ଚର୍ଚ୍ଚାରେ ଦୂତୀ ଚାନ୍ଦ !! ବ୍ୟବସାୟ ଜଗତରେ ପାଦ ଥାପିଲେ ଦୌଡରାଣୀ ଦୂତି ଚାନ୍ଦ

2,887

କନକ ବ୍ୟୁରୋ: ଆଥଲେଟିକ୍ ଟ୍ରାକ୍ ହେଉ କି ବ୍ୟକ୍ତିଗତ ଜୀବନ ଦୌଡ଼ରାଣୀ ଦୂତି ଚାନ୍ଦ, ସବୁଠୁ ଅଲଗା, ସମସ୍ତଙ୍କଠାରୁ ଭିନ୍ନ । ଛୋଟ ବୟସରେ ଅନେକ ବଡ଼ ବଡ଼ ସାହସିକ ନିଷ୍ପତ୍ତି ନେଇ ସାରା ବିଶ୍ବରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। ଭାରତୀୟ ଦୌଡ଼କୁଦର ଏହି ଅପ୍ରତିଦ୍ବନ୍ଦ୍ବୀ ନାୟିକା ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ଦୌଡ଼କୁଦ ଜଗତରେ ଦମ୍ ଦେଖାଇବା ପରେ ହୋଟେଲ ବ୍ୟବସାୟକୁ ନିଜର ଆଗାମୀ ଆହ୍ବାନ ଭାବେ ଗ୍ରହଣ କରିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ପ୍ରିୟ ବର୍ଗ ୧୦୦ ମିଟର ଦୌଡ଼କୁ ପ୍ରେରଣା ଭାବେ ନେଇ ସମଗ୍ର ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ପ୍ରଥମ ପର୍ଯ୍ୟାୟରେ କିନ୍ତୁ ଦ୍ବୈତ ନଗରୀ କଟକ-ଭୁବନେଶ୍ବରକୁ ନିଜ ବ୍ୟାବସାୟିକ କର୍ମଭୂମି ଭାବେ ବାଛିଛନ୍ତି ଦୂତି।

ହୋଟେଲର ନାଁ ‘ଡିଟି ଡିଲାଇଟ୍ସ’ ରଖା ଯାଇଛି। ସଂପ୍ରତି ଏହି ନାଁରେ ରାଜଧାନୀ ଭୁବନେଶ୍ବରର ଶୈଳଶ୍ରୀ ବିହାରଠାରେ ଗୋଟିଏ ହୋଟେଲ ଥିଲା ବେଳେ ଅନ୍ୟଟି ଏମ୍ସ ନିକଟରେ ଖୋଲିଛି। ୧୦ ବର୍ଷୀୟା ଲିଜ୍ ଚୁକ୍ତି ସହ ହୋଟେଲ୍ ରୁମ୍ ବୁକିଂ ଆପ୍ ‘ଓୟୋ’ ସହ ଟାଏଅପ୍ ହୋଇସାରିଛନ୍ତି ଦୁଇଟି ଯାକ ହୋଟେଲ। ବ୍ୟବସାୟ ମଧ୍ୟ ଭଲ ହେଉଛି। ଏଥିନେଇ ଦୂତି ଏବଂ ତାଙ୍କ ବ୍ୟାବସାୟିକ ସହଯୋଗୀ ସରୋଜ କୁମାର ମିଶ୍ର ବେଶ୍ ଉତ୍ସାହିତ ଅଛନ୍ତି। ନୂଆ କର୍ମଭୂମିକୁ ନେଇ ଉଲ୍ଲସିତ ଦୂତି ନିଜ ବ୍ୟାବସାୟିକ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଆମ ହୋଟେଲ ଖୋଲିବାର ମାତ୍ର ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ରୁମ୍ ଖାଲି ରହୁଥିଲା। ଏବେ କିନ୍ତୁ ଏହି ଅସୁବିଧା ଦୂର ହୋଇଛି। କୋଠରୀ ସଂଖ୍ୟାକୁ ବୁକିଂ ବଳି ଯାଉଛି।

ଦୂତି ହୋଟେଲ ଖୋଲିବାର ମୂଳ ଲକ୍ଷ୍ୟ ହେଲା ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା। ଏଥିନେଇ ସେ କହିଛନ୍ତି ଯେ ସଂପ୍ରତି ମୋ ହୋଟେଲରେ ଆମ ଅଞ୍ଚଳର ୧୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ହୋଟେଲ ସଂଖ୍ୟା ଯେତେ ଯେତେ ବଢ଼ିବ ଏହି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବ। ପ୍ରାଥମିକ ଭାବେ ମୁଁ ପାଇଥିବା ପୁରସ୍କାର ରାଶିକୁ ଏହି ବ୍ୟବସାୟରେ ବିନିଯୋଗ କରିଛି। କାରଣ ସଂପ୍ରତି ବ୍ୟାଙ୍କରେ ପଇସା ରଖିଲେ ବିଶେଷ ଲାଭ ନାହିଁ। ତା’ ଛଡ଼ା ଏହା ଦ୍ବାରା ସମାଜର ମଙ୍ଗଳ ବି ସମ୍ଭବ ନୁହେଁ। ୧୦୦ ହୋଟେଲ ସହ ଆଗକୁ ମୁଁ ଏକ ଅଲିମ୍ପିକ୍ସ ସ୍ତରୀୟ ପଞ୍ଚ ତାରକା ହୋଟେଲ ଖୋଲିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଡିଟି ଗ୍ରୁପ୍ ମୋର ବ୍ୟାବସାୟିକ ଲକ୍ଷ୍ୟ ପୂରଣ କରିବ। ଅନ୍ୟ ପକ୍ଷରେ ଆମ ଅଞ୍ଚଳର ଗରିବ ବୁଣାକାରଙ୍କ ପାଇଁ ମୁଁ ଏକ ଟ୍ରଷ୍ଟ ଖୋଲିବାକୁ ଯାଉଛି। ଏହି ଟ୍ରଷ୍ଟ୍ ବା ଦାତବ୍ୟ ସଂସ୍ଥା ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ଦିଗରେ କାର୍ଯ୍ୟ କରିବ। ବ୍ୟବସାୟ ଦୁନିଆରେ ପାଦ ଥାପିଥିଲେ ମଧ୍ୟ ରାଜନୀତିରେ ପ୍ରବେଶ କରିବା ଆଶାରୁ ସେ ଦୂରେଇ ଯାଇ ନାହାନ୍ତି। ହୋଟେଲ ବ୍ୟବସାୟ ସହଜ ଏବଂ ଲାଭ ଦାୟକ ହୋଇଥିବାରୁ ଏଥିପ୍ରତି ସେ ଆଗ୍ରହ ପ୍ରକାଶ କରିଥିବା ଦୂତି କହିଛନ୍ତି। ସେହିଭଳି କୌଣସି ଖେଳାଳି ବ୍ୟବସାୟ ଦୁନିଆରେ ପାଦ ଥାପିବାର ଏହା ପ୍ରଥମ ଘଟଣା ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।