଅଲିମ୍ପିକ୍ସରେ ଶହେ ମିଟର ଦୌଡ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତି । କାଜାଖସ୍ତାନରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ନିର୍ଧାରିତ ସମୟ ସୀମାରୁ କମ୍ ସମୟ ମଧ୍ୟରେ ୧୦୦ ମିଟର ଦୂରତା ଅତିକ୍ରମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଦୂତି । ପ୍ରଥମ ଥର ପାଇଁ ଓଡିଶାରୁ ଏବଂ ସାରା ଦେଶରେ ଦ୍ୱିତୀୟ ଥର ପାଇଁ ଜଣେ ମହିଳା ଧାବକ ଭାବେ ଦୂତି ଚାନ୍ଦ ରିଓ ଅଲମ୍ପିକ୍ସ ପାଇଁ କ୍ୱାଲିଫାଏ କରିବା କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ଧାବିକା ଦୂତି ଚାନ୍ଦ୍ ।

dutee chand in rio -olmpic

ରିଓ ଅଲିମ୍ପିକ୍ସରେ କ୍ୱାଲିଫାଏ କରିବା ପାଇଁ ୧୦୦ ମିଟର ଦୂରତାକୁ ରଖାଯାଇଥିଲା ୧୧ ଦଶମିକ ୩୨ ସେକେଣ୍ଡ । କିନ୍ତୁ ଟ୍ରାକରେ ଯେତେବେଳେ ଦୂତି ଚାନ୍ଦ ଦୈାଡିବା ଆରମ୍ଭ କଲେ ସେତେବେଳେ ପୂରା ଷ୍ଟାଡିଅମର ଖଚାଖଚ ଜନତା ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ସବୁ ରେକର୍ଡକୁ ଭାଙ୍ଗି ଦେଲେ ଦୂତି । ଧାର୍ଯ୍ୟ ସମୟର ୨ ସେକେଣ୍ଡ ପୂର୍ବରୁ ଲକ୍ଷ୍ୟ ହାସଲ କରି ୩୫ ବର୍ଷ ପରେ ୧୦୦ ମିଟର ଦୌଡରେ ଭାରତ ପାଇଁ ଆଣିଲେ ଅଲିମ୍ପିକ୍ସ ଟିକେଟ । ଏହା ପୂର୍ବରୁ ୧୯୮୦ରେ ଏହି ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଥିଲେ ପିଟି ଉଷା । କିନ୍ତୁ ଏହା ପରେ ଆଉ କୌଣସି ଭାରତୀୟ ମହିଳା ଧାବକ ୧୦୦ ମିଟର ପାଇଁ ଅଲିମ୍ପିକ୍ସର ଟିକେଟ ପାଇ ନଥିଲେ । ଏହି ସଫଳତା ପରେ ଦୂତି କହିଛନ୍ତି, “ମୋର ପରିଶ୍ରମ ସାକାର ହୋଇଛି । ଏହି ମୁହୂର୍ତରେ ମୁଁ ବହୁତ ଖୁସି । ଏହି ବର୍ଷ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା । ମୋ କୋଚ ରମେଶ ସାରଙ୍କୁ ମୁଁ ଧନ୍ୟବାଦ ଦେଉଛି ଏବଂ ମୋର ପରିଶ୍ରମ ଶେଷରେ ସାକାର ହୋଇଛି “ ।

dutee chand in rio-olmpic

ଓଡିଶାର ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଚକଗୋପାଳପୁରର ଏହି ଝିଅ ଦିନେ ସାରା ଦେଶ ପାଇଁ ଗୌରବ ଆଣିଦେବ, ଏହା ବୋଧହୁଏ ଏହି ଗାଁ କିମ୍ବା ପରିବାର ଲୋକେ କେବେ ଭାବି ନଥିବେ । ଏକ ଅତି ସାଧାରଣ ଓ ଗରିବ ପରିବାରରୁ ଆସିଥିବା ଦୂତିଙ୍କ ଏହି ସଫଳତା ପୁରା ଅଂଚଳରେ ଖୁସିର ପରିବେଶ ଆଣି ଦେଇଛି ।

dutee chand

ଏତେ ବଡ ସଫଳତା ପୂର୍ବରୁ କିନ୍ତୁ ଦୂତିଙ୍କୁ ଏକ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଶରୀରରେ ଆଣ୍ଡ୍ରୋଜେନ ହର୍ମୋନର ମାତ୍ରା ଅଧିକ ଥିବା ଦର୍ଶାଇ ୨୦୧୪ରେ ତାଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ବ୍ୟାନ କରିଥିଲା ଇଂଟରନ୍ୟାସନାଲ ଆସୋସିଏସନ ଅଫ ଆଥଲେଟିକ୍ସ ଫେଡେରେସନ । ଅନେକ ଦିନଧରି ଟ୍ରାକରୁ ଦୂରେଇ ରହିବା ପରେ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ ତାଙ୍କୁ କ୍ଲିନଚିଟ ଦେଇଥିଲେ । ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତିବନ୍ଧକ ହଟିବା ପରେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ରିଓ ଅଲିମ୍ପକ୍ସ ଯୋଗ୍ୟତା । ଆଉ ଶେଷରେ ସଫଳତାର ଏକ ବଡ ପାହାଚ ଚଢିଛନ୍ତି ଏହି ଓଡିଆ ଧାବିକା, ଯାହା ସାରା ଦେଶ ସମେତ ଓଡିଶାକୁ ଗୌରବ ଆଣିଦେଇଛି ।