ଜାକର୍ତ୍ତାରେ ଫାଇନାଲ୍ ଟ୍ରାକରେ ଦଉଡିବେ ଦୂତି : ସେପଟେ ଯାଜପୁରରେ ତନ୍ତରେ ଲୁଗା ବୁଣୁଛନ୍ତି ଦୂତିଙ୍କ ବାପା ମା’

29

କନକ ବ୍ୟୁରୋ : ଜାତୀୟ କ୍ରୀଡା ଦିବସରେ ଜାକର୍ତ୍ତାରେ କମାଲ କରିବେ ଓଡିଆ ଝିଅ ଦୂତି ଚାନ୍ଦ । ଏସିଆନ ଗେମସରେ ୨୦୦ ମିଟର ଫାଇନାଲରେ ଦୌଡିବେ ଦୂତି । ଶହେ ମିଟର ଦୌଡ଼ରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଦୂତି ଚାନ୍ଦ, ୨ଶହ ମିଟର ଦୌଡ଼ରେ ବି ପଦକ ଆଶା ଉଜ୍ଜୀବିତ ରଖିଛନ୍ତି । ସେମିଫାଇନାଲ ପର୍ଯ୍ୟାୟରେ ଦୂତି ମାତ୍ର ୨୩ ସେକେଣ୍ଡରେ ୨ ଶହ ମିଟର ଅତିକ୍ରମ କରି ଫାଇନାଲରେ ପହଂଚିଛନ୍ତି । ତେଣୁ ଆଜି ଫାଇନାଲରେ ମଧ୍ୟ ଦୂତି ଚମକ୍ରାର ପ୍ରଦର୍ଶନ କରିବା ସହ ଦେଶ ପାଇଁ ପଦକ ଆଣିବେ ବୋଲି ଆଶା ରହିଛି । ଦୂତିଙ୍କ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଯାଜପୁରର ଚକ ଗୋପାଳପୁରରେ ପହଂଚିଛି କନକ ନ୍ୟୁଜ ଟିମ୍ । ଦୂତିଙ୍କୁ ନେଇ ବାପା ମାଙ୍କ ମଧ୍ୟରେ ଖୁସିଥିଲା, ଉତ୍ସାହ ଥିଲା । କନକ ନ୍ୟୁଜ ଟିମ୍ ଦୂତିଙ୍କ ଗାଁରେ ପଂହଚିବାବେଳେ ନିଜର ପାରମ୍ପରିକ କାମରେ ବୁଣାବୁଣିରେ ବ୍ୟସ୍ତ ଥିଲେ । ତେବେ ଦୂତିଙ୍କୁ ନେଇ ତାଙ୍କ ମା’ କହିଛନ୍ତି ମୋର ଠାକୁରଙ୍କ ଉପରେ ପୁରା ଭରସା ରହିଛି । ତାଙ୍କ ଆଶିର୍ବାଦ ପାଇଁ ସେ ଦେଶ ପାଇଁ ନିଶ୍ଚୟ ସୁନା ଆଣିବ । ଯଦ୍ୱାରା ସାରା ରାଜ୍ୟ ଓ ସାରା ଦେଶ ଗୌରବାନ୍ୱିତ ହେବେ ।

ତେବେ କନକ ନ୍ୟୁଜ୍ ଟିମ୍ ପ୍ରଶ୍ନ ଦୂତିଙ୍କ ମା’ଙ୍କୁ କରିଥିଲା ଏବେ ଅବସ୍ଥା ସ୍ୱଚ୍ଛଳ ଥିଲେ ମଧ୍ୟ ଆପଣ ତନ୍ତ କାମ କାହିଁକି କରୁଛନ୍ତି । ଏହାର ଉତ୍ତରରେ ଦୂତିଙ୍କ ମା’ କହିଛନ୍ତି ଏହି କାମ କରି ମୁଁ ସେମାନଙ୍କୁ ଛୋଟରୁ ବଡ଼ କରିଛି । ସେ ସଫଳ ହେଲେ ମଧ୍ୟ ଆମେ ଆମ ଜୀବନ ଜୀବିକା ଛାଡ଼ିବୁ ନାହିଁ । ଝିଅର ସଫଳତା ସତ୍ୱେ ତାଙ୍କ ଉତ୍ତରରୁ ସରଳତାର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

ସୂଚନାଯୋଗ୍ୟ ମଙ୍ଗଳବାର ଦୂତି ଉଭୟ ହିଟ୍ ଏବଂ ସେମିଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲ୍ ଯିବା ପରେ ୨୦୦ ମିଟରରେ ସେ ସ୍ୱର୍ଣ୍ଣ ଜିତିବା ଆଶା ସଂଚାର ହୋଇଛି। ସେମିଫାଇନାଲର ପ୍ରଦର୍ଶନ ଆଧାରରେ ଦୂତି (୨୩ ସେକେଣ୍ଡ) ମଧ୍ୟ ସଂପ୍ରତି ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ୧୦୦ ମିଟରର ସ୍ୱର୍ଣ୍ଣ ପଦକ ବିଜୟିନୀ ବାହାରିନର ଓଡିନୋଗ ଏଦିଦିଓଙ୍ଗ ଅଛନ୍ତି।