ଯାଜପୁରରୁ ଜାକର୍ତ୍ତା ! ଭାରତକୁ ଦ୍ୱିତୀୟ ଚାନ୍ଦି ଦେଲେ ଦୂତି ଚାନ୍ଦ, ଜାଣନ୍ତୁ ସଂଘର୍ଷ ଓ ସଫଳତାର ପୂରା କାହାଣୀ

139

କନକ ବ୍ୟୁରୋ : ବିଦେଶରେ ଚମକିଲେ ଦୌଡରାଣୀ ଦୂତି ଚାନ୍ଦ । ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ । ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡିଆ ଧାବିକା ଦୂତି । ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି ଓଡିଆ ଝିଅ । ଆଉ ଏହି ବିଜୟ ପରେ ଏବେ ଦୂତିଙ୍କ ନିକଟକୁ ଛୁଟିଛି ପ୍ରଂଶସାର ସୁଅ ।

୨୬ ଅଗଷ୍ଟ ୨୦୧୮ । ଜାକର୍ତ୍ତାରେ ଦମ ଦେଖାଇଲେ ଯାଜପୁରର ଝିଅ । ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲେ ଦୂତି । ତେବେ ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ କୋଟି କୋଟି ଭାରତୀୟଙ୍କ ଆଖି ଯେମିତି ଟିଭି ପରଦା ଉପରେ ଲାଖି ରହି ଯାଇଥିଲା । ଇସାରା ମିଳିବା କ୍ଷଣି ପବନ ବେଗରେ ଧାଇଁଲେ ଆଥଲେଟ୍ । ଆଉ ଫିନିସିଂ ଲାଇନ୍ ଛୁଇଁବା ପରେ ସବୁ କିଛି ଇତିହାସ ପାଲଟିଗଲା । ଦୀର୍ଘ ୨୦ବର୍ଷ ପରେ ଏସିଆଡ ଖେଳରେ, ୧୦୦ ମିଟର ମହିଳା ଦୌଡ଼ ବର୍ଗରେ ପଦକ ଆଣିଲା ଭାରତ । ୧୧ ଦଶମିକ୍ ୩୨ ସେକେଣ୍ଡ । ଦୂତି ଚାନ୍ଦଙ୍କୁ ଇତିହାସ ରଚିବା ପାଇଁ ଯେଥେଷ୍ଟ ଥିଲା ଏହି ସମୟ । ଭାରତର ପଦକ ତାଲିକାରେ ଯୋଡ଼ି ହୋଇଗଲା ଆଉ ଏକ ରୌପ୍ୟ ପଦକ । ସ୍ୱର୍ଣ୍ଣ ପଦକଠାରୁ ମାତ୍ର ୦.୦୨ ସେକେଣ୍ଡର ପଛରେ ରହିଗଲେ ଦୂତି ଚାନ୍ଦ । ଯାହା ଫଳରେ ବାହାରିନର ଆଥଲେଟ୍ ୧୧.୩୦ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ହତେଇ ନେଲେ । ତେବେ କିଛି ମାଇକ୍ରୋ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକ ହାତଛଡା ହୋଇଥିବାରୁ ମନରେ ଟିକଏ ଅବଶୋଷ ମଧ୍ୟ ରହିଥିଲା । କିନ୍ତୁ ମନୋବଳ ଭାଙ୍ଗି ନଥିଲା । କାରଣ ସାମ୍ନାରେ ଥିଲା ଆଉ ଏକ ସୁଯୋଗ ।

୨୮ ଅଗଷ୍ଟ ୨୦୧୮ । ପୁଣିଥରେ ପଦକ ଆଶା ନେଇ ଟ୍ରାକକୁ ଓହ୍ଲାଇଥିଲେ ସୁନା ଝିଅ ଦୂତି । ୧୦୦ ମିଟର ପରେ ୨୦୦ ମିଟର ଦୌଡରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଥିଲେ ଦୂତି । ମାତ୍ର ୨୩ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ନୂଆ ଇତିହାସ ରଚିଥିଲେ ଦୂତି । ଆଉ ଏହାପରେ ୨୦୦ ମିଟରରେ ଦୂତିଙ୍କ ସ୍ୱର୍ଣ୍ଣ ସ୍ୱପ୍ନ ସାକାର ହେବ ବୋଲି ରାଜ୍ୟ ତଥା ଦେଶବାସୀ ଆଶ ବାନ୍ଧି ବସିଥିଲେ । କାରଣ ସେମିଫାଇନାଲରେ ୧୦୦ ମିଟର ଦୌଡର ବିଜେତାଙ୍କୁ ପଛରେ ପକାଇଥିଲେ ଦୂତି । ଆଉ ୨୯ ଅଗଷ୍ଟରେ ଦୂତି ଯେତେବେଳେ ପଦକ ଜିତିବା ପାଇଁ ଟ୍ରାକକୁ ଓହ୍ଲାଇଲେ ରାଜ୍ୟ ତଥା ଦେଶବାସୀଙ୍କ ହୃତସ୍ପନ୍ଦନ ମଧ୍ୟ ବଢିବା ଆରମ୍ଭ ହୋଇଥିଲା ।

ଟ୍ରାକରେ ହ୍ୱିସଲ ବାଜିବା ମାତ୍ରେ ପବନ ବେଗରେ ମାଡି ଚାଲିଥିଲେ ଦୂତି । ଲାଗୁଥିଲା ଆଉ କିଛି ପାଦ ପରେ ଯେପରି ସୁନା ପଦକ ହାତେଇନେବେ ଦୂତି । କିନ୍ତୁ ଶେଷ କିଛି ମୁହୂର୍ତ୍ତରେ ସାଥ୍ ଦେଲାନି ଭାଗ୍ୟ । ମାତ୍ର ଏକ ସେକେଣ୍ଡରୁ କମ ସମୟ ବିଳମ୍ବରେ ପହଞ୍ଚିବାରୁ ସ୍ୱର୍ଣ୍ଣ ପଦକ କବଜା କରି ନେଇଥିଲେ ବାହାରିନର ଆଥଲେଟ । କିନ୍ତୁ ଦେଶବାସୀଙ୍କୁ ନିରାଶ କରିନଥିଲେ ଦୂତି ଚାନ୍ଦ । ୨୦୦ ମିଟର ଦୌଡରେ ରୌପ୍ୟ ଜିତିବା ସହ ଭାରତକୁ ଦ୍ୱିତୀୟ ରୂପା ଦେଇଥିଲେ ଦୂତି । ଆଉ ଏହାସହ ଏସିଆନ ଗେମ୍ସରେ ଦୁଇ ଦୁଇଟି ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲେ ଦୌଡରାଣୀ ଦୂତି ।

ଯାଜପୁରର ଝିଅ ଦୂତିଙ୍କ ପାଇଁ ଜାକର୍ତ୍ତାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ଏତେ ସହଜ ନଥିଲା । ଅନେକ ଘାତ ଓ ପ୍ରତିଘାତକୁ ପାଦରେ ଆଡେଇ ଚାନ୍ଦି ଜିତିଛନ୍ତି ଚାନ୍ଦ । ସଂଘର୍ଷ ଓ ସଫଳତାର ଏହି ଲମ୍ବା କାହାଣୀ ଭିତରେ କିନ୍ତୁ ୨୦୧୪ ମସିହାରେ ଦୂତିଙ୍କ ସହ ଘଟିଯାଇଥିଲା ଏମିତି ଏକ ଘଟଣା । ଯାହା ତାଙ୍କ ଆଥଲେଟିକ୍ କ୍ୟାରିୟର ନେଇ ସୃଷ୍ଟି ହୋଇଥିଲା ଏକ ବଡ ପ୍ରଶ୍ନବାଚୀ । ତାଙ୍କ ଦେହରେ ଥିବା ଏକ ହରମୋନକୁ ନେଇ ଉଠିଥିଲା ଆପତି । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଥିବା ସୂନା ଝିଅ ଦୁତିଙ୍କ ହାତରେ ଆଜି ରୁପା ପଦକ ।