ଜାକର୍ତାରେ କେମିତି ଥିଲା ବିଜୟ ମୂହୁର୍ତ୍ତ : ମାତ୍ର ଏକ ମାଇକ୍ରୋ ସେକେଣ୍ଡ ପାଇଁ ଦ୍ୱିତୀୟ ସ୍ଥାନରେ ରହିଲେ ଦୂତି ଚାନ୍ଦ

35

କନକ ବ୍ରୁରୋ : ଇଣ୍ଡୋନେସିଆର ଜାକର୍ତାରେ ଦୂତି ଚାନ୍ଦଙ୍କ ସଫଳତା ସାରା ରାଜ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ନିମ୍ନ ମଧ୍ୟବିତ୍ତ ପରିବାରରୁ ଯାଇ ଅନ୍ତର୍ଜାତୀୟ ଏସୀୟ କ୍ରୀଡାରେ ଏହି ସଫଳତା ଦୂତିଙ୍କ ଦୃଢ ମାନସିକତାକୁ ଆଉଥରେ ପ୍ରତିଫଳିତ କରିଛି । ସବୁଠାରୁ ବଡ କଥା ହେଉଛି ଦୂତି ରୌପ୍ୟ ପଦକ ସିନା ପାଇଲେ କିନ୍ତୁ କୌଣସି ଗୁଣରେ ପ୍ରଥମ ସ୍ଥାନଠାରୁ କମରେ ନଥିଲେ । ଜାକର୍ତାରେ ଶହେ ମିଟର ଦୌଡର ସେହି ଫାଇନାଲ ଖେଳ । ଯେଉଁଥିରେ ଦୂତି ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦୌଡ ସରିବା ପରେ ଦ୍ୱନ୍ଦ୍ୱରେ ପଡିଥିଲେ ଯେ ସେ କେଉଁ ସ୍ଥାନରେ ରହିଛନ୍ତି । ପରେ ଜଣାପଡିଲା ମାତ୍ର ଏକ ମାଇକ୍ରୋ ସେକେଣ୍ଡ ପାଇଁ ଦ୍ୱିତୀୟ ସ୍ଥାନରେ ରହିଲେ ଦୂତି ଚାନ୍ଦ । ମାତ୍ର ଗୋଟିଏ ମାଇକ୍ରୋ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ ଏହି ଓଡିଆ ଧାବିକା ।

ଏସୀୟ କ୍ରୀଡ଼ାରେ ପଦକ ଜିତିବା ପରେ ଦୂତୀ ଚାନ୍ଦ ପ୍ରତିକ୍ରିୟାରେ କହିଲେ, ଓଡିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ମିଳିଲା ସଫଳତା । ଏସିଆନ୍ ଗେମ୍ସରେ ମହିଳା ୧୦୦ ମିଟର ଦୌଡରେ ସିଲଭର ମେଡାଲ ଜିତିବା ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ ଚାନ୍ଦ । ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ଏସିଆନ୍ ଗେମ୍ସରେ ସେ ରୌପ୍ୟ ପଦକ ଜିତି ପାରିଛନ୍ତି ବୋଲି କହିଛନ୍ତି । ଏହା ସହ ମାତ୍ର ମାଇକ୍ରୋ ସେକେଣ୍ଡ ବ୍ୟବଧାନରେ ସ୍ୱର୍ଣ୍ଣ ହରାଇଲେ ବୋଲି ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଦୂତି । ତେବେ ଆଗକୁ ୨ ଶହ ମିଟର ଦୌଡ ଥିବାରୁ ଏବେ ତାଙ୍କର ଫୋକସ ଏହା ଉପରେ ରହିଛି ବୋଲି କହିଛନ୍ତି ଏହି ଓଡିଆ ଆଥଲେଟ୍ । ଗତକାଲି ଏସିଆନ୍ ଗେମ୍ସରେ ମହିଳା ଶହେ ମିଟର ଦୌଡ ଫାଇନାଲରେ ୧୧ ଦଶମିକ ୩୨ ସେକେଣ୍ଡ ନେଇଥିଲେ ଦୂତି । ଇଣ୍ଡୋନେସିଆର ଜାକର୍ତାରେ ଖେଳାଯାଉଥିବା ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି ଏହି ସ୍ପ୍ରିଂଟ୍ କୁଇନ୍ ।